ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି: ଅନୁଗୁଳ ଆଲୁମିନିୟମ୍ ପାର୍କ ପାଇଁ ୪୨୮.୯୫ କୋଟି

ଲ୍ୟାଣ୍ଡ୍‌ ବ୍ୟାଙ୍କ ସୃଷ୍ଟି ପାଇଁ ଇଡ୍‌କୋକୁ ସହାୟତା, ଟାଟା ପାୱାରର ଜମି ଲ୍ୟାଣ୍ଡ୍‌ ବ୍ୟାଙ୍କକୁ ଆସିବ

ଭୁବନେଶ୍ବର: ଅନୁଗୁଳର ମେଗା ଆଲୁମିନିୟମ୍ ପାର୍କର ବିକାଶ ପାଇଁ ରାଜ୍ୟ ସରକାର ୪୨୮.୯୫ କୋଟି ଟଙ୍କାର ଆର୍ଥିକ ସହାୟତା ଦେବେ। ପାର୍କ କାର୍ଯ୍ୟକୁ ତିନି ବର୍ଷରେ ଶେଷ କରାଯିବ। ଏହାକୁ ଧ୍ୟାନରେ ରଖି ଆଜି ନୂତନ ଯୋଜନା ‘ମେଗା ଆଲୁମିନିୟମ ପାର୍କ ଅନୁଗୁଳର ବିକାଶ ପାଇଁ ଆର୍ଥିକ ସହାୟତା’କୁ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ପ୍ରଦାନ କରାଯାଇଛି। ସହାୟତା ବାବଦ ଟଙ୍କା ଇଡ୍‌କୋକୁ ୨୦୨୧-୨୨ରୁ ୨୦୨୩-୨୪ ମଧ୍ୟରେ ପ୍ରଦାନ କରାଯିବ। ଇଡ୍‌କୋ ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ନୂତନ ପାର୍କର ବିକାଶ କାର୍ଯ୍ୟକୁ ଭିଜନ ୨୦୨୫ ଅନୁଯାୟୀ ଫୋକସ୍ କ୍ଷେତ୍ର ଅଧୀନ‌ରେ ରଖାଯାଇଛି ଓ ନିୟମିତ ଭାବେ ୫-ଟି ଫ୍ରେମ୍‌ୱର୍କ ଅଧୀନରେ ତାହାର ନିରୀକ୍ଷଣ କରାଯାଉଛି।

ଲ୍ୟାଣ୍ଡ୍‌ ବ୍ୟାଙ୍କ ସୃଷ୍ଟି ପାଇଁ ଇଡ୍‌କୋକୁ ସହାୟତା

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ଲ୍ୟାଣ୍ଡ୍‌ ବ୍ୟାଙ୍କ ଯୋଜନାକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ଯୋଜନା ଅଧୀନରେ ଇଡ୍‌କୋ ଜରିଆରେ ଏକ ଲକ୍ଷ ଏକର ଜମି ବିଶିଷ୍ଟ ଲ୍ୟାଣ୍ଡ୍‌ ବ୍ୟାଙ୍କ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ଯାହା ଦ୍ବାରା ରାଜ୍ୟରେ ବିଭିନ୍ନ ଧରଣର ଶିଳ୍ପ ୟୁନିଟ୍ ପ୍ରତିଷ୍ଠା ହୋଇପାରିବ ଯାହା ରାଜସ୍ବ ଓ ନିଯୁକ୍ତି ସୃଷ୍ଟିରେ ସହାୟକ ହେବ। ବୃହତ ଶିଳ୍ପ ପାଇଁ ପ୍ଲଗ୍‌-ଏନ୍‌-ପ୍ଲେ ସୁବିଧା ସହିତ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ ସରକାର ଇଡ୍‌କୋକୁ ଦାୟିତ୍ବ ଦେଇଛନ୍ତି। ଏହି ଯୋଜନାରେ ଶିଳ୍ପ ଅଭିବୃଦ୍ଧି ପାଇଁ ନିର୍ଦିଷ୍ଟ ସ୍ଥାନଗୁଡ଼ିକରେ ଘରୋଇ ଜମି ହାସଲ କରିବାକୁ ଇଡ୍‌କୋକୁ ସକ୍ଷମ କରିବ। ଲ୍ୟାଣ୍ଡ୍‌ ବ୍ୟାଙ୍କ ସ୍କିମ୍ ପାଇଁ ଇଡ୍‌କୋକୁ ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ପାଇଁ ୮୫୬ କୋଟି ଟଙ୍କାର ସହାୟତା ଦିଆଯିବ।

ଟାଟା ପାୱାରର ଜମି ଲ୍ୟାଣ୍ଡ୍‌ ବ୍ୟାଙ୍କକୁ ଆସିବ
ଭୁବନେଶ୍ବର: କଟକ ଜିଲ୍ଲାର ବାରଙ୍ଗ ତହସିଲରେ ଏକ ଥର୍ମାଲ୍‌ ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରିବା ଲାଗି ଟାଟା ପାୱାର କଂପାନି ଲିମିଟେଡ୍‌କୁ ଲିଜ୍‌ରେ ଦିଆଯାଇଥିବା ୮୭୧.୪୨୭ ଏକର ଜମିକୁ ଲ୍ୟାଣ୍ଡ୍‌ ବ୍ୟାଙ୍କକୁ ଆଣିବା ଲାଗି ଇଡ୍‌କୋ ଦେଇଥିବା ପ୍ରସ୍ତାବକୁ ଆଜି କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ନୂତନ ଶିଳ୍ପ ଓ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ଆକର୍ଷିତ କରିବା ଲାଗି ଇଡ୍‌କୋର ଲ୍ୟାଣ୍ଡ୍‌ ବ୍ୟାଙ୍କକୁ ବ୍ୟବହାର କରାଯିବ। ଏଥିପାଇଁ ଇଡ୍‌କୋକୁ ୬୨,୮୩,୪୮,୫୧୭ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର