ସିପିପି ପାଖରେ ମାତ୍ର ୨-୩ ଦିନର ‌କୋଇଲା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ୟୁସିସିଆଇ

ଭୁବନେଶ୍ବର: କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟ୍‌ (ସିପିପି)ଗୁଡ଼ିକ ସାମ୍ନା କରୁଥିବା କୋଇଲା ସମସ୍ୟାକୁ ଦୂର କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛି ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇ)। ଚାମ୍ବରର ସଭାପତି ବ୍ରହ୍ମା ମିଶ୍ର ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖି ଜଣ‌ାଇଛନ୍ତି ଯେ କୋଇଲା ଅଭାବ ଯୋଗୁ ରାଜ୍ୟରେ ସ୍ଥାନୀୟ ଶିଳ୍ପ ତିଷ୍ଠି ରହିବା କଷ୍ଟକର ହୋଇପଡ଼ିଛି । ରାଜ୍ୟର ଏସ୍‌ଏମ୍‌ଇଗୁଡ଼ିକ ବନ୍ଦ ହେବାରେ ଲାଗିଛି । ରାଜ୍ୟର କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ୍‌ ବା ସିପିପି ନିକଟରେ ଆଉ ୨-୩ ଦିନର କୋଇଲା ଗଚ୍ଛିତ ହୋଇ ରହିଛି । ଫଳରେ ଓଡ଼ିଶା ବଡ଼ ଧରଣର କୋଇଲା ଅଭାବର ସମ୍ମୁଖୀନ ହେବାରେ ଲାଗିଛି । ସିପିପିଗୁଡ଼ିକ ଶକ୍ତି ଉତ୍ପାଦନ ହ୍ରାସ କରିବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ରାଜ୍ୟର ଆଲୁମିନିୟମ୍ ଶିଳ୍ପ ବେଶ୍ ପ୍ରଭାବିତ ହେବାରେ ଲାଗିଛି । ରାଜ୍ୟର ୧୫,୦୦୦ କୋଟି ଟଙ୍କାର ରାଜସ୍ୱ ହାନି ହେବାର ଆଶଙ୍କା ମଧ୍ୟ ରହିଛି। ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟର ୬୫ ପ୍ରତିଶତ କୋଇଲା ଅନ୍ୟ ରାଜ୍ୟର ପାୱାର ପ୍ଲାଣ୍ଟ୍‌କୁ ପଠାଯାଉଛି । ଫଳରେ ରାଜ୍ୟର ସ୍ଥାନୀୟ ଶିଳ୍ପସଂସ୍ଥା କୋଇଲାର ମାତ୍ର ୩୫ ପ୍ରତିଶତ ପାଇ ପାରୁଛନ୍ତି। ଏକ୍ଷେତ୍ରରେ ରାଜ୍ୟ ସରକାର ହସ୍ତକ୍ଷେପ କଲେ ସ୍ଥାନୀୟ ଶିଳ୍ପକୁ ସମର୍ଥନ ମିଳିବା ସହିତ ରାଜ୍ୟର ଆର୍ଥିକ ବିକାଶ ସମ୍ଭବ ହୋଇ ପାରିବବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର