ଋଣ ଆପ୍‌ର ଘାତକ ଜାଲ: ଶୋଷଣ ସହିନପାରି ପ୍ରାଣ ହାରୁଛନ୍ତି ଗ୍ରାହକ

ଅଧିକାଂଶ ଆପ୍ ଚୀନ୍‌ର, ଗୁଗୁଲ୍ ହଟାଇଲା ୨୦୦୦ ଆପ୍

ନୂଆଦିଲ୍ଲୀ: ଅତି ଦରକାର ସମୟରେ ତେଲେଙ୍ଗାନାର ଯୁବକ ୱାଇ ସୁଧାକର ଗୋଲ୍‌ଡେନ୍ ରୁପି ଆପ୍‌ରୁ ୫୦୦୦ ଟଙ୍କାର ଋଣ ଆଣିଥିଲେ। ଠିକ୍ ସମୟରେ ଋଣ ଶୁଝିନପାରିବାରୁ ସେ ଅସହ୍ୟ ଶୋଷଣର ଶିକାର ହୋଇଥିଲେ। ଶୋଷଣ ଓ ଅପମାନ ସହିନପାରି ଶେଷରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ଏଭଳି ଶହ ଶହ ଘଟଣା ଦେଶର ବିଭିନ୍ନ ପ୍ରାନ୍ତରେ ଘଟୁଛି। ବେଆଇନ ଋଣ ଆପ୍‌ରୁ ସହଜ ଋଣ ନେଇ ବହୁ ‌ଲୋକ ଅପମାନ ଓ ଶୋଷଣର ଶିକାର ହେଉଛନ୍ତି। ଅଜଣା ଓ ବେଆଇନ ଋଣ ଆପ୍ ଏବେ ଘାତକ ଚକ୍ରବ୍ୟୁହରେ ପରିଣତ ହୋଇଛି। ଏହି ସବୁ ଆପ୍‌ଗୁଡ଼ିକ ସହ ଚୀନ୍‌ର ସମ୍ପର୍କ ରହିଛି।

ଋଣ ଆପ୍‌ଗୁଡ଼ିକର କାର୍ଯ୍ୟ କରିବା ଶୈଳୀ ଭିନ୍ନ ପ୍ରକାରର। ସେମାନେ ନାମକୁ ମାତ୍ର କାଜଗପତ୍ର କାମ କରନ୍ତି। କୌଣସି ବନ୍ଧକ ମଧ୍ୟ ନିଅନ୍ତି ନାହିଁ। ଅତି ସହଜରେ ଋଣ ମଞ୍ଜୁର କରନ୍ତି। କୋଭିଡ୍‌ ମହାମାରୀ ପରେ ବହୁ ଲୋକ କାମଧନ୍ଦା ହରାଇ ଚିନ୍ତିତ ଥିବା ବେଳେ ଏହି ଆପ୍‌ଗୁଡ଼ିକ ଛତୁ ଫୁଟିବା ଭଳି ବାହାରିଥିଲେ ଓ ସହଜରେ ଋଣ ଯୋଗାଇ ସେହି ଲୋକମାନଙ୍କୁ ନିଜ ଜାଲରେ ଛନ୍ଦି ଦେଇଥିଲେ। ଅତ୍ୟଧିକ ସୁଧ ଓ ପରିଶୋଧ ପାଇଁ ଅଳ୍ପ ସମୟ ଗ୍ରାହକଙ୍କ ପାଇଁ ସବୁଠୁ ବଡ଼ ଅଡ଼ୁଆ ସୃଷ୍ଟି କରିଥିଲା। ଗ୍ରାହକମାନଙ୍କ ବ୍ୟକ୍ତିଗତ ତଥ୍ୟକୁ ବେଆଇନ ଭାବେ ହାସଲ କରି ତାହା ଜରିଆରେ ଋଣ ଦେଇଥିବା ସଂସ୍ଥା ନାନା ପ୍ରକାରରେ ସେମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ରହିଛି। ଅନେକ ସମୟରେ ସେମାନେ ଗ୍ରାହକଙ୍କ ବନ୍ଧୁ ପରିଜନ ଓ ସମ୍ପର୍କୀୟଙ୍କୁ ଫୋନ୍ କରି ଏଭଳି କଥା କୁହନ୍ତି ଯାହାର ପଛର ଉଦ୍ଦେଶ୍ୟ ହେଉଛି ଗ୍ରାହକଙ୍କୁ ଅପମାନିତ କରି ତାଙ୍କ ଉପରେ ପ୍ରବଳ ଚାପ ପକାଇବା। ସମାଜରେ ସେମାନଙ୍କ ସମ୍ମାନ ହାନି କରିବା। ଆପ୍‌ର ପ୍ରତିନିଧିମାନେ ଏତେ ହଇରାଣ କରନ୍ତି ଯେ ଗ୍ରାହକ ଜଣକ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥାନ୍ତି। ଏହି ଆପ୍‌ଗୁଡ଼ିକ ଲୋକଠାରୁ ସଂଗ୍ରହ କରୁଥିବା ଟଙ୍କାକୁ କ୍ରିପ୍ଟୋକରେନ୍ସି ଜରିଆରେ ବିଦେଶ ପଠାଇ ଦିଅନ୍ତି।

ଫଳରେ ସେମାନଙ୍କୁ କୌଣସି ଟିକସ ଗଣିବାକୁ ପଡ଼େନାହିଁ। ସେମାନଙ୍କ କାରବାର ତଥ୍ୟ ମଧ୍ୟ କୌଣସି ସରକାରୀ ଏଜେନ୍ସି ପାଖରେ ପହଞ୍ଚେନାହିଁ। ଲୋକମାନଙ୍କ ବିଶ୍ବାସଭାଜନ ହେବା ପାଇଁ ଏହି ଆପ୍‌ଗୁଡ଼ିକ ଭାରତର କିଛି ପରିଚିତ ଅଣବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା ଓ ଡିଜିଟାଲ୍ ପେମେଣ୍ଟ୍‌ ସେବା ପ୍ରଦାନକାରୀମାନଙ୍କ ସହ ବୁଝାମଣା ସ୍ବାକ୍ଷର କରୁଥିଲେ। ନିକଟରେ କିଛି ସଂସ୍ଥା ଉପରେ ଚଢ଼ଉ କରାଯିବାରୁ ଏ ବିଷୟ ଜଣାପଡ଼ିଥିଲା। ବିଶେଷକରି ଚୀନ୍‌ରୁ ପୁଞ୍ଜି ହାସଲ କରିଥିବା ସଂସ୍ଥାଗୁଡ଼ିକ ଋଣ ଆପ୍‌ ସହିତ ବୁଝାମଣା କରିବାରେ ଆଗରେ ରହୁଥିଲେ। ଚୀନ୍‌ର ଏହି ବେଆଇନ ଋଣ ଆପ୍‌ଗୁଡ଼ିକ ସମ୍ପର୍କରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଅନ୍ୟାନ୍ୟ ତଦନ୍ତ ଏଜେନ୍ସି ତାହାକୁ ଗମ୍ଭୀରତାର ସହ ନେଇଥିଲେ। ମନି ଲଣ୍ଡରିଂରେ ଲିପ୍ତ ରହୁଥିବା ଏହି ଆପ୍‌ଗୁଡ଼ିକ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମଧ୍ୟ ଚଢ଼ଉ ଆରମ୍ଭ କରିଛି। ସେଥିରୁ ଜଣାପଡ଼ିଛି ଯେ କିଛି ଲୋକଙ୍କୁ ହାତ କରି ଏହି ଆପ୍‌ଗୁଡ଼ିକ ପ୍ରଥମେ ଜାଲ୍ କଂପାନି ଗଠନ କରୁଥିଲେ। ବିଦେଶର ବିଭିନ୍ନ ସ୍ଥାନ ବିଶେଷ କରି ହଂକଂ ଜରିଆରେ ସେହି କଂପାନିଗୁଡ଼ିକୁ ପାଣ୍ଠି ଦିଆଯାଉଥିଲା।‌ ରେଜରପେ’, ପେଟିଏମ୍ ଓ କ୍ୟାସ୍‌ଫ୍ରି ଉପରେ ଚଢ଼ଉ କରାଯିବାରୁ ଜଣାପଡ଼ିଥିଲା ଯେ ମର୍ଚାଣ୍ଟ୍‌ ଆଇଡି ଓ ଚୀନ୍ ସଂସ୍ଥାର ବ୍ୟାଙ୍କ ଖାତାରେ ବିପୁଳ ପରିମାଣର ଟଙ୍କା ଜମା ରଖାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବୈଠକରେ ଏ ପ୍ରସଙ୍ଗରେ ବ୍ୟାପକ ଆଲୋଚନା କରି ଆଇନସିଦ୍ଧ ଋଣ ଆପ୍‌ର ତାଲିକା ଜାରି କରିବାକୁ ରିଜର୍ଭ ବ୍ୟାଙ୍କକୁ କହିଛନ୍ତି।

୨୦୦୦ରୁ ୨୦,୦୦୦ ଟଙ୍କାର ଋଣ ଦେଉଥିଲେ
ରିଜର୍ଭ ବ୍ୟାଙ୍କ ପକ୍ଷରୁ ବେଆଇନ ଋଣ ଆପ୍‌ଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ଲାଗି ଉଦ୍ୟମ କରାଯାଉଥିଲେ ମଧ୍ୟ ଏହି ସଂସ୍ଥାଗୁଡ଼ିକ ଅଳ୍ପ କାଗଜପତ୍ର କାମ ଜରିଆରେ ଗ୍ରାହକ ପିଛା ୨୦୦୦ ଟଙ୍କାରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ଜାରି ରଖିଛନ୍ତି। କେବଳ ଆଧାର କାର୍ଡ, ପାନ୍ କାର୍ଡ ଓ ଫଟୋ ଅପ୍‌ଲୋଡ୍ କରିବା ପରେ ପରେ ଗ୍ରାହକଙ୍କ ପାଖକୁ ଏକ ୱାନ୍ ଟାଇମ୍ ପାସ୍‌ୱାର୍ଡ (ଓଟିପି) ଆସୁଛି। ତାହା ଦାଖଲ କରିବା ପରେ ବ୍ୟାଙ୍କ ଖାତାରେ ଋଣ ଟଙ୍କା ଜମା ହେଉଛି। ତେବେ ବେଆଇନ୍ ଋଣ ଆପ୍‌କୁ ଫୋନ୍‌ରେ ଇନଷ୍ଟଲ୍‌ କରିବା ବେଳେ ଗ୍ରାହକମାନେ ବହୁ ଅନୁମତି ଦେଉଛନ୍ତି ଯାହା ଜରିଆରେ ସେମାନଙ୍କ ଅନେକ ସମ୍ବେଦନଶୀଳ ତଥ୍ୟ କଂପାନି ପାଖରେ ପହଞ୍ଚିଯାଉଛି। ତାହାକୁ ବ୍ୟବହାର କରି ଲୋକମାନଙ୍କୁ ଅସହ୍ୟ ଯନ୍ତ୍ରଣା ଦିଆଯାଉଛି ଓ ଶୋଷଣ କରାଯାଉଛି। ଗ୍ରାହକମାନଙ୍କୁ କଲ୍ କରିବା ଲାଗି ଦେଶର ବିଭିନ୍ନ ପ୍ରାନ୍ତରେ କଲ୍‌ ସେଣ୍ଟର୍‌ ରହିଛି। ସେଠାରେ କାମ କରୁଥିବା ଲୋକମାନଙ୍କୁ ଲକ୍ଷ୍ୟ ହାସଲ କରିବା ଲାଗି ଲୋଭନୀୟ ପ୍ରୋତ୍ସାହନ ଦିଆଯାଉଛି। ସେଥିପାଇଁ ସେମାନେ ଯଥା ସମ୍ଭବ ଗ୍ରାହକଙ୍କୁ ହଇରାଣ କରି ଟଙ୍କା ଅସୁଲ କରିବାକୁ ଉଦ୍ୟମ କରୁଛନ୍ତି।

୩୬୫% ଭଳି ଉଚ୍ଚ ସୁଧ
ପୁଲିସ କହିବାନୁଯାୟୀ, ବେଆଇନ ଋଣ ଆପ୍‌କୁ ବିଭିନ୍ନ ଅନୁମତି ଦେବା ବେଳେ ସେଥିରେ ଥିବା ସର୍ତ୍ତକୁ ଗ୍ରାହକମାନେ ଦେଖୁନାହାନ୍ତି। ଋଣ ଆଣିବା ବେଳେ ୧୫-୨୫% ଟଙ୍କା ପ୍ରୋସେସିଂ ଫି’ ଭାବେ କଟିଯାଉଛି। ଏହା ବାଦ ବାର୍ଷିକ ୧୮୨ରୁ ୩୬୫ ପ୍ରତିଶତ ଉଚ୍ଚ ହାରରେ ସୁଧ ଅସୁଲ କରାଯାଉଛି। ଋଣ ଖିଲାପକାରୀଙ୍କ ଉପରେ ମୋଟା ଅଙ୍କର ଜରିମାନା ମଧ୍ୟ ଲାଗୁ କରାଯାଉଛି। ଏହି ପ୍ରକ୍ରିୟାରେ ଯେତେ ଟଙ୍କା ଅସୁଲ ହେଉଛି ତାହାର ସିଂହଭାଗ ଚୀନ୍‌ ସଂସ୍ଥା ଖାତାକୁ ଯାଉଛି। ସେମାନେ ଭାରତରେ ଯେଉଁ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି)କୁ ହାତ କରି ଏହି କାମ କରୁଛନ୍ତି ସେମାନଙ୍କୁ ମାତ୍ର ୦.୨୦%ରୁ ୦.୫୦% ରାଶି ମିଳୁଛି। ଅଧିକାଂଶ ଋଣ ଆପ୍‌ ନିଜ ନାମକୁ ବାରମ୍ବାର ବଳଦାଇ କାରବାର କରୁଛନ୍ତି। କିନ୍ତୁ ଅସୁଲ ହେଉଥିବା ଟଙ୍କା ସେହି ଗୋଟିଏ କଂପାନି ପାଖକୁ ଯାଉଛି। ଆପଲ୍‌ର ଆପ୍ ଷ୍ଟୋର୍‌ ସୁରକ୍ଷା ବ୍ୟବସ୍ଥା‌ କଡ଼ାକଡ଼ି ଥିବାରୁ ‌ବେଆଇନ ଆପ୍‌ଗୁଡ଼ିକ ସେଠାକୁ ନଯାଇ ହୁଗୁଳା ସୁରକ୍ଷା ବ୍ୟବସ୍ଥା ଥିବା ଗୁଗୁଲ୍ ପ୍ଲେ ଷ୍ଟୋର୍‌କୁ ବ୍ୟବହାର କରୁଛନ୍ତି। ‌ସେଥିପାଇଁ ଆଣ୍ଡ୍ରଏଡ୍‌ ଫୋନ୍ ବ୍ୟବହାର କରୁଥିବା ଲୋକମାନେ ସେମାନଙ୍କ ଶିକାର ହେଉଛନ୍ତି।

୨,୫୬୨ ଅଭିଯୋଗ
ବେଆଇନ ଋଣ ଆପ୍‌ ଲୋକଙ୍କୁ ଠକିବାରେ ସଫଳ ହେବା ପଛର କାରଣ ହେଉଛି ଅଧିକାଂଶ ଲୋକଙ୍କ ହାତରେ ଇଣ୍ଟରନେଟ୍ ସଂଯୋଗ ଥିବା ସ୍ମାର୍ଟଫୋନ୍ ପହଞ୍ଚିଥିବା। ଦେଶରେ ୧୧୫ କୋଟିରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ୍‌ ସଂଯୋଗ ଥିବା ବ‌େଳେ ୭୭ କୋଟି ଲୋକ ଇଣ୍ଟରନେଟ୍ ଓ ୭୨ କୋଟି ଲୋକ ବ୍ରଡ୍‌ବ୍ୟାଣ୍ଡ୍‌ ବ୍ୟବହାର କରୁଛନ୍ତି। ଋଣ ଆପ୍‌ଗୁଡ଼ିକୁ ବ୍ୟବହାର କରିବା ଲାଗି ସେମ‌ାନେ ଫୋନ୍‌ର କ୍ୟାମେରା, ସ୍ଥାନ, କଣ୍ଟାକ୍ଟ, ଫୋନ୍ କଲ୍ କରିବା ଏବଂ ଅଡିଓ ରେକର୍ଡିଂ କରିବା ଅନୁମତି ଦେବାକୁ ପଡ଼ୁଛି। ୨୦୨୦ ଜାନୁଆରିରୁ ୨୦୨୧ ମାର୍ଚ୍ଚ ଭିତରେ ଏହି ଆପ୍‌ଗୁଡ଼ିକ ବିରୋଧରେ ରିଜର୍ଭ ବ୍ୟାଙ୍କ ପାଖରେ ୨୫୬୨ ଅଭିଯୋଗ ପହଞ୍ଚିଥିଲା। କର୍ଣ୍ଣାଟକରୁ ୩୯୪, ମହାରାଷ୍ଟ୍ରରୁ ୫୭୨, ଦିଲ୍ଲୀରୁ ୩୫୨, ହରିୟାଣାରୁ ୩୧୪, ତେଲେଙ୍ଗାନାରୁ ୧୮୪, ଆନ୍ଧ୍ରପ୍ରଦେଶରୁ ୧୪୪, ପଶ୍ଚିମବଙ୍ଗରୁ ୧୩୮ ଓ ଉତ୍ତରପ୍ରଦେଶ ୧୪୨ ଅଭିଯୋଗ ଆସିଥିଲା।

୬୦୦ ବେଆଇନ ଋଣ ଆପ୍
ଋଣ ଜାଲରେ ଲୋକଙ୍କୁ ଫସାଉଥିବା ପ୍ରମୁଖ ସଂସ୍ଥାଗୁଡ଼ିକ ମଧ୍ୟରେ ଥିବା ଆପ୍‌ଗୁଡ଼ିକର ନାମ ହେଉଛି ରେଜ୍ କ୍ୟାସ୍, ରୁପି ମାଷ୍ଟର, ପିପି ମନି, ମୋବିପକେଟ୍‌, କ୍ୟାସ୍‌ ରେ, ପାପା ମନି, ଇନ୍‌ଫିନିଟି କ୍ୟାସ୍, କ୍ରେଡିଟ୍ ମ୍ୟାଙ୍ଗୋ, କ୍ରେଡିଟ୍ ମାର୍ଭେଲ୍‌, ସିବି ଲୋନ୍, କ୍ୟାସ୍ ଆଡଭାନ୍ସ, ଏଚ୍‌ଡିବି ଲୋନ୍, କ୍ୟାସ୍ ଟ୍ରି, ର ଲୋନ୍, ଅଣ୍ଡର ପ୍ରୋସେସ୍‌, ମିନିଟ୍ କ୍ୟାସ୍, କ୍ୟାସ୍ ଲାଇଟ୍, କ୍ୟାସ୍ ଫିସ୍, ଏଚ୍‌ଡି କ୍ରେଡିଟ୍, ରୁପିଜ୍ ଲ୍ୟାଣ୍ଡ୍‌, କ୍ୟାସ୍‌ ରୁମ୍, ରୁପି ଲୋନ୍ ଓ ୱେଲ୍ କ୍ରେଡିଟ୍। ଏହି ଆପ୍‌ଗୁଡ଼ିକର କାରନାମା ବିଷୟରେ ଜଣାପଡ଼ିବା ପରେ ରିଜର୍ଭ ବ୍ୟାଙ୍କ ଓ ଅନ୍ୟାନ୍ୟ ତଦନ୍ତ ଏଜେନ୍ସି ଚାପ ପ୍ର‌ୟୋଗ କରିବା ଯୋଗୁଁ ଚଳିତ ବର୍ଷ ଜାନୁଆରି ପରଠାରୁ ଗୁଗୁଲ୍ ଏହାର ପ୍ଲେ ଷ୍ଟୋର୍‌ରୁ ୨୦୦୦ ବେଆଇନ୍ ଋଣ ଆପ୍‌କୁ ହଟାଇଛି। ରିଜର୍ଭ ବ୍ୟାଙ୍କ ୱାର୍କିଂ ଗ୍ରୁପ୍ ମତରେ ଭାରତରେ ୬୦୦ ବେଆଇନ ଋଣ ଆପ୍ ରହିଛି। ଏଭଳି ୧୧୦୦ ଭାରତୀୟ ଆପ୍‌ ରହିଛି ଯେଉଁଥିରେ ତତ୍କାଳ ଋଣ ଭଳି ଶବ୍ଦ ବ୍ୟବହାର କରାଯାଇଛି। ୮୧ ଆପ୍‌ ଷ୍ଟୋରରୁ ଆଣ୍ଡ୍ରଏଡ୍‌ ବ୍ୟବହାରକାରୀମାନେ ସେହି ଆପ୍‌ଗୁଡ଼ିକୁ ଡାଉନ୍‌ଲୋଡ୍‌ କରିଛନ୍ତି।

୨୩ ଜଣ ଗିରଫ
ଚୀନ୍ ସଂସ୍ଥା ସହ ସମ୍ପର୍କ ଥିବା ଋଣ ଆପ୍ ମାମଲାରେ ଦିଲ୍ଲୀ ପୁଲିସ ଦୁଇ ମାସରେ ୨୩ ଜଣ ଲୋକଙ୍କୁ ଗିରଫ କରିଛି। ହୱାଲା ମାଧ୍ୟମରେ ପ୍ରାୟ ୫୦୦ କୋଟି ଟଙ୍କା ଏହି ଆପ୍‌ଗୁଡ଼ିକ ଚୀନ୍‌କୁ ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର