ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ଦୁଇ ଦିନ ହେଲାଣି କଂଗ୍ରେସ ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ସରକାରୀ ଟେଲିକମ୍ କଂପାନି ବିଏସ୍ଏନ୍ଏଲ୍କୁ ମୃତ୍ୟୁମୁଖକୁ କଂଗ୍ରେସ ଟାଣି ଆଣିଥିଲା ବୋଲି ଗତକାଲି ଅଭିଯୋଗ କରିବା ପରେ ନିର୍ମଳା ଆଜି ୨ଜି ଓ କୋଇଲା ଦୁର୍ନୀତି କଥା ମନେ ପକାଇଛନ୍ତି। ସବୁ କିଛି କୋଇଲା ବୋଲି ତାତ୍ସଲ୍ୟ କରି କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଅମଳ ଥିଲା ଅନ୍ଧକାରର ଯୁଗ। ଲୋକସଭାରେ ବଜେଟ୍ ଉପରେ ଚାଲିଥିବା ଆଲୋଚନା ସମୟରେ ସେ କହିଛନ୍ତି ଯେ କଂଗ୍ରେସ ଅମଳରେ ବ୍ୟାପକ ଦୁର୍ନୀତି ହେଉଥିଲା, ମୁଦ୍ରାସ୍ଫୀତି ଦୁଇ ଅଙ୍କ ବିଶିଷ୍ଟ ସ୍ତରରେ ଥିଲା, ନୀତି ନିର୍ଧାରଣ ସ୍ଥାଣୁ ହୋଇଯାଇଥିଲା। ଅନ୍ଧକାର ଯୁଗର ଏସବୁ ଅଂଶ ଥିଲା ବୋଲି ସେ କହିଛନ୍ତି। ୨୦୦୮-୦୯ରେ ମୁଦ୍ରାସ୍ଫୀତି ହାର ୯.୧% ଥିଲା। ଏବେ ତାହା ୬.୨% ଭଳି ଉନ୍ନତ ସ୍ଥିତିରେ ରହିଛି। ବର୍ତ୍ତମାନର ସମୟକୁ ସେ ଅମୃତ କାଳ ଭାବେ ବର୍ଣ୍ଣନା କରିବା ସହ କହିଛନ୍ତି ଯେ ୨୦୨୦-୨୧ରେ ଦେଶରେ ୪୪ଟି ଷ୍ଟାର୍ଟଅପ୍ ସଂସ୍ଥା ୟୁନିକର୍ଣ୍ଣ ମାନ୍ୟତା ହାସଲ କରିଛନ୍ତି।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ଖାଦ୍ୟ ସବ୍ସିଡି, ଶିକ୍ଷା ଓ ସ୍ବାସ୍ଥ୍ୟ ଅଟକଳରେ କୌଣସି ହ୍ରାସ କରାଯାଇନାହିଁ। ସହରାଞ୍ଚଳରେ ବେକାରି ହାର ମହାମାରୀ ପୂର୍ବ ସ୍ଥିତି ପର୍ଯ୍ୟନ୍ତ ସୁଧାର ହୋଇଗଲାଣି। ସ୍ବାସ୍ଥ୍ୟ ଅଟକଳ ୨୫% ଓ ଶିକ୍ଷା ଅଟକଳ ୧୮% ବୃଦ୍ଧି କରାଯାଇଛି। କୋଭିଡ୍ ମହାମାରୀ ପ୍ରଭାବ ଯୋଗୁଁ ୨୦୨୦-୨୧ରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ୯.୫୭ ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିଛି। ପୁଞ୍ଜି ବ୍ୟୟର ମହତ୍ବ ବିଷୟରେ ବୁଝାଇବା ଲାଗି ସେ କହିଛନ୍ତି ଯେ ଯଦି ଏକ ଟଙ୍କାକୁ ରାଜସ୍ବ ବ୍ୟୟ ଭାବେ ଖର୍ଚ୍ଚ କରାଯିବ ତେବେ ତାହାର ପ୍ରଭାବରେ ମାତ୍ର ୪୫ ପଇସାର ଲାଭ ମିଳିବ ଯାହା ଏକ ଟଙ୍କାରୁ କମ୍। କିନ୍ତୁ ଯଦି ସେହି ଏକ ଟଙ୍କାକୁ ପୁଞ୍ଜି ବ୍ୟୟ ଭାବେ ଖର୍ଚ୍ଚ କରାଯିବ ତେବେ ତାହାର ପ୍ରଭାବରେ ୨ ଟଙ୍କା ୪୫ ପଇସାର ଲାଭ ମିଳିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/nirmala.jpg)