ନୂଆଦିଲ୍ଲୀ,: ଏମ୍ଡିଏଚ୍ ମସଲା କମ୍ପାନି ମାଲିକ ଧରମପାଲ ଗୁଲାଟିଙ୍କର ଆଜି ୯୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ମସଲାର ରାଜା ଧରମପାଲ ଗୁଲାଟି କମ୍ପାନି ମହଲରେ ‘ମହାଶୟ’ ଏବଂ ‘ଦାଦାଜୀ’ ଭାବେ ଜଣାଶୁଣା। ଅସୁସ୍ଥତା ଯୋଗୁଁ ଗତ କିଛି ସପ୍ତାହ ଧରି ସେ ମାତା ଚନନ୍ ଦେବୀ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିଲା। ଗତବର୍ଷ ଧରମପାଲଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ସବୁବେଳେ ଲାଲ୍ ପଗଡ଼ି ସାଙ୍ଗକୁ ମୋତି ହାର ପିନ୍ଧନ୍ତି। ସେ ବିଶ୍ବର ସବୁଠୁ ବୟସ୍କ ସିଇଓ ଥିଲେ। ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଧରମପାଲ୍ ନିଜର ଚମତ୍କାର ବ୍ୟବସାୟ ପରିଚାଳନା କଳା ଯୋଗୁଁ ଦେଶର ମସଲା ସମ୍ରାଟ ଭାବେ ଉଭା ହୋଇଥିଲେ। ତାଙ୍କ ଜୀବନ ଯାତ୍ରା କୌଣସି କାହାଣୀଠାରୁ କିଛି କମ୍ ନୁହେଁ। ଏମ୍ଡିଏଚ୍ ମସଲାର ଟିଭି ବିଜ୍ଞାପନ ଜରିଆରେ ସେ ଦେଶର ଘରେ ଘରେ ପରିଚିତ ହୋଇଥିଲେ। ଧରମପାଲ ୧୯୨୩ ମସିହାରେ ଅବିଭକ୍ତ ଭାରତ ତଥା ବର୍ତ୍ତମାନର ପାକିସ୍ତାନ ସ୍ଥିତ ସିୟାଲକୋଟରେ ଜନ୍ମ ହୋଇଥିଲେ। ସେଠାରେ ତାଙ୍କ ବାପା ଚୁନ୍ନି ଲାଲ ଗୁଲାଟି ‘ମହାଶିୟାନ୍ ଦି ହଟ୍ଟି’ (ଏମ୍ଡିଏଚ୍) ନାମରେ ଏକ ଛୋଟ ମସଲା ଦୋକାନ କରି ବ୍ୟବସାୟ କରୁଥିଲେ। କିନ୍ତୁ ୧୯୪୭ ମସିହାରେ ଦେଶ ବିଭାଜନ ହେବା ପରେ ତାଙ୍କ ପରିବାର ପ୍ରଥମେ ଅମୃତସର ପଳାଇ ଆସିଥିଲା। ସେଠାରେ ସେମାନେ ଶରଣାର୍ଥୀ ଭାବେ ରହିଥିଲେ। ଏହାପରେ ସେମାନେ ଦିଲ୍ଲୀକୁ ପଳାଇ ଆସିଥିଲେ। ଦିଲ୍ଲୀ ଆସିବା ସମୟରେ ତାଙ୍କ ନିକଟରେ ମାତ୍ର ୧୫୦୦ ଟଙ୍କା ଥିଲା। ପ୍ରଥମେ ଧରମପାଲ ଜଣେ ଟାଙ୍ଗା ବା ଘୋଡ଼ା ଗାଡ଼ି ଟଣାଳି ଭାବେ କାମ ଆରମ୍ଭ କରିଥିଲେ। ୬୫୦ ଟଙ୍କା ଦେଇ ସେ ଘୋଡ଼ା ଗାଡ଼ି କିଣିଥିଲେ। କିଛିଦିନ ପରେ ତାଙ୍କ ନିକଟରେ ଅଧିକ ସମ୍ବଳ ହେବାରୁ ସେ କରୋଲ ବାଗ୍ର ଆଜମଲ ଖାନ୍ ରୋଡ୍ରେ ଏକ ଛୋଟ ମସଲା ଦୋକାନ ଖୋଲିଲେ। ବିଧିବଦ୍ଧ ଭାବେ ୧୯୫୯ ମସିହାରେ ତାଙ୍କ କମ୍ପାନି ଆରମ୍ଭ ହୋଇଥିଲା। କୀର୍ତ୍ତି ନଗରଠାରେ ଏକ କାରଖାନା ବସାଇବା ପାଇଁ ଏକ ଜମି କିଣିଥିଲେ। ଏହାପରେ ସେ ଆଉ କେବେ ପଛକୁ ଚାହିନାହାନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ବର : ଏମ୍ଡିଏଚ୍ ମସଲାର ମାଲିକଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ଭଳି ଅନେକ ବ୍ୟକ୍ତି ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୋକ ବାର୍ତାରେ ଲେଖିଛନ୍ତି ଯେ ଏମ୍ଡିଏଚ୍ ଦାଦାଜୀ ଭାବେ ପରିଚିତ ପଦ୍ମଶ୍ରୀ ଧର୍ମପାଲ ଗୁଲାଟିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଗଭୀର ଭାବେ ମର୍ମାହତ। ଭାରତୀୟ ଉଦ୍ୟମିତା ଯାତ୍ରାରେ ସେ ଉଜ୍ଜ୍ବଳ ଜ୍ୟୋତି ଥିଲେ ଯିଏ ଏମ୍ଡିଏଚ୍ ମସଲାକୁ ଏକ ପ୍ରମୁଖ ବ୍ରାଣ୍ଡ୍ରେ ପରିଣତ କରିଥିଲେ। ତାଙ୍କ ଦାତବ୍ୟ କାର୍ଯ୍ୟ ପାଇଁ ସେ ମନେ ରହିବେ। ଓମ୍ ଶାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/4564dg65dgjgjjdggjdgjgj.jpg)