ବ୍ରହ୍ମପୁର/ ରାଉରକେଲା: ସାରା ଦୁନିଆରେ ସେମିକଣ୍ଡକ୍ଟର ବିପ୍ଳବ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ଓଡ଼ିଶା ସେହି ଦୌଡ଼ରେ ସାମିଲ ହୋଇ ନିଜକୁ ଦୃଢ଼ ଭାବେ ଉପସ୍ଥାପନ କରିବା ସହ ଆଗରେ ରହିଛି। ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବାaaaaaaaaaaaaaaaaa ସେମିକନ୍ ଇଣ୍ଡିଆ ୨୦୨୫ ସମ୍ମିଳନୀରେ ଓଡ଼ିଶାରେ ପ୍ରସ୍ତୁତ ତିନିଟି ଅତ୍ୟାଧୁନିକ ଚିପ୍ ଉନ୍ମୋଚନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେହି ଚିପ୍‌ଗୁଡ଼ିକୁ କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରିଛନ୍ତି। ଏକ ସେମିକଣ୍ଡକ୍ଟର ହବ୍‌ ହେବା ଲାଗି ଅଭିଳାଷ ରଖିଥିବା ଓଡ଼ିଶା ପାଇଁ ଏହା ଏକ ଗର୍ବର ମୁହୂର୍ତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ସେମିକନ୍‌ ଇଣ୍ଡିଆ ୨୦୨୫ରେ ବ୍ରହ୍ମୁପରର ଶୀତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ପକ୍ଷରୁ ସେମିକଣ୍ଡକ୍ଟର ଚିପ୍‌ ଏବଂ ଏନ୍‌ଆଇଟି ରାଉରକେଲା ଦ୍ବାରା ପ୍ରସ୍ତୁତ ଏନକ୍ରିପସନ୍ କୋର୍ (ସି୨ଏସ୍‌୦୦୧୭) ଓ ଭିଜିଏ ଆମ୍ପ୍ଲିଫାୟର୍‌ ସେନ୍ସର ସର୍କିଟ୍ (ସି୨ଏସ୍‌୦୦୧୮)କୁ ଉନ୍ମୋଚନ କରାଯାଇଛି।  ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କ ପ୍ରଶଂସା କରିଛନ୍ତି।

Advertisment

ପାରଳା ମହାରାଜା ଇଂଜିନିୟରିଂ କଲେଜର ଇଟିସି ବିଭାଗ ସହକାରୀ ପ୍ରାଧ୍ୟାପକ ଡ.ଦିନେଶ କୁମାର ଦାଶ କହିଛନ୍ତି ଯେ  ଏହି ପ୍ରୟାସ ରାଜ୍ୟରେ ନୂତନ ପ୍ରଯୁକ୍ତି ବିଦ୍ୟାର ଦ୍ୱାର ଖୋଲିବ ଏବଂ ଓଡ଼ିଶାର ପ୍ରାଜ୍ଞିକ କ୍ଷମତାକୁ ଦେଶରେ ପ୍ରକାଶ କରିବ। କଲେଜ ପକ୍ଷରୁ ଏହା ସମସ୍ତଙ୍କ ସାମୂହିକ ଶ୍ରମ ଓ ଦୃଢ଼ ସଙ୍କଳ୍ପର ପରିଣାମ। ଏହି ସଫଳତାରୁ ପ୍ରେରଣା ପାଇ ଭବିଷ୍ୟତରେ ଅଧିକ ଗବେଷଣା କାର୍ଯ୍ୟ କରିବାର ଯୋଜନା ରହିଥିବା ସେ କହିଛନ୍ତି। ଏହି ଚିପ୍‌ ଅତ୍ୟନ୍ତ ଛୋଟ (ନାନୋ) ହୋଇଥିବାରୁ ଜନଗହଳି ସ୍ଥାନରେ ଲଗାଯାଇପାରିବ। ଏହି ଚିପ୍‌ ପ୍ରସ୍ତୁତି ନିମନ୍ତେ ପ୍ରାୟ ଏକ ବର୍ଷ ସମୟ ଲାଗିଥିଲା। ଏହାକୁ ଜନଗହଳିପୂର୍ଣ୍ଣ ସ୍ଥାନରେ ଏବଂ ଅପରାଧ କାର୍ଯ୍ୟକଳାପ ହେଉଥିବା ସ୍ଥାନରେ ବ୍ୟବହାର କଲେ ଅପରାଧୀଙ୍କ ଚେହେରା ଚିହ୍ନଟ ହୋଇପାରିବ।

ସେମିକନ୍ ଇଣ୍ଡିଆ ୨୦୨୫ରେ ରାଜ୍ୟର ୩ଟି ଚିପ୍ ଉନ୍ମୋଚିତ
ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ, ଏନ୍‌ଆଇଟି ରାଉରକେଲାରେ ପ୍ରସ୍ତୁତ

ଏନ୍‌ଆଇଟି ରାଉରକେଲା ଦ୍ବାରା ବିକାଶ କରାଯାଇଥିବା ଏନ୍‌କ୍ରିପସନ୍ କୋର୍‌ ଆଇସି ହେଉଛି ସମ୍ବଳ-ସୀମିତ ପରିବେଶ ଅନୁକୂଳ ଏକ ହାଲୁକା ବ୍ଲକ ସାଇଫର, ଯାହା ଆଇଓଟି, ଆର୍‌ଏଫ୍‌ଆଇଡି, ଇ-ପେମେଣ୍ଟ, ସ୍ୱାସ୍ଥ୍ୟସେବା, ସେନ୍ସର ନେଟୱାର୍କ ସୁରକ୍ଷା ପାଇଁ ପ୍ରଯୁଜ୍ୟ। ଏହାକୁ ଡ. ରୁବି ମିଶ୍ର, ଭରତ ପାଟିଦାର, ପ୍ରଫେସର ଆୟସକାନ୍ତ ସ୍ୱାଇଁ ଓ ପ୍ରଫେସର କେ. କେ. ମହାପାତ୍ର ବିକାଶ କରିଛନ୍ତି। ଭିଜିଏ ଆମ୍ପ୍ଲିଫାୟର ସେନ୍ସର ସର୍କିଟ୍ ଆଇସିକୁ ଇପ୍ସିତା, ସମୀକ୍ଷା, ପ୍ରେମ ସାଇ, ପ୍ରଫେସର ସୌଗତ କୁମାର କର ଓ ପ୍ରଫେସର ସୁଦୀପ କୁଣ୍ଡୁ ଡିଜାଇନ୍‌ କରିଛନ୍ତି। ବାୟୋମେଡିକାଲ୍ ଓ ଆଇଓଟି ଆପ୍ଲିକେସନ୍ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ଆଇସି ଆକ୍ସିଲେରୋମିଟର ସଂଯୋଗ, ଅପରେସନାଲ୍ ଟ୍ରାନ୍ସକଣ୍ଡକ୍ଟନ୍ସ ଆମ୍ପ୍ଲିଫାୟର (ଓଟିଏ) ଉପାଦାନ ଏବଂ ଶକ୍ତି ଅମଳ ଯନ୍ତ୍ର ସହିତ ଏକ କ୍ୟାପାସିଟିଭ୍ ଇଣ୍ଟରଫେସ୍ ଏକୀକରଣ କରିଥାଏ। ଏହି ସେମିକଣ୍ଡକ୍ଟରଗୁଡ଼ିକ ୨୦୨୩ ମସିହାରେ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅନୁମୋଦିତ ଚିପ୍-ଟୁ-ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ସମୟରେ ନିର୍ମାଣ କରାଯାଇଥିଲା। ପ୍ରଫେସର କମଳାକାନ୍ତ ମହାପାତ୍ର ଓ ପ୍ରଫେସର ଆୟସକାନ୍ତ ସ୍ୱାଇଁଙ୍କ ନେତୃତ୍ବରେ ଏହା ପ୍ରସ୍ତୁତ ହୋଇଥିଲା। 

ଏନ୍‌ଆଇଟିରେ ଚିପ୍-ଟୁ-ଷ୍ଟାର୍ଟଅପ୍ ପ୍ରୋଗ୍ରାମର ଫ୍ୟାକଲ୍ଟି ଓ ସହକାରୀ ପିଆଇ ପ୍ରଫେସର ଅୟସକାନ୍ତ ସ୍ୱାଇଁ କହିଛନ୍ତି, ଏନ୍‌ଆଇଟିର ଦୁଇଟି ଡିଜାଇନ୍ ସେମିକନ୍ ଇଣ୍ଡିଆରେ ପ୍ରଦର୍ଶିତ ହେବା ନିଶ୍ଚିତଭାବେ ଗର୍ବର ବିଷୟ। ଏହି ମାନ୍ୟତା ଆମକୁ କଠିନ ପରିଶ୍ରମ କରିବା ସହ ଭାରତ ଓ ଓଡ଼ିଶାରେ ସେମିକଣ୍ଡକ୍ଟର ଇକୋସିଷ୍ଟମର ଅଭିବୃଦ୍ଧି ପାଇଁ ଅଧିକ ଯୋଗଦାନ ଦେବାକୁ ପ୍ରେରଣା ଦେବ। ପ୍ରଫେସର ସୌଗତ କୁମାର କର କହିଛନ୍ତି, ଏହି ସଫଳତା ସେମିକଣ୍ଡକ୍ଟର ଡିଜାଇନ୍‌ରେ ସ୍ୱଦେଶୀ କ୍ଷମତା ନିର୍ମାଣ ଓ ଭାରତର ଦ୍ରୁତ ଗତିରେ ବିକଶିତ ହେଉଥିବା ଚିପ୍ ଶିଳ୍ପ ପାଇଁ ଏକ ଦକ୍ଷ କର୍ମଶକ୍ତି ପ୍ରସ୍ତୁତ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।