ଭୁବନେଶ୍ବର: ଟ୍ୟାପ୍ରୁ ଲୋକମାନେ ସିଧାସଳଖ ପାନୀୟ ଉପଯୋଗୀ ପାଣି ପାଇବେ। ସେହି ଉଦ୍ଦେଶ୍ୟ ରଖି ପୁରୀ ସହରରୁ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନା ଆରମ୍ଭ ହୋଇଥିଲା। ବଡ଼ଦାଣ୍ଡରେ ସେଭଳି ଟ୍ୟାପ୍ ସ୍ଥାପନ କରାଯାଇଥିଲା। କିନ୍ତୁ ତାହା ଠିକ୍ ଭାବେ କାମ କରୁନଥିବା ନେଇ ଭକ୍ତ ଓ ପର୍ଯ୍ୟଟକମାନେ ଅଭିଯୋଗ କରିଥିଲେ। ଏହି ଯୋଜନାରେ ରହିଥିବା ତ୍ରୁଟିବିଚ୍ୟୁତିକୁ ଧରିବା ଲାଗି ତାହାର ଅଡିଟ୍ କରିବା ଉପରେ ବିଚାର କରାଯାଉଛି। ଏଜି କାର୍ଯ୍ୟାଳୟ ପକ୍ଷରୁ ପାଳନ କରାଯାଉଥିବା ଜାତୀୟ ଅଡିଟ୍ ସପ୍ତାହର ଏକ କାର୍ଯ୍ୟକ୍ରମରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି। ଏପରିକି ଏହି ଯୋଜନାର ଅଡିଟ୍ କରିବା ଉପରେ ବିଚାର କରାଯିବ ବୋଲି ଅଧିକାରୀମାନେ ରୋକ୍ଠୋକ୍ ଶୁଣାଇଥିଲେ। ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନା ବିଷୟରେ ଅଡିଟ୍ ଅଧିକାରୀମାନଙ୍କ ପ୍ରଶ୍ନ ଉପରେ ଅଧିକାରୀମାନେ ଏପରି ଉତ୍ତର ଦେଇଥିଲେ।
ବର୍ଷାଦିନେ ଭୁବନେଶ୍ବରରେ ଦେଖାଦେଉଥିବା କୃତ୍ରିମ ବନ୍ୟାକୁ ନେଇ ମଧ୍ୟ କାର୍ଯ୍ୟକ୍ରମରେ ଚିନ୍ତା ପ୍ରକଟ କରାଯାଇଥିଲା। ସହରରେ ଡ୍ରେନେଜ୍ ବ୍ୟବସ୍ଥାର ଅଡିଟ୍ କରିବା ଲାଗି ମଧ୍ୟ ମତ ପ୍ରକାଶ ପାଇଥିଲା। ଉଲ୍ଲେଖଥାଉକି, ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ହେଉଛି ରାଜ୍ୟ ସରକାରଙ୍କ ଏକ ଯୋଜନା ଯାହାକୁ ୱାଟ୍କୋ କାର୍ଯ୍ୟକାରୀ କରୁଛି। ଭାରତର ପ୍ରଥମ ସହର ଭାବେ ପୁରୀରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବା ପରେ ଗୋପାଳପୁର, ବ୍ରହ୍ମପୁର ଓ ବୀରମିତ୍ରପୁର ସହରରେ ତାହା ଲାଗୁ କରାଯାଇଥିଲା। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ୧୮ଟି ସହରରେ ଏହି ଯୋଜନାରେ ହେଉଥିବା କାମ ଶେଷ ହେବ। ରାଜ୍ୟର ୧୧୫ଟି ପୌରାଞ୍ଚଳରେ ଲୋକମାନଙ୍କୁ ଟ୍ୟାପ୍ରେ ପାନୀୟ ଜଳ ଯୋଗାଇଦେବା ଲାଗି ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୧୦୯ଟି ପୌରାଞ୍ଚଳରେ ପାଇପ୍ ନେଟ୍ୱର୍କ ସ୍ଥାପନ ହୋଇସାରିଛି। ପାଇପ୍ ଜରିଆରେ ପାଣି ସଂଯୋଗ ପ୍ରଦାନ କରାଯାଇଥିବା ଘର ସଂଖ୍ୟା ୩ ଲକ୍ଷରୁ ବୃଦ୍ଧି ପାଇ ୯.୯୭ ଲକ୍ଷ ହୋଇଛି।
ଆଜି ପ୍ରଧାନ ମହାଲେଖାକାର ରାଜକୁମାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଅର୍ଥ ବିଭାଗର ନିର୍ଦ୍ଦେଶକ ସତ୍ୟ ପ୍ରକାଶ ରଥ, ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ସଞ୍ଜୟ କୁମାର ପରମାଣିକ, ଅର୍ଥ ପରାମର୍ଶଦାତା ଶିଖା ବିଶ୍ବାଳ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀ ରଥ କହିଥିଲେ ଯେ ଓଡ଼ିଶା ହେଉଛି ଦେଶରେ ପ୍ରଥମ ରାଜ୍ୟ ଯାହା ଜଳବାୟୁ ପରିବର୍ତ୍ତନ ଲାଗି ସ୍ବତନ୍ତ୍ର ବଜେଟ୍ ଉପସ୍ଥାପନ କରିଛି। ୨୦୨୩-୨୩ରେ ଏଥିପାଇଁ ୨୧୮୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେଥିରୁ ପୁନଃ ବନୀକରଣ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ୧୦୨୭ କୋଟି ଟଙ୍କା, ସବୁଜ ମହାନଦୀ ମିସନ ପାଇଁ ୫୩ କୋଟି ଟଙ୍କା, ଜଙ୍ଗଲ ଉନ୍ନୟନ ଯୋଜନା (ଜିସା) ପାଇଁ ୫୦ କୋଟି ଟଙ୍କା, ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ୭୦ କୋଟି ଟଙ୍କା, ଆମ ଜଙ୍ଗଲ ଯୋଜନା ପାଇଁ ୧୬ କୋଟି ଟଙ୍କା ଓ ଇକୋ ଟୁରିଜିମ ପାଇଁ ୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ସେ କହିଛନ୍ତି।
ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପରମାଣିକ ଜାଗା ମିସନ, ବିଜୁ ଆଦର୍ଶ କଲୋନି, ୱାଟ୍କୋ ପ୍ରକଳ୍ପ ଉପରେ ଆଲୋଚନା କରିଥିଳେ। ଓଡ଼ିଶାର ୫ଟି ମହାନଗର ନିଗମରେ ମାର୍ଚ୍ଚ ମାସ ସୁଦ୍ଧା ୨୪ ଘଣ୍ଟିଆ ଟ୍ୟାପ୍ରୁ ପିଇବା ପାଣି ଉପଲବ୍ଧ ହେବ ବୋଲି ସେ କହିଥିଲେ l ଡିସେମ୍ବର ସୁଦ୍ଧା ବ୍ରହ୍ମପୁର, କଟକ, ରାଉରକେଲାରେ ଏବଂ ମାର୍ଚ୍ଚ ସୁଦ୍ଧା ଭୁବନେଶ୍ବରରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନା ଶତ ପ୍ରତିଶତ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଏହି ଅବସରରେ ଅର୍ଥ ପରାମର୍ଶଦାତା ଶ୍ରୀମତୀ ବିଶ୍ୱାଳ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତ), ଆମ ସହର ଆପ୍ ସମ୍ପର୍କରେ ଆଲୋକପାତ କରିଥିଲେ। ଉପ ମହାଲେଖାକାର ସଚିନ କ୍ରିଷ୍ଣା କୌଶିକ, ବରିଷ୍ଠ ଉପ ମହାଲେଖାକାର ଦୀପକ ରଘୁ, ଶ୍ରୀରାଜ ଅଶୋକ, ବରିଷ୍ଠ ଲେଖା ଅଧିକାରୀ ଶ୍ରୀମନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ।