ନୂଆଦିଲ୍ଲୀ : ଗାଡ଼ି ଜନିତ ପ୍ରଦୂଷଣ କମ୍ କରିବା ଲାଗି ଆସନ୍ତା ବର୍ଷ ଏପ୍ରିଲ୍‌ରୁ କଠୋର ନିୟମ ଲାଗୁ ହେବ। ସେହି ନିୟମ ପାଳନ କରିବା ଲାଗି କଂପାନିଗୁଡ଼ିକ ଏବେଠାରୁ ବିପୁଳ ପରିମାଣର ନିବେଶ କରୁଛନ୍ତି। ସେହି ବ୍ୟୟ ଅସୁଲ କରିବା ଲାଗି ସେମାନେ ନିଶ୍ଚିତ ରୂପେ ଗାଡ଼ି ଦାମ୍ ବଢ଼ାଇବେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

Advertisment

୨୦୨୩ ଏପ୍ରିଲ୍‌ରୁ ବିଏସ୍‌-୬ର ଦ୍ବିତୀୟ ପର୍ଯ୍ୟାୟ ନିୟମ ଲାଗୁ ହେବ। ସେଥିପାଇଁ ଗାଡ଼ିରେ କେତେକ ସ୍ବତନ୍ତ୍ର ଉପକରଣ ଓ ଯନ୍ତ୍ରାଂଶ ଲଗାଇବା ଜରୁରୀ ହୋଇପଡ଼ିଛି ଯାହା ଗାଡ଼ି ଚାଲୁଥିବା ସମୟରେ ସେଥିରୁ ବାହାରୁଥିବା ବିଷାକ୍ତ ଗ୍ୟାସ୍‌ର ସୂଚନା ଦେବ। ସମସ୍ତ କାର୍ ଓ କମର୍ସିଆଲ୍‌ ଗାଡ଼ିରେ ସେଥିପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ। ସେଥିପାଇଁ ଗାଡ଼ି ତିଆରିରେ ହେଉଥିବା ଖର୍ଚ୍ଚ ବହୁତ ବଢ଼ିଯିବା ଆଶଙ୍କା କରାଯାଉଛି। ବିଏସ୍‌-୬ର ଦ୍ବିତୀୟ ପର୍ଯ୍ୟାୟ ନିୟମକୁ ପାଳନ କରିବା ଲାଗି ଏକ ସେଲ୍‌ଫ୍‌ ଡାଏଗ୍ନୋଷ୍ଟିକ୍ ଡିଭାଇସ୍‌ ଲଗାଇବାକୁ ହେବ। କାଟାଲିଟିକ୍ କନଭର୍ଟର ଓ ଅକ୍ସିଜେନ୍ ସେନ୍‌ସର ଆଦି ଗାଡ଼ିରେ ଲାଗିବ। ‌ଯଦି ଗାଡ଼ିରୁ ହେଉଥିବା ପ୍ରଦୂଷଣ ନିର୍ଧାରିତ ସୀମା ଅତିକ୍ରମ କରିବ ତେବେ ସେହି ଡିଭାଇସ୍‌ ସେ ସମ୍ପର୍କିତ ସତର୍କ ସୂଚନା ଦେବ। ଗାଡ଼ିର ପ୍ରଦୂଷଣ କମ୍ କରିବା ଲାଗି ତାହାର ସର୍ଭିସିଂ କରାଇବାକୁ ପଡ଼ିବ। ସେଲ୍‌ଫ ଡାଏଗ୍ନୋଷ୍ଟିକ୍ ଡିଭାଇସ୍‌ ଲଗାଇବାରେ ଅଧିକ ବ୍ୟୟ ହେବ ବୋଲି କୁହାଯାଉଛି।
ଇଞ୍ଜିନରେ ପୋଡ଼ୁଥିବା ତେଲକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି ସେଥିରେ ପ୍ରୋଗ୍ରାମଡ୍‌ ଫୁଏଲ୍‌ ଇଞ୍ଜେକ୍ଟର ଲଗାଇବାକୁ ପଡ଼ିବ। ଗାଡ଼ିଗୁଡ଼ିକରେ ଲାଗୁଥିବା ଚିପ୍‌ର ଉନ୍ନତ ଭର୍ସନ ଲଗାଇବାକୁ ହେବ। ବାୟୁ ଚାପ, ଇଞ୍ଜିନର ତାପମାତ୍ରା ଏବଂ ଗାଡ଼ିରୁ ବାହାରୁଥିବା ଧୂଆଁରେ କେତେ ଅଙ୍ଗାରକାମ୍ଳ, ଯବକ୍ଷାରଜାନ ଓ ସଲ୍‌ଫର୍‌ ରହିଛି ତାହା ଚିପ୍ ଜରିଆରେ ଜଣାପଡ଼ିବ।

୨୦୧୦ରେ ଭାରତ ବିଏସ୍‌-୩ ପ୍ରଦୂଷଣ ନିୟମକୁ ଗ୍ରହଣ କରିଥିଲା। ଏହାର ସାତ ବର୍ଷ ପରେ ୨୦୧୭ରେ ବିଏସ୍‌-୪ ନିୟମ ଲାଗୁ କରାଯାଇଥିଲା। କିନ୍ତୁ ହଠାତ୍‌ ମାତ୍ର ଚାରି ବର୍ଷ ଭିତରେ ସିଧାସଳଖ ବିଏସ୍‌-୬ ନିୟମକୁ ୨୦୨୦ ଏପ୍ରିଲ୍‌ରୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ‌ଅଳ୍ପ ସମୟ ଭିତରେ ସେହି ଲକ୍ଷ୍ୟ ହାସଲ କରିବା ଲାଗି ଗାଡ଼ି କଂପାନିଗୁଡ଼ିକୁ ବିପୁଳ ବ୍ୟୟ କରିବାକୁ ପଡ଼ିଥିଲା। ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ଟାଟା ମୋଟର୍ସ, ମାରୁତି ସୁଜୁକି ଓ ଟୟୋଟା କିଲୋସ୍କର ମୋଟର୍ସ ବିଏସ୍‌-୬ ଦ୍ବିତୀୟ ପର୍ଯ୍ୟାୟ ପ୍ରଦୂଷଣ ନିୟମକୁ ପାଳନ କରିବା ଲାଗି ପ୍ରସ୍ତୁତ ରହିଛନ୍ତି।