ସଫଳତାର ଶୀର୍ଷ ଛୁଇଁବା‌ ପରେ ସୁନ୍ଦରୀମାନଙ୍କ କାରନାମା

ପୁରୁଷ ପ୍ରାଧାନ ସମାଜରେ ସବୁ ପ୍ରକାର ଆହ୍ବାନକୁ ସାମ୍ନା କରି ସଫଳତାର ଶିଖରରେ ପହଞ୍ଚିଥିବା ମହିଳାମାନଙ୍କୁ ପ୍ରେରଣାର ଉତ୍ସ ଭାବେ ବିଚାର କରାଯାଏ। ଆମ ଦେଶରେ ସେଭଳି ମହିଳାଙ୍କ ସଂଖ୍ୟା କିଛି କମ୍ ନୁହେଁ। ତେବେ କର୍ପୋରେଟ୍ ଜଗତରେ କିଛି ମହିଳା ସିଇଓ ଭଳି ଶକ୍ତିଶାଳୀ ତଥା ଶୀର୍ଷ ପଦରେ କାର୍ଯ୍ୟ କରିବା ଓ ପରବର୍ତ୍ତୀ ସମୟରେ ବେଆଇନ କାର୍ଯ୍ୟକଳାପ ପାଇଁ ଦୁର୍ନାମ ମଧ୍ୟ ଅର୍ଜନ କରିଛନ୍ତି। ନିଜର ବିଚକ୍ଷଣ ପ୍ରତିଭା ସହ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଏହି ମହିଳାମାନେ ଚର୍ଚ୍ଚାରେ ଥିଲେ। ଏ ସମ୍ପର୍କରେ ସ୍ବତନ୍ତ୍ର ଉପସ୍ଥାପନା:

ଚନ୍ଦା କୋଚ୍ଚର
ଚନ୍ଦା କୋଚ୍ଚର‌ ହେଉଛନ୍ତି ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ। ତାଙ୍କୁ ଆର୍ଥିକ ଜଗତର ସମସ୍ତ ପ୍ରମୁଖ ମଞ୍ଚରେ ଦେଖିବାକୁ ମିଳୁଥିଲା। ବହୁ ପ୍ରତିଷ୍ଠିତ ପୁରସ୍କାର ତାଙ୍କୁ ଦିଆଯାଇଛି। ଆର୍ଥିକ କ୍ଷେତ୍ରରେ ସେ ଥିଲେ ଅନ୍ୟତମ ଶକ୍ତିଶାଳୀ ମହିଳା। ସେ ନିଜ ସ୍ବାମୀ ଦୀପକ କୋଚ୍ଚରଙ୍କୁ ସାହାଯ୍ୟ କରିବା ଲାଗି ପଦର ଅପବ୍ୟବହାର କରିଥିଲେ। ଭିଡିଓକନ୍‌କୁ ଆଇସିଆଇସିଆଇ ବ୍ୟାଙ୍କ ଯେଉଁ ଋଣ ଦେଇଥିଲା ତାହା ପଛରେ ଚନ୍ଦାଙ୍କ ହାତ ଥିଲା। ସେହି ଋଣ ପରିଶୋଧ ନହେବାରୁ ଖୋଳତାଡ଼ ଆରମ୍ଭ ହେବା ପରେ ଚନ୍ଦାଙ୍କ ଭୂମିକା ସନ୍ଦେହକୁ ଆସିଥିଲା। ତାଙ୍କ ସ୍ବାମୀ ଦୀପକ ନ୍ୟୁପାୱାର ନାମରେ ଯେଉଁ ସଂସ୍ଥା ସ୍ଥାପନ କରିଥିଲେ ସେଥିରେ ଭିଡିଓକନ୍‌ର ମୁଖ୍ୟ ବେଣୁ ଗୋପାଳ ଧୁତ୍‌ ନିବେଶ କରିଥିଲେ। ସେଥିରୁ ସନ୍ଦେହ ସୃଷ୍ଟି ହୋଇଥିଲା। କୁହାଯାଉଛି ଯେ ନ୍ୟୁପାୱାରରେ ନିବେଶ କରିବା ଲାଗି ଚନ୍ଦା କିକ୍‌ବ୍ୟାକ୍ ନେଇଥିଲେ। ସେହି ସର୍ତ୍ତରେ ସେ ଭିଡିଓକନ୍‌କୁ ଋଣ ମଞ୍ଜୁର କରିଥିଲେ। ଯଦିଓ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଇସିଆଇସିଆଇ ବ୍ୟାଙ୍କ କର୍ତ୍ତୃପକ୍ଷ ଚନ୍ଦାଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ ମାତ୍ର ଚାପ ବଢ଼ିବା ପରେ ଚନ୍ଦାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।

ଶିଖା ଶର୍ମା
ଦେଶର ଅନ୍ୟତମ ପ୍ରମୁଖ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କର ସିଇଓ ଥିଲେ ଶିଖା ଶର୍ମା। ୨୦୦୯ରୁ ୨୦୧୮ ପର୍ଯ୍ୟନ୍ତ ସେ ସେହି ପଦରେ କାର୍ଯ୍ୟ କରିଥିଲେ। ଶିଖାଙ୍କ କାର୍ଯ୍ୟକାଳକୁ ବ୍ୟାଙ୍କ ବାରମ୍ବାର ବଢ଼ାଉଥିଲା। ୨୦୧୮ ଜୁନ୍‌ରେ ତାଙ୍କ କାର୍ଯ୍ୟକାଳକୁ ଆଉ ତିନି ବର୍ଷ ବୃଦ୍ଧି କରାଯିବା ପ୍ରସ୍ତାବକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଖୋଲାଖୋଲି ବିରୋଧ କରିଥିଲେ। ତାଙ୍କ ପ୍ରଦର୍ଶନକୁ ନେଇ ରିଜର୍ଭ ବ୍ୟାଙ୍କ ଆପତ୍ତି ଉଠାଇଥିଲେ। ତେଣୁ ବାଧ୍ୟ ହୋଇ ତାଙ୍କ କାର୍ଯ୍ୟକାଳକୁ ହ୍ରାସ କରିବାକୁ ପଡ଼ିଥିଲା। ଅନ‌ାଦେୟ ଋଣକୁ ଶିଖା ଯେଉଁ ଭାବେ ପରିଚାଳନା କରୁଥିଲେ ତାହାକୁ ନେଇ ରିଜର୍ଭ ବ୍ୟାଙ୍କ ସନ୍ତୁଷ୍ଟ ନଥିଲା। ଏନ୍‌ପିଏକୁ କମ୍ କରି ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇଥିଲା। ନିଜ କାର୍ଯ୍ୟକାଳ ଶେଷ ହେବାର ଦୁଇ ବର୍ଷ ପୂର୍ବରୁ ୨୦୧୮ ଡିସେମ୍ବର ୩୧ରେ ଶିଖା ଇସ୍ତଫା ଦେଇଥିଲେ।

Niira Radia

ନୀରା ରାଡିଆ
୨ଜି ଦୁର୍ନୀତିର ପର୍ଦାଫାସ ହେବା ପରେ ନୀରା ରାଡ଼ିଆ କେତେ ଶକ୍ତିଶାଳୀ ମହିଳା ଥିଲେ ତାହା ଜଣାପଡ଼ିଥିଲା। ସେ ହେଉଛନ୍ତି ଜଣେ କର୍ପୋରେଟ୍ ଲବିଷ୍ଟ୍‌। ବୈଷ୍ଣବୀ କର୍ପୋରେଟ୍ କମ୍ୟୁନିକେସନ ପ୍ରାଇଭେଟ୍ ଲିମିଟେଡ୍‌ ଭଳି ଦେଶର ବୃହତ ଲୋକ ସମ୍ପର୍କ ପରିଚାଳନା ସଂସ୍ଥା ସେ ସ୍ଥାପନ କରିଥିଲେ। ଟାଟା ଗ୍ରୁପ୍ ଅଧୀନରେ ଥିବା ସମସ୍ତ ୯୦ଟି କଂପାନିର ଲୋକ ସମ୍ପର୍କ କାର୍ଯ୍ୟର ସେ ଦେଖାଶୁଣା କରୁଥିଲେ। ସେ ଏତେ ଶକ୍ତିଶାଳୀ ଥିଲେ ଯେ ତାଙ୍କ କଥାରେ କେନ୍ଦ୍ରରେ କିଛି ନେତାଙ୍କୁ ମନ୍ତ୍ରୀ ପଦ ଦିଆଯାଉଥିଲା। ତାଙ୍କ ଟେଲିଫୋନ୍ ବାର୍ତାଳାପର ରେକର୍ଡିଂ ପ୍ରଘଟ ହେବା ପରେ ତାହା ଜଣାପଡ଼ିଥିଲା। ଏହି ମାମଲା ଏତେ ବଡ଼ ହୋଇଯାଇଥିଲା ଯେ ସେହି ସମୟରେ ଟେଲିକମ୍ ମନ୍ତ୍ରୀ ଥିବା ଏ ରାଜାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ନୀରା କର୍ପୋରେଟ୍ ଲବିଷ୍ଟ୍ ଭାବେ କାମ କରିବା ମଧ୍ୟ ବନ୍ଦ କରିଦେଇଥିଲେ। କେନିଆର ନାଇରୋବିରେ ୧୯୬୦ ନଭେମ୍ବର ୧୯ରେ ସେ ଜନ୍ମ ଗ୍ରହଣ କରିଥିଲେ ଓ ୧୯୮୧ରେ ଗୁଜରାଟ ବ୍ୟବସାୟୀ ଜନକ ରାଡ଼ିଆଙ୍କୁ ସେ ବିବାହ କରିଥିଲେ। କିଛି ଦିନ ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା। ସେ ଟ୍ରାଭେଲ୍‌ ଏଜେଣ୍ଟ୍‌ ଓ ବିମାନ ଚଳାଚଳ କ୍ଷେତ୍ର ପାଇଁ କନସଲ୍‌ଟାଣ୍ଟ୍‌ ଭାବେ କାର୍ଯ୍ୟ କରିବା‌‌ ପରେ ୨୦୦୦ ମସିହାରେ କ୍ରାଉନ୍ ଏୟାର ନାମରେ ନିଜର ଏକ ବିମାନ କଂପାନି ଆରମ୍ଭ କରିବାକୁ ଉଦ୍ୟମ କରିଥିଲେ।

ଚିତ୍ରା ରାମକୃଷ୍ଣ
୧୯୬୩ରେ ଜନ୍ମ ଗ୍ରହଣ କରିଥିବା ଚିତ୍ରା ରାମକୃଷ୍ଟ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ (ଏନ୍ଏସ୍‌ଇ)ର ପ୍ରଥମ ମହିଳା ହେବାର ସୌଭାଗ୍ୟ ପାଇଥିଲେ। ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ସେ ସେହି ପଦରେ କାର୍ଯ୍ୟ କରିଥିଲେ। ପୁଞ୍ଜି ବଜାର ଭଳି ଏକ ଜଟିଳ କ୍ଷେତ୍ରରେ ନିଜର ଦକ୍ଷତାକୁ ପ୍ରମାଣିତ କରିଥିଲେ। ଜଣେ ଚାଟାର୍ଡ ଆକାଉଣ୍ଟ୍‌ ଭାବେ ନିଜ ଯାତ୍ରା ଆରମ୍ଭ କରିଥିବା ଚିତ୍ରା ଆଇଡିବିଆଇ, ସେବି ଭଳି ସଂସ୍ଥାରେ କାମ କରିଥିଲେ। ଏନ୍‌ଏସ୍‌ଇ ସ୍ଥାପନ କରିବା ଲାଗି ଯେଉଁ ପାଞ୍ଚ ଜଣଙ୍କୁ ଚୟନ କରାଯାଇଥିଲା ସେଥିରୁ ଚିତ୍ରା ଥିଲେ ଅନ୍ୟତମ। ୨୦୧୩ ସୁଦ୍ଧା ସେ ଫୋର୍ବସ୍ ପତ୍ରିକା ବିଜନେସ୍ ଲିଡର୍‌ସିପ୍ ଆୱାର୍ଡସ୍‌ରେ ଓମ୍ୟାନ୍ ଅଫ୍ ଦି ଇୟର ପୁରସ୍କାର ପାଇଥିଲେ। ଏତେ ବଡ଼ ସଫଳତାର ଅଧିକାରିଣୀ ଥିବା ଚିତ୍ରା ଯେ ଜଣେ ଯୋଗୀଙ୍କ ହାତର କଣ୍ଢେଇ ଭଳି ନାଚି ପାରନ୍ତି ତାହା ଭାବିଲେ ବିଶ୍ବାସ ହେଉନାହିଁ। ନିକଟରେ ସେବି ଏହି ରହସ୍ୟକୁ ଖୋଲିଛି। ହିମାଳୟର ଜଣେ ଆଧ୍ୟାତ୍ମିକ ଯୋଗୀଙ୍କ କଥାରେ ଚିତ୍ରା ଉଠୁବସ ହେଉଥିଲେ। ତାଙ୍କ କଥାରେ ବଡ଼ ପଦପଦବୀରେ ଲୋକଙ୍କୁ ନିଯୁକ୍ତି ଦେଉଥିଲେ। ଚିତ୍ରାଙ୍କ କେଶ ବିନ୍ୟାସକୁ ଯୋଗୀ ଜଣକ ବହୁତ ଭଲ ପାଉଥିଲେ। ତାଙ୍କୁ ନେଇ ସେ ବିଦେଶ ଭ୍ରମଣ କରିବା ସହ ସମୁଦ୍ରରେ ଗାଧୋଇବା ଓ ବେଳାଭୂମିରେ ବିଶ୍ରାମ ନେବା ଭଳି ଯୋଜନା କରିଥିଲେ। ଯୋଗୀ ଜଣକ ଚିତ୍ରାଙ୍କୁ ଗୀତ ମଧ୍ୟ ପଠାଉଥିଲେ।

ସମ୍ବନ୍ଧିତ ଖବର