ମୁମ୍ବାଇ: ଲକ୍‌ଡାଉନ୍‌ର ଗୁରୁତର ପ୍ରଭାବକୁ ନେଇ ଚିନ୍ତାବ୍ୟକ୍ତ କରିଛି ଶିବ ସେନା। ଭବିଷ୍ୟତରେ ସବୁ ରାଜନୈତିକ ଦଳ ସାମ୍ପ୍ରଦାୟିକ ରାଜନୀତି ବନ୍ଦ କରିବା ସହିତ ଅର୍ଥନୀତିକୁ ପୂର୍ବସ୍ଥିତିକୁ ଫେରାଇବା ନିମନ୍ତେ ପ୍ରୟାସ କରିବା ଆବଶ୍ୟକ। ନିକଟରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍ ରାଜନ୍ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଦେଇଥିବା ସାକ୍ଷାତକାର ପ୍ରସଙ୍ଗକୁ ମଧ୍ୟ ଦଳ ଉଦାହରଣ ଦେଇଛି। ଏହି ସାକ୍ଷାତକାରରୁ ଅର୍ଥନୀତିର ସଂକଟ କେତେ ଗମ୍ଭୀର ତାହା ସ୍ପଷ୍ଟ ହୋଇଛି। ଲକ୍‌ଡାଉନ୍ ପରେ ‘ଗରିବ’ ସଂଜ୍ଞା ବଦଳିଯିବ। ମଧ୍ୟମ ଏବଂ ଉଚ୍ଚ ମଧ୍ୟମ ବର୍ଗର ଲୋକେ ଗରିବ ହୋଇଯିବେ। ଅର୍ଥନୈତିକ ପଛୁଆ ବର୍ଗର ପ୍ରମାଣପତ୍ର ‌ସେମାନେ ଦାବି କରିବେ। ଦେଶରେ ୧୦ କୋଟି ଲୋକ ଚାକିରି ହରାଇବେ ବୋଲି ରାଜନ୍ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଚିନ୍ତାର ବିଷୟ । ଲକଡାଉନ୍‌ ଅନିର୍ଦ୍ଦିଷ୍ଟ କାଳ ରହିଲେ ଅର୍ଥନୀତିକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ନିଷ୍ପତ୍ତି ନେବାର କ୍ଷମତା ସ୍ବଳ୍ପ ଲୋକଙ୍କ ନିକଟରେ ନରଖି ବିକେନ୍ଦ୍ରୀକରଣ କରିବା ପାଇଁ ଶିବ ସେନା ଏହି ପରିପ୍ରେକ୍ଷୀରେ କହିଛି।