କେନ୍ଦ୍ର କ୍ୟାବିନେଟ୍‌ ନିଷ୍ପତ୍ତି: ପିଏସ୍‌ୟୁ କର୍ତ୍ତୃପକ୍ଷଙ୍କ କ୍ଷମତା ବଢ଼ିଲା, ପୁଞ୍ଜି ପ୍ରତ୍ୟାହାର, ସଂସ୍ଥା ବନ୍ଦ ନିଷ୍ପତ୍ତି ନେଇପାରିବେ

ବାୟୋଫୁଏଲ୍‌ ନୀତିରେ ସଂଶୋଧନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବା ସିପିଏସ୍‌ୟୁଗୁଡ଼ିକର ପରିଚାଳନା ବୋର୍ଡକୁ କେନ୍ଦ୍ର ସରକାର ଆଜି ଅଧିକ କ୍ଷମତା ପ୍ରଦାନ କରିଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି କ୍ୟାବିନେଟ୍ କମିଟିରେ ଅନୁମୋଦନ ପ୍ରଦାନ କରାଯାଇଛି। କଂପାନିରୁ ପୁଞ୍ଜି ପ୍ରତ୍ୟାହାର କରିବା, ‌କୌଣସି ସହଯୋଗୀ ସଂସ୍ଥା ବା ୟୁନିଟ୍‌କୁ ବନ୍ଦ କରିବା, ଯୌଥ ଉଦ୍ୟୋଗରେ ଥିବା ପୁଞ୍ଜିକୁ ବିକ୍ରି କରିବା ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ବୋର୍ଡ ଦେଇପାରିବେ। ମହାରତ୍ନ, ନବରତ୍ନ ଓ ମିନିରତ୍ନ ବର୍ଗରେ ଥିବା ସଂସ୍ଥାଗୁଡ଼ିକୁ ଇକ୍ବିଟି ନିବେଶ କରିବା, ଆର୍ଥିକ ଯୌଥ ଉଦ୍ୟୋଗ ସ୍ଥାପନ କରିବା, ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ଗଠନ କରିବା, ମିଶ୍ରଣ ଓ ଅଧିଗ୍ରହଣରେ ଭାଗ ନେବା ପାଇଁ କେତେକ ସର୍ତ୍ତ ସହ କ୍ଷମତା ପ୍ରଦାନ କରାଯାଇଛି। ମହାରତ୍ନ କଂପାନିଗୁଡ଼ିକ ସେମାନଙ୍କ ସହଯୋଗୀ ସଂସ୍ଥାରୁ ସ୍ବଳ୍ପ ପରିମାଣର ପୁଞ୍ଜିପ୍ରତ୍ୟାହାର ନିଷ୍ପତ୍ତି ନେଇପାରିବେ। ପିଏସ୍‌ୟୁଗୁଡ଼ିକର ବ୍ୟବସାୟ ପରିଚାଳନାରେ ସଂସ୍କାର ଆଣିବା ଲାଗି ଏହି କ୍ଷମତା ପ୍ରଦାନ କରାଯାଇଛି। ନିଷ୍ପତ୍ତି ଗ୍ରହଣ କରିବା ଓ ଠିକ୍ ସମୟରେ ସହଯୋଗୀ ସଂସ୍ଥାରୁ ବାହାରି ଆସିବା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେବାରେ ସେମାନଙ୍କୁ ସ୍ବାଧୀନତା ପ୍ରଦାନ କରାଯାଇଛି। ଏହା ଦ୍ବାରା ସେମାନେ ପୁଞ୍ଜିନିବେଶରୁ ଲାଭ ପାଇପାରିବେ ଓ ଠିକ୍ ସମୟରେ କ୍ଷତି ସହୁଥିବା ବା ଦକ୍ଷତା‌ ଅନୁସାରେ ପ୍ରଦର୍ଶନ କରିପାରୁନଥିବା ସହଯୋଗୀ ସଂସ୍ଥାକୁ ବନ୍ଦ କରିପାରିବେ।

ବାୟୋଫୁଏଲ୍‌ ନୀତିରେ ସଂଶୋଧନ
ନୂଆଦିଲ୍ଲୀ: ବାୟୋଫୁଏଲ୍‌ ନୀତିରେ ଅଣାଯାଇଥିବା ସଂଶୋଧନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ପେଟ୍ରୋଲ୍‌ରେ ୨୦% ଇଥାନଲ୍‌ ମିଶ୍ରଣ ଲାଗି ଯେଉଁ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା ତାହାକୁ ୫ ବର୍ଷ ଆଗୁଆ କରିଦିଆଯାଇଛି। ୨୦୨୫-୨୬ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବା ଲାଗି ନୂତନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଦେଶର ଶକ୍ତି ଆବଶ୍ୟକତା ପୂରଣ କରିବା ଲାଗି ଆମଦାନି ଉପରେ ରହିଥିବା ନିର୍ଭରଶୀଳତାକୁ କମ୍ କରିବା ପାଇଁ ଇଥାନଲ୍‌ ମିଶ୍ରଣ ଲକ୍ଷ୍ୟ ଆଗୁଆ ହାସଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ପେଟ୍ରୋଲ୍‌ରେ ୧୦% ଇଥାନଲ୍ ମିଶାଯାଉଛି। ୨୦୩୦ ସୁଦ୍ଧା ତାହାକୁ ୨୦% ପର୍ଯ୍ୟନ୍ତ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଥିଲା। ସେହି ଲକ୍ଷ୍ୟକୁ ୫ ବର୍ଷ ଆଗୁଆ କରିଦିଆଯାଇଛି। ବାୟୋ ଫୁଏଲ୍‌ ରପ୍ତାନି ଲାଗି ଅନୁମତି ଦିଆଯାଇଥିବା ବେଳେ ଏସ୍‌ଇଜେଡ୍‌ଗୁଡ଼ିକରେ ବାୟୋଫୁଏଲ୍ ୟୁନିଟ୍ ସ୍ଥାପନ କରିବା ଲାଗି ମଧ୍ୟ ଅନୁମତି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର