ସାତ ମାସ ବିପଦରେ ଥିଲା ପିଏନ୍‌ବି ଗ୍ରାହକଙ୍କ ତଥ୍ୟ

ସର୍ଭରରେ ଥିଲା ଦୁର୍ବଳତା, ଚୋରିର ଆଶଙ୍କା ଥିଲା

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି)ର ସର୍ଭରରେ ଥିବା ଏକ ଦୁର୍ବଳତା ସାତ ମାସ ପର୍ଯ୍ୟନ୍ତ ଲାଗି ରହିଥିଲା। ଏହି ସମୟରେ ବ୍ୟାଙ୍କର ୧୮ କୋଟିରୁ ଅଧିକ ଗ୍ରାହକଙ୍କ ଆର୍ଥିକ ଓ ବ୍ୟକ୍ତିଗତ ତଥ୍ୟ ବିପଦରେ ଥିଲା ବୋଲି ସାଇବର୍‌ଏକ୍ସ୯ ନାମକ ଏକ ସାଇବର୍ ନିରାପତ୍ତା ସଂସ୍ଥା ଦାବି କରିଛି। ଗ୍ରାହକଙ୍କ ତଥ୍ୟର ସୁରକ୍ଷା ଲାଗି ରହିଥିବା ବ୍ୟବସ୍ଥା ଏତେ ଢିଲା ଥିଲା ଯେ ହ୍ୟାକର୍‌ମାନେ ଅତି ସହଜରେ ବ୍ୟାଙ୍କର ସମ୍ପୂର୍ଣ୍ଣ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ପ୍ରବେଶ କରିବା ସହ ପ୍ରଶାସନିକ ନିୟନ୍ତ୍ରଣ ମଧ୍ୟ ହାସଲ କରିପାରିଥାନ୍ତେ। ବ୍ୟବସ୍ଥାରେ ଥିବା ଦୁର୍ବଳତାକୁ ପିଏନ୍‌ବି କର୍ତ୍ତୃପକ୍ଷ ମାନିଛନ୍ତି। କିନ୍ତୁ ଏହାର ପ୍ରଭାବରେ କୌଣସି ତଥ୍ୟ ପ୍ରଭାବିତ ହୋଇଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି।

ସାଇବର୍‌ଏକ୍ସ୯ ପକ୍ଷରୁ ସର୍ଭରରେ ରହିଥିବା ତ୍ରୁଟିକୁ ଚିହ୍ନଟ କରି ପିଏନ୍‌ବି କର୍ତ୍ତୃପକ୍ଷଙ୍କୁ ସିଇଆର୍‌ଟି-ଆଇଏଲ୍ ଓ ଏନ୍‌ସିଆଇଆଇପିସି ଜରିଆରେ ଅବଗତ କରାଯିବା ପରେ ତାହାର ସମାଧାନ ହୋଇଥିଲା। ସାଇବର୍‌ଏକ୍ସ୯ର ପ୍ରତିଷ୍ଠାତା ଓ ଏମ୍‌ଡି ହିମାଂଶୁ ପାଠକ କହିଛନ୍ତି ଯେ ଆମ ଗବେଷଣା ଟିମ୍ ପିଏନ୍‌ବିର ଆଭ୍ୟନ୍ତରୀଣ ସର୍ଭରରେ ବଡ଼ ଧରଣର ଦୁର୍ବଳତାକୁ ଚିହ୍ନଟ କରିଥିଲେ ଯାହା ଦୀର୍ଘ ସାତ ମାସ ଧରି ରହିଥିଲା। ଏକ୍ସଚେଞ୍ଜ୍‌ ସର୍ଭରରେ ସେହି ତ୍ରୁଟି ରହିଥିଲା। ସେହି ତ୍ରୁଟିକୁ ବ୍ୟବହାର କରି ସାଇବର୍‌ ଅପରାଧୀମାନେ ଅତି ସହଜରେ ପିଏନ୍‌ବି ନେଟ୍‌ୱର୍କରେ ଥିବା କମ୍ପ୍ୟୁଟରରେ ପ୍ରବେଶ କରିପାରିଥାନ୍ତେ। ବ୍ୟାଙ୍କର ଶାଖା ଓ କାର୍ଯ୍ୟାଳୟରେ ବ୍ୟବହାର ହେଉଥିବା କମ୍ପ୍ୟୁଟରରେ ମଧ୍ୟ ସେମାନେ ପ୍ରବେଶ କରିପାରିଥାନ୍ତେ ବୋଲି ସେ କହିଛନ୍ତି।

ସାଇବର୍‌ଏକ୍ସ୯ ପକ୍ଷରୁ ଯେଉଁ ଦାବି କରାଯାଇଛି ତାହାକୁ ପିଏନ୍‌ବି କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଯେଉଁ ସର୍ଭର ବିଷୟରେ ଆଲୋଚନା କରାଯାଇଛି ସେଥିରେ କୌଣସି ଗୁରୁତ୍ବପୂର୍ଣ୍ଣ ତଥ୍ୟ ନଥିଲା। ଇ-ମେଲ୍‌ ପାଇଁ ସେହି ସର୍ଭର ବ୍ୟବହାର କରାଯାଉଥିଲା। ସେଥିରେ କୌଣସି ସମ୍ବେଦନଶୀଳ ତଥ୍ୟ ନଥିଲା। ସେହି ସର୍ଭର ସମ୍ପୂର୍ଣ୍ଣ ରୂପେ ଏକ ଅଲଗା ଭିଲାନ୍‌ରେ ଥିଲା। ଗ୍ରାହକମାନଙ୍କ ତଥ୍ୟ ଏହା ଦ୍ବାରା ପ୍ରଭାବିତ ହୋଇନାହିଁ। ସୁରକ୍ଷା ବ୍ୟବସ୍ଥାରେ ଥିବା ଦୁର୍ବଳତାଗୁଡ଼ିକୁ ଚିହ୍ନଟ କରିବା ଲାଗି ସିଇଆର୍‌ଟି-ଇନ୍‌ର ସୂଚନା ନିରାପତ୍ତା ଅଡିଟରଙ୍କ ଜରିଆରେ ନିୟମିତ ବ୍ୟବସ୍ଥାରେ ଯାଞ୍ଚ କରାଯାଉଛି ବୋଲି ପିଏନ୍‌ବି କର୍ତ୍ତୃପକ୍ଷ କହିଛନ୍ତି। ପ୍ରତିଷେଧମୂଳକ ପଦକ୍ଷେପ ଦୃଷ୍ଟିରୁ ସେହି ସର୍ଭର୍‌କୁ ବନ୍ଦ ରଖାଯାଇଛି। ବ୍ୟାଙ୍କ ସର୍ଭରରେ ଥିବା ତ୍ରୁଟିକୁ ନଭେମ୍ବର ୧୯ରେ ସମାଧାନ କରାଯାଇଥିଲା।

ସମ୍ବନ୍ଧିତ ଖବର