ବଢ଼ିବ ଦେଶର ଉତ୍ପାଦନ କ୍ଷମତା, କେନ୍ଦ୍ର ଆଣିଲା ୨ ଲକ୍ଷ କୋଟିର ସ୍କିମ୍

ଆସିବ ଆଉ ଏକ ପ୍ୟାକେଜ୍

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ରେ ଆଜି ଦୁଇ ଲକ୍ଷ କୋଟି ଟଙ୍କା ମୂଲ୍ୟର ଉତ୍ପାଦନ ସହ ଜଡ଼ିତ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍‌କୁ ମଞ୍ଜୁରି ଦିଆଯାଇଛି। ଦେଶର ୧୦ଟି ପ୍ରମୁଖ ମାନୁଫାକ୍‌ଚରିଂ କ୍ଷେତ୍ରକୁ ନଜରରେ ରଖି ଏହି ସ୍କିମ୍ ପ୍ରସ୍ତୁତ କରାଯାଇଛି। ସେହି କ୍ଷେତ୍ରଗୁଡ଼ିକ ହେଉଛି ଅଟୋମୋବାଇଲ୍‌ ଓ ଅଟୋ ଯନ୍ତ୍ରାଂଶ, ଫାର୍ମାସ୍ୟୁଟିକାଲ୍ ଔଷଧ, ସ୍ପେସିଆଲିଟି ଷ୍ଟିଲ୍‌, କ୍ୟାପିଟାଲ୍‌ ଗୁଡସ୍‌, ପ୍ରଯୁକ୍ତି ଉତ୍ପାଦ, ଏସି ଓ ଏଲ୍‌ଇଡି ଭଳି ହ୍ବାଇଟ୍‌ ଗୁଡସ୍‌, ଟେଲିକମ୍ ଓ ନେଟ୍‌ୱର୍କିଂ ଉତ୍ପାଦ, ବୟନ, ଉଚ୍ଚ କ୍ଷମତା ସମ୍ପନ୍ନ ସୋଲାର ପିଭି ମଡ୍ୟୁଲ୍‌ ଓ ଉନ୍ନତ ବ୍ୟାଟେରି ସେଲ୍। ଏ ସମ୍ପର୍କରେ ଘୋଷଣା କରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ପିଏଲ୍‌ଆଇ ସ୍କିମ୍ ପାଇଁ ନିତି ଆୟୋଗ ପକ୍ଷରୁ ୧୦ ପ୍ରମୁଖ କ୍ଷେତ୍ର ଚୟନ କରାଯାଇଛି। ଏହା ଦ୍ବାରା ଭାରତୀୟ ଉତ୍ପାଦନକାରୀମାନେ ବିଶ୍ବ ସ୍ତରରେ ପ୍ରତିଦ୍ବନ୍ଦ୍ବିତା କରିପାରିବେ, ପୁଞ୍ଜିନିବେଶ ହାତେଇ ପାରିବେ ଏବଂ ନିଜର ରପ୍ତାନି ବୃଦ୍ଧି କରିପାରିବେ। ଏହି ସ୍କିମ୍ ଜରିଆରେ ଉଦୀୟମାନ କ୍ଷେତ୍ରଗୁଡ଼ିକ ଆବଶ୍ୟକ ସରକାରୀ ସହାୟତା ପାଇବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏହି ସ୍କିମ୍ ପାଇଁ ଚୟନ କରାଯାଇଥିବା ପ୍ରତିଟି କ୍ଷେତ୍ରର ଚୂଡ଼ାନ୍ତ ପ୍ରସ୍ତାବକୁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଅର୍ଥ କମିଟି ଏବଂ କ୍ୟାବିନେଟ୍‌ ମଞ୍ଜୁର କରିବ। ଏହି କ୍ଷେତ୍ରଗୁଡ଼ିକ ସହ ସଂପୃକ୍ତ ଥିବା ମନ୍ତ୍ରାଳୟ ପକ୍ଷରୁ ତୁରନ୍ତ ସ୍କିମ୍‌କୁ କାର୍ଯ୍ୟକାରୀ କରାଯିବ। ଏହି ସ୍କିମ୍‌ର ଲାଭ ହାସଲ କରିବା ଲାଗି କଂପାନିଗୁଡ଼ିକ ସଂଖ୍ୟାର କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି।

ଏହି ସ୍କିମ୍ ସମ୍ପର୍କରେ ଡିଭିଏସ୍‌ ଆଡଭାଇଜର୍ସ ଏଲ୍‌ଏଲ୍‌ପିର ପ୍ରତିଷ୍ଠାତା ଦୀବାକର ବିଜୟସାରଥୀ କହିଛନ୍ତି ଯେ ବୟନ ଶିଳ୍ପ ଭଳି କ୍ଷେତ୍ର ଏହି ସ୍କିମ୍‌କୁ ସ୍ବାଗତ କରିବେ। କାରଣ ବିଭିନ୍ନ କାରଣରୁ ଏହି କ୍ଷେତ୍ର ଚାପରେ ରହିଛି। ପିଏଲ୍‌ଆଇ ସ୍କିମ୍ ବୟନ ଶିଳ୍ପର ପୁନରୁଦ୍ଧାରରେ ସହାୟକ ହୋଇପାରିବ। ସେହିପରି ବୟନ ଏବଂ ଅଟୋମୋବାଇଲ୍ ଶିଳ୍ପ ପାଖରେ ଆବଶ୍ୟକତା କ୍ଷମତା ରହିଛି ଯାହାକୁ ସେମାନେ ଉପଯୋଗ କରି ବିଶ୍ବସ୍ତରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ।

ଆସିବ ଆଉ ଏକ ପ୍ୟାକେଜ୍
ନୂଆଦିଲ୍ଲୀ: ଅର୍ଥନୈତିକ ଅଭିବୃଦ୍ଧି ତ୍ବରାନ୍ବିତ କରିବା ଲାଗି ଦୀପାବଳି ପୂର୍ବରୁ କିମ୍ବା ଚଳିତ ସପ୍ତାହରେ କେନ୍ଦ୍ର ସରକାର ପ୍ରାୟ ୨୦୦୦ କୋଟି ଡଲାରର ଆଉ ଏକ ପ୍ୟାକେଜ୍ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି। ଆସନ୍ତାକାଲି ଏହି ପ୍ୟାକେଜ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମ‌ାନେ ଚୂଡ଼ାନ୍ତ କରିବେ। କେଉଁ କ୍ଷେତ୍ରକୁ ଦୃଷ୍ଟିରେ ରଖି ଏହି ପ୍ୟାକେଜ୍ ପ୍ରସ୍ତୁତ କରାଯାଇଛି ଏବଂ ‌ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ପ୍ୟାକେଜ୍ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର