ମୁମ୍ବାଇ: ଆରବ ସାଗରରେ ମୌସୁମୀ ପରବର୍ତ୍ତୀ ପ୍ରଥମ ବାତ୍ୟା ‘ଶକ୍ତି’ କ୍ରମଶଃ ଦୁର୍ବଳ ହୋଇ ଭାରତର ପଶ୍ଚିମ ଉପକୂଳରୁ ଦୂରେଇ ଯାଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁସାରେ, ଏହି ବାତ୍ୟା ବର୍ତ୍ତମାନ ଓମାନର ରାସ୍‌ ଅଲ୍‌ ହାଦଦ୍‌ଠାରୁ ୨୨୦ କିମି ଦକ୍ଷିଣ-ପୂର୍ବ ଓ ମାସିରା ଦ୍ୱୀପଠାରୁ ୨୫୦ କିମି ପୂର୍ବରେ ରହିଛି। ଝଡ଼ର କେନ୍ଦ୍ର ନିକଟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ କିମିରୁ ହ୍ରାସ ପାଇ ୭୦ କିମିକୁ ଖସିଆସିଛି। ଆଇଏମ୍‌ଡି ଆକଳନ କରିଛି ଯେ ଅକ୍ଟୋବର ୭ ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇଯାଇଥିବ।

Advertisment

ବାତ୍ୟା ‘ଶକ୍ତି’ ଅକ୍ଟୋବର ୩ରେ ଦାନା ବାନ୍ଧିବା ପରେ ମହାରାଷ୍ଟ୍ର, ଗୁଜରାଟ ଉପକୂଳ ପାଇଁ ବିପଦ ସଙ୍କେତ ଜାରି ହୋଇଥିଲା। କିନ୍ତୁ ଏହା ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରି ଆରବ ସାଗରରେ ଭାରତୀୟ ଉପକୂଳରୁ ଅପସରି ଯାଉଛି। ଅକ୍ଟୋବର ୬ ସକାଳ ପର୍ଯ୍ୟନ୍ତ ଏହା ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରିବ ଏବଂ ତା’ପରେ ପୂର୍ବ ଦିଗରେ ଗତି କରିବ। ଏହା ମହାରାଷ୍ଟ୍ର ଓ ଗୁଜରାଟରେ ବଡ଼ ପ୍ରଭାବ ପକାଇବା ସମ୍ଭାବନାକୁ ହ୍ରାସ କରିଛି। ମହାରାଷ୍ଟ୍ରରେ ବାତ୍ୟାର ପ୍ରଭାବ ଖୁବ୍‌ କମ୍‌ ରହିଛି। ମୁମ୍ବାଇର ମହିମ୍ ପଶ୍ଚିମ ଅଞ୍ଚଳ ଭଳି କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବାବେଳେ ରାୟଗଡ଼, ରତ୍ନାଗିରି ଓ ପାଲଘର ଜିଲ୍ଲାରେ ମେଘୁଆ ପାଗ ଦେଖାଦେଇଛି। କେତେକ ଅଞ୍ଚଳରେ ପବନର ବେଗ ବଢ଼ିଥିଲେ ମଧ୍ୟ କୌଣସି ବଡ଼ କ୍ଷୟକ୍ଷତି ହୋଇନାହିଁ। ମୁମ୍ବାଇ, ଥାନେ ଓ ପାଲଘରରେ ଲୋକଙ୍କ ସ୍ଥାନାନ୍ତର ଯୋଜନାକୁ ଏବେ ସ୍ଥଗିତ ରଖାଯାଇଛି।  

ଗୁଜରାଟରେ ବି ବାତ୍ୟାର ପ୍ରଭାବ ଅତି ସାମାନ୍ୟ ରହିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ମେଘୁଆ ପାଗ ଓ କାଁଭାଁ ବର୍ଷା ହୋଇଛି। ରାଜ୍ୟ ସରକାର ଓ ପାଣିପାଗ ବିଭାଗ ସତର୍କ ରହିଥିଲେ ମଧ୍ୟ ଝଡ଼ର ପଥ ପରିବର୍ତ୍ତନ ହେତୁ ବିପଦ ସଙ୍କେତ ହଟାଇ ଦିଆଯାଇଛି। ଅକ୍ଟୋବର ୮ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଗୁଜରାଟରେ ମେଘୁଆ ପାଗ ଓ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମ୍‌ଡି ମହାରାଷ୍ଟ୍ର ଓ ଗୁଜରାଟ ପାଇଁ ସମସ୍ତ ସତର୍କତା ହଟାଇ ଦେଇଛି। କିନ୍ତୁ ମତ୍ସ୍ୟଜୀବୀମାନଙ୍କୁ ଆରବ ସାଗରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ବାତ୍ୟା ‘ଶକ୍ତି’ ଭାରତୀୟ ଉପକୂଳ ପାଇଁ ବଡ଼ ବିପଦ ସୃଷ୍ଟି କରିନଥିବାରୁ ସ୍ଥାନୀୟ ବାସିନ୍ଦା ଓ ପ୍ରଶାସନ ଆଶ୍ୱସ୍ତି ଅନୁଭବ କରିଛନ୍ତି।