ପିଏମ୍‌ସି ବ୍ୟାଙ୍କ କିଣିବା ଦୌଡ଼ରେ କର୍ପୋରେଟ୍‌ ସଂସ୍ଥା

ବେଙ୍ଗାଲୁରୁ: ଘୋର ଆର୍ଥିକ ସଙ୍କଟରେ ପଡ଼ିଥିବା ‌ମହାରାଷ୍ଟ୍ରର ପିଏମ୍‌ସି ବ୍ୟାଙ୍କକୁ ଉଦ୍ଧାର କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ପେମେଣ୍ଟ୍‌ ଷ୍ଟାର୍ଟଅପ୍ ସଂସ୍ଥା ଭାରତ ପେ’ ଓ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା ସେଣ୍ଟ୍ରମ୍‌ ଗ୍ରୁପ୍ ପକ୍ଷରୁ ଏହି ବ୍ୟାଙ୍କକୁ କିଣିବା ଲାଗି ଆଗ୍ରହ ପ୍ରକାଶ କରାଯାଇଛି। ଏହି ଦୁଇ ସଂସ୍ଥା ମିଳିତ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ଆବେଦନ କରିଛନ୍ତି। ଲୁଥିଆନାରେ ଜନ୍ମ ଗ୍ରହଣ କରି ବ୍ରିଟେନ୍‌ରେ ବୃହତ ବ୍ୟବସାୟ ସାମ୍ରାଜ୍ୟ ସ୍ଥପନ କରିଥିବା ସଞ୍ଜୀବ ଗୁପ୍ତାଙ୍କ ଲିବର୍ଟି ଗ୍ରୁପ୍ ମଧ୍ୟ ପିଏମ୍‌ସି ବ୍ୟାଙ୍କ କିଣିବା ଦୌଡ଼ରେ ସାମିଲ ହୋଇଛି। ପିଏମ୍‌ସି ବ୍ୟାଙ୍କ ଲାଗି ରିଜର୍ଭ ବ୍ୟାଙ୍କ ଚାରିଟି ଆବେଦନ ପାଇଛି। ଅନ୍ୟ ଦୁଇ ଆବେଦନକାରୀଙ୍କ ପରିଚୟ ଜଣାପଡ଼ିନାହିଁ।

ଗତ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ପିଏମ୍‌ସି ବ୍ୟାଙ୍କ ଉପରେ ଲଗାଯାଇଥିବା କଟକଣାକୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଭାରତ ‌ପେ’ ଯଦି ପିଏମ୍‌ସି ବ୍ୟାଙ୍କକୁ କିଣିବାରେ ସଫଳ ହେବ ତେବେ ତାହାକୁ ଡିଜିଟାଲ୍‌ ପ୍ରଥମ ବ୍ୟାଙ୍କ ଭାବେ ପରିଚାଳିତ କରିବ। ପିଏମ୍‌ସି ବ୍ୟାଙ୍କ ପାଇଁ ଯେଉଁ ଆବେଦନ ଆହ୍ବାନ କରାଯାଇଥିଲା ସେଥିରେ ସର୍ତ୍ତ ରହିଛି ଯେ ନିବେଶକ ତାହାକୁ ଏକ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଭାବେ ଚଲାଇବେ। ଯଦି ଲିବର୍ଟି ଗ୍ରୁପ୍ ପିଏମ୍‌ସି ବ୍ୟାଙ୍କକୁ କିଣିବାରେ ସଫଳ ହେବ ତେବେ ଏକ କର୍ପୋରେଟ୍ ସଂସ୍ଥା ଦ୍ବାରା ପରିଚାଳିତ ହେବାର ପ୍ରଥମ ବ୍ୟାଙ୍କର ମାନ୍ୟତା ପାଇବ ପିଏମ୍‌ସି ବ୍ୟାଙ୍କ। କର୍ପୋରେଟ୍ ସଂସ୍ଥାକୁ ବ୍ୟାଙ୍କ ମାଲିକ ‌ହେବାର ଅନୁମତି ଦେବା ଲାଗି ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଆଭ୍ୟନ୍ତରୀଣ କମିଟି ସୁପାରିସ୍‌ କରିଥିଲା। ତାହାକୁ ନେଇ ଅନେକ ବିତର୍କ ହେଉଛି। ଏପର୍ଯ୍ୟନ୍ତ ତା’ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ।

ସମ୍ବନ୍ଧିତ ଖବର