ଅର୍ଥନୀତିରେ ହ୍ରାସ ଅତ୍ୟନ୍ତ ଚିନ୍ତାଜନକ: ରାଜନ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଅର୍ଥନୈତିକ ଅଭିବୃଦ୍ଧିରେ ଘଟିଥିବା ୨୩.୯ ପ୍ରତିଶତ ହ୍ରାସକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ତତନ ଗଭର୍ଣ୍ଣର ରଘୁରାମ ରାଜନ। ପ୍ରଶାସନିକ କଳ ଏବେ ନିଜ ସନ୍ତୋଷଜନକ ସ୍ଥିତିରୁ ବାହାରକୁ ଆସି ଅର୍ଥପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ହେବ। ଅର୍ଥନୀତିରେ ଯେଉଁଭଳି ହ୍ରାସ ଘଟିଛି ତାହାକୁ ନେଇ ଆମେ ସମସ୍ତେ ଚିନ୍ତା କରିବା ଦାରକାର ବୋଲି ସେ କହିଛନ୍ତି। କରୋନା ଦ୍ବାରା ଗୁରୁତର ଭାବେ ପ୍ରଭାବିତ ଦୁଇ ଦେଶ ଆମେରିକାର ୯.୫ ପ୍ରତିଶତ ଓ ଇଟାଲିର ୧୨.୪ ପ୍ରତିଶତ ହ୍ରାସ ତୁଳନାରେ ଭାରତୀୟ ଅର୍ଥନୀତିରେ ହୋଇଥିବା ୨୩.୯ ପ୍ରତିଶତ ହ୍ରାସ ବହୁତ ଅଧିକ। ଅଣ ସଂଗଠିତ କ୍ଷେତ୍ରର କ୍ଷତି ଆକଳନ ହେବା ପରେ ଏହି କ୍ଷତି ବହୁତ ଅଧିକ ହେବ ବୋଲି ରାଜନ ‌ଜଣାଇଛନ୍ତି। ବର୍ତ୍ତମାନ ଚିକାଗୋ ବିଶ୍ବବିଦ୍ୟାଳୟରେ ପାଠ ପଢ଼ାଉଥିବା ରାଜନ ଲିଙ୍କଡ୍‌ଇନ୍‌ର ଏକ ପୋଷ୍ଟରେ ଲେଖିଛନ୍ତି ଯେ ଭାରତରେ ଏବେବି କରୋନା ଦ୍ରୁତ ଗତିରେ ବ୍ୟାପୁଛି। ତେଣୁ ଭିଡ଼ ହେବାର ସମ୍ଭାବନା ଥିବା କ୍ଷେତ୍ର ଯଥା ରେସ୍ତୋରାଁଗୁଡ଼ିକୁ ବନ୍ଦ ରଖିବା ଦରକାର। ଭବିଷ୍ୟତରେ ସ୍ଥିତି ଭଲ ହେଲେ ବ୍ୟୟ ବଢ଼ାଇବେ ବୋଲି ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। ସେଭଳି ଭାବନା ଅର୍ଥନୀତି ପାଇଁ ଅଧିକ କ୍ଷତିକାରକ ସାବ୍ୟସ୍ତ ହେବ। ବ୍ରାଜିଲ ସରକାର ଆଗୁଆ ବହୁତ ବ୍ୟୟ କରିବାରୁ ସେଠାକାାର ଅର୍ଥନୀତି ଅପେକ୍ଷାକୃତ କମ୍ ପ୍ରଭାବିତ ହୋଇଛି ବୋଲି ରାଜନ ଜଣାଇଛନ୍ତି।

ଅର୍ଥନୀତିକୁ ଏକ ରୋଗୀ ଭାବେ ବିଚାର କରିବାକୁ ‌ରାଜନ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଜଣେଙ୍କୁ ରୋଗ ସହ ଲଢ଼େଇ କରିବା ପାଇଁ ସହାୟତା ଦିଆଯିବା ଦରକାର। ସରକାରଙ୍କ ତରଫରୁ ସହାୟତା ମିଳୁନଥିବାରୁ ଲୋକମାନେ ଭୋଜନ ପରିତ୍ୟାଗ କରୁଛନ୍ତି, ନିଜ ପିଲାମାନଙ୍କ ସ୍କୁଲ ପାଠପଢ଼ା ବନ୍ଦ କରୁଛନ୍ତି ଏବଂ ସେମାନଙ୍କୁ ଭିକ ମାଗିବା କିମ୍ବା କାମ କରିବାକୁ ପଠାଉଛନ୍ତି। ସୁନା ବନ୍ଧକ ରଖି ଋଣ ଆଣୁଛନ୍ତି, ଇଏମ୍‌ଆଇ ଦେଇପାରୁନାହାନ୍ତି ଏବଂ ଭଡ଼ା ମଧ୍ୟ ଦେବାକୁ ସଂଘର୍ଷ କରୁଛନ୍ତି। ଯଦି ଅର୍ଥନୈତିକ ପ୍ରୋତ୍ସାହନ ପ୍ୟ‌ାକେଜ୍‌କୁ ଟନିକ୍ ଭାବେ ବିଚାର କରାଯିବ ତେବେ ରୋଗ ଥିବା ବେଳେ ତାହା ଅଧିକ ଦରକାର। ତାହାକୁ ଗ୍ରହଣ କଲେ ରୋଗ ଶୀଘ୍ର ଭଲ ହୋଇଯିବ। ମାତ୍ର ଭଲ ହୋଇଯିବା ପରେ ଟନିକ୍ ଖୁଆଇଲେ ତାହାର ବିଶେଷ ଲାଭ ମିଳିବ ନାହିଁ ବୋଲି ରାଜନ ଜଣାଇଛନ୍ତି। ରାଜନ କହିଛନ୍ତି, ଭାରତ ତୁଳନାରେ ବିଶ୍ବର ଅନ୍ୟ ଦେଶଗୁଡ଼ିକରେ ଶୀଘ୍ର ସୁଧାର ହେବ। ତେଣୁ ରପ୍ତାନି ଜରିଆରେ ନିଜ ଅର୍ଥନୀତିର ସୁଧାର ଆଣିବା ଲାଗି ଭାରତ ପାଖରେ ସୁଯୋଗ ରହିଛି। ବିନା କୌଣସି ଚିନ୍ତାରେ ସରକାର ଅଧିକ ଋଣ କରିବା ଦରକାର ବୋଲି ସେ କହିଛନ୍ତି। ଷ୍ଟକ ବଜାରରେ ସ୍ଥିତି ଭଲ ଥିବା ବେଳେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସେୟାର ବିକ୍ରି କରିବା ଲାଗି ଉଦ୍ୟମ ହେବା ଦରକାର। ଅନେକ ସରକାରୀ ସଂସ୍ଥାର ସହରାଞ୍ଚଳର ପ୍ରମୁଖ ସ୍ଥାନଗୁଡ଼ିକରେ ଜମି ରହିଛି। ସେଗୁଡ଼ିକୁ ମଧ୍ୟ ବିକ୍ରି କରି ସମ୍ବଳ ଯୋଗାଡ଼ କରାଯାଇପାରିବ। ଗ୍ରାମୀଣ ଅର୍ଥନୀତିରୁ ସମସ୍ୟା ଦୂର କରିବାରେ ମନରେଗା ଫଳପ୍ରଦ ସାବ୍ୟସ୍ତ ହୋଇଛି। ଯେତେବେଳେ ଦରକାର ଏହି ସ୍କିମ୍‌କୁ ବ୍ୟବହାର କରାଯିବା ଉଚିତ ବୋଲି ରାଜନ କହିଛନ୍ତି।

ସମ୍ବନ୍ଧିତ ଖବର