ଡଲାର ସବଳ, ଟଙ୍କା ଦୁର୍ବଳ; ଆମଦାନି ପାଇଁ ଅଧିକ ଗଣିବାକୁ ପଡ଼ିବ

ବିଦେଶରେ ପାଠପଢ଼ା ମହଙ୍ଗା ହେବ

ମୁମ୍ବାଇ: କରୋନା ସଂକ୍ରମଣ ବଢ଼ିବା ସହିତ ଅର୍ଥନୀତି ପ୍ରତି ବିଭିନ୍ନ ଆଡ଼ୁ ବିପଦ ମାଡ଼ି ଆସିଲାଣି। ଅନିଶ୍ଚିତତାର ପରିବେଶ ସୃଷ୍ଟି ହୋଇଥିବାରୁ ଡଲାର ମହଙ୍ଗା ହୋଇଛି। ଏକ ଡଲାର କିଣିବା ଲାଗି ଗତକାଲି ୭୫ ଟଙ୍କା ୪୨ ପଇସା ଗଣିବାକୁ ପଡ଼ିଥିଲା। ଯେହେତୁ ଆମଦାନିଠାରୁ ଆରମ୍ଭ କରି ଅନେକ ଆର୍ଥିକ କାରବାର ଡଲାର ଜରିଆରେ ହେଉଛି ତେଣୁ ଏହା ମହଙ୍ଗା ହେବାର ଅର୍ଥ ଦେଶ ଭିତରେ ଅନେକ ସାମଗ୍ରୀର ଦର ବଢ଼ିବ। ବର୍ତ୍ତମାନ ସ୍ଥିତିରେ ଦରଦାମ୍ ବୃଦ୍ଧି ଅର୍ଥନୀତିରେ ହେଉଥିବା ସୁଧାରକୁ ସମ୍ପୂର୍ଣ୍ଣ ବେଲଗାମ କରିଦେଇପାରେ।

ବିଶ୍ବର ଉଦୀୟମାନ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତୀୟ ମୁଦ୍ରା (ଟଙ୍କା)ର ପ୍ରଦର୍ଶନ ସବୁଠୁ ଖରାପ ରହିଛି। ତିନି ସପ୍ତାହ ଭିତରେ ଏହାର ମୂଲ୍ୟ ୪.୨% ହ୍ରାସ ପାଇଛି। ଅର୍ଥାତ ଡଲାର କିଣିବା ଲାଗି ଏହି ତିନି ସପ୍ତାହରେ ଅଧିକ ମୂଲ୍ୟ ଦେବାକୁ ପଡ଼ିଛି। ଗତ ମାର୍ଚ୍ଚ ୨୨ରେ ଏକ ଡଲାରର ଦାମ୍ ୭୨ ଟଙ୍କା ୩୮ ପଇସା ଥିଲା। ମଙ୍ଗଳବାର ଦିନ ସେହି ମୂଲ୍ୟ ୭୫ ଟଙ୍କା ୪୨ ପଇସାରେ ପହଞ୍ଚିଯାଇଥିଲା। ଏହା‌ ହେଉଛି ବିଗତ ୯ ମାସରେ ଡଲାରର ସର୍ବୋ‌ଚ୍ଚ ମୂଲ୍ୟ। ଭାରତରେ ଦୈନିକ ସଂକ୍ରମଣ ୧ ଲକ୍ଷ ୬୦ ହଜାରରୁ ଅଧିକ ରହୁଥିବାରୁ ଅର୍ଥନୀତିର ଗତି ମନ୍ଥର ହେବା ଆଶଙ୍କା ସୃଷ୍ଟି ହୋଇଛି। ବିଭିନ୍ନ ରାଜ୍ୟ କଠୋର କର୍ଫ୍ୟୁ ଓ କଟକଣା ଲଗାଇବା ଆରମ୍ଭ କରିଛନ୍ତି। ଡଲାର ମହଙ୍ଗା ହେବାର ଆଉ ଏକ ବଡ଼ କାରଣ ହେଉଛି ଆମେରିକା। ଏହି ଦେଶର ଅର୍ଥନୈତିକ ଅଭିବୃଦ୍ଧି ଅଧିକ ରହିବ ବୋଲି ଆକଳନ କରାଯାଉଥିବାରୁ ଟଙ୍କା ମୂଲ୍ୟ ଉପରେ ତାହାର ପ୍ରଭାବ ପଡ଼ିଛି। ମୁଦ୍ରା ବିନିମୟ ବଜାର ଉପରେ ନଜର ରଖିଥିବା ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଅନିଶ୍ଚିତତା ଲାଗି ରହିଲେ ଆଗାମୀ କିଛି ଦିନ ଭିତରେ ଏକ ଡଲାରର ମୂଲ୍ୟ ୭୭-୭୮ ଟଙ୍କା ଭଳି ସ୍ତରରେ ପହଞ୍ଚିବ। ଡଲାରରେ ଯେଉଁମା‌ନେ କାରବାର କରୁଛନ୍ତି ସେମାନେ ଏହା ଦ୍ବାରା ପ୍ରଭାବିତ ହେ‌େବ। ଦେଶ ଭିତରେ ଗାଡ଼ି ଠାରୁ ଆରମ୍ଭ କରି ଏସି, ଫ୍ରିଜ୍, ୱାସିଂ ମେସିନ୍, କଞ୍ଜ୍ୟୁମର ଡ୍ୟୁରେବଲ୍ ଗୁଡସ୍‌ ଆଦି ବିଭିନ୍ନ ସାମଗ୍ରୀ ତିଆରି କରୁଥିବା ସଂସ୍ଥାଗୁଡ଼ିକ ଅନେକ କଞ୍ଚାମାଲ ଆମଦାନି କରିଥାନ୍ତି। ସେଥିପାଇଁ ସେମାନଙ୍କୁ ଡଲାରରେ ପେମେଣ୍ଟ୍‌ କରିବାକୁ ପଡ଼େ। ଡଲାର ମହଙ୍ଗା ହେଉଥିବାରୁ ଏହି ସବୁ କଂପାନିଗୁଡ଼ିକର ଆମଦାନି ଖର୍ଚ୍ଚ ବଢ଼ିବ। ଫଳରେ ସେମାନେ ବାଧ୍ୟ ହୋଇ ଉତ୍ପାଦନ କରୁଥିବା ସାମଗ୍ରୀର ଦାମ୍ ବଢ଼ାଇବେ ଯାହା ସାଧାରଣ ଖାଉଟିଙ୍କ ପାଇଁ ଶୁଭଙ୍କର ନୁହେଁ ବୋଲି ବିଚାର କରାଯାଉଛି। ଡଲାର ପ୍ରଚଳନରେ ଥିବା ଦେଶରେ ପିଲାଙ୍କୁ ପାଠ ପଢ଼ାଉଥିବା ଭାରତୀୟମାନଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ପଠାଇବାକୁ ପଡ଼ିବ।

ଭାରତୀୟ ରିଜର୍ଭ ବ୍ୟାଙ୍କର ବୈଦେଶିକ ମୁଦ୍ରା ଭଣ୍ଡାରରେ ବିପୁଳ ପରିମାଣର ଡଲାର ରହିଛି। ଯେତେବେଳେ ଡଲାର ତୁଳନାରେ ଟଙ୍କା ଅତ୍ୟନ୍ତ ଦୁର୍ବଳ ହୋଇପଡ଼େ ସେହି ସମୟରେ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରି ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିଥାଏ। ଏହା ନିଜ ଭଣ୍ଡାରରେ ଥିବା ଡଲାର ଆଣି ଏକ ନିର୍ଦିଷ୍ଟ ଦାମ୍‌ରେ ବିକ୍ରି କରିଥାଏ। ଫଳରେ ବ୍ୟାଙ୍କ କିମ୍ବା ଆମଦାନିକାରୀମାନଙ୍କୁ ବଜାରରୁ ଅଧିକ ଦାମ୍‌ରେ ଡଲାର କିଣିବାକୁ ପଡ଼େନାହିଁ। ଏଭଳି ପଦକ୍ଷେପ ନେଇ ଡଲାର ମୂଲ୍ୟକୁ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣରେ ରଖିଥାଏ। ଏଥର ରିଜର୍ଭ ବ୍ୟାଙ୍କ କିଭଳି ପଦକ୍ଷେପ ଗ୍ରହଣ କରିବ ତାହାକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର