ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ। ଅର୍ଥନୈତିକ ସର୍ଭେରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଦେଶର ଜିଡିପି ଅଭିବୃଦ୍ଧି ପାଖାପାଖି ୯ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରାଯାଇ ପାରେ। କରୋନା ମହାମାରୀ ପ୍ରଭାବରୁ ଅର୍ଥନୀତିର ସ୍ଥିତି ସୁଧୁରୁଛି। ଅର୍ଥନୈତିକ ସର୍ଭେରେ ଅର୍ଥମନ୍ତ୍ରୀ ଦେଶର ଅର୍ଥନୀତି ସଂପର୍କରେ କିଛିଟା ଗୋଲାପି ଚିତ୍ର ବା ସକାରାତ୍ମକ ଦୃଶ୍ୟପଟର ଅବତାରଣା କରିପାରନ୍ତି। ତେଣୁ ବଜେଟ୍ ପୂର୍ବରୁ ଅର୍ଥନୈତକ ସର୍ଭେ ଲୋକଙ୍କ ମନରେ କିଛିଟା ଆଶା ସଂଚାର କରିବା ସମ୍ଭାବନା ରହିଛି।
ସଂସଦରେ ଅର୍ଥମନ୍ତ୍ରୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିସାରିବା ପରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ଥ ନାଗେଶ୍ବରନ୍ ଅପରାହ୍ଣ ୩ଟା ୪୫ରେ ସାମ୍ବାଦିକ ସମ୍ମିଳନୀ କରିବେ।
ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପଦବି ଗତ ଡିସେମ୍ବର ପରଠାରୁ ଖାଲି ପଡ଼ିଥିଲା। ଗତ ଶୁକ୍ରବାର ସରକାର ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ଭି ଅନନ୍ଥ ନାଗେଶ୍ବରନ୍ଙ୍କଚ ନିଯୁକ୍ତି ଦେଇଛନ୍ତି। ତେଣୁ ସଂସଦରେ ଅର୍ଥନୈତିକ ସର୍ଭେର ଦୁଇଟି ସଂଖ୍ୟା ପରିବର୍ତ୍ତେ ଗୋଟିଏ ସଂଖ୍ୟା ଚଳିତବର୍ଷ ଉପସ୍ଥାପନ ହୋଇପାରେ।
ନିକଟରେ ବିଶ୍ବ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦେଶର ଅଭିବୃଦ୍ଧି ୮.୭ ପ୍ରତିଶତ ରହିବା ସମ୍ଭାବନା ରହିଛି। ତେବେ ଗତବର୍ଷ ଜାନୁଆରିରେ ପ୍ରକାଶ ପାଇଥିବା ଅର୍ଥନୈତିକ ସର୍ଭେ ୨୦୨୦-୨୧ ରିପୋର୍ଟରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ହାର ୧୧ ପ୍ରତିଶତ ରହିବା ନେଇ ଆକଳନ କରାଯାଇଥିଲା।
ମୋଦୀ ସରକାରଙ୍କ ପ୍ରଥମ ଅର୍ଥନୈତିକ ସର୍ଭେ ରିପୋର୍ଟ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ଦ୍ବାରା ଉପସ୍ଥାପିତ ହୋଇଥିଲା। ସେହି ରିପୋର୍ଟ ବରିଷ୍ଠ ଅର୍ଥନୈତିକ ଉପଦେଷ୍ଟା ଇଲା ପଟ୍ଟନାୟକଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିଲା। କାରଣ ରଘୁରାମ ରାଜନଙ୍କୁ ସରକାର ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରେ ନିଯୁକ୍ତି ଦେବା ଫଳରେ ମୁଖ୍ୟ ଅର୍ଥନୈତକ ଉପଦେଷ୍ଟା ପଦବି ଖାଲି ପଡ଼ିଥିଲା। ତାହା ପରେ ଅରବିନ୍ଦ ସୁବ୍ରମଣ୍ୟନ୍ ୨୦୧୪ ଅକ୍ଟୋବରରେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ହୋଇଥିଲେ। ତାଙ୍କ ପରେ କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍ ଏହି ପଦ ସମ୍ଭାଳିଥିବାବେଳେ ନିକଟରେ ଭିଏ ନାଗେଶ୍ବରନ୍ ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି।
କାହିଁକି ଗୁରୁତ୍ବପୂର୍ଣ୍ଣ?
ବିତିଯାଇଥିବା ଆର୍ଥିକ ବର୍ଷର ଆର୍ଥିକ ବିକାଶ ସଂପର୍କରେ ଏଥିରେ ବିଶ୍ଳେଷଣ କରାଯାଇଥାଏ। ପରିସଂଖ୍ୟାନ ସହିତ ଶିଳ୍ପ, କୃଷି, ନିଯୁକ୍ତି, ଦରଦାମ, ରପ୍ତାନି ଆଦି କ୍ଷେତ୍ର ସଂପର୍କରେ ଉଲ୍ଲେଖ କରାଯାଇଥାଏ। ବଜେଟରେ ଦେଶର କେଉଁସବୁ କ୍ଷେତ୍ରକୁ ଅଗ୍ରାଧିକାର ମିଳିବ ତାହାର ଆଭାସ ମଧ୍ୟ ଏଥିରୁ ମିଳିଥାଏ।
ସର୍ଭେ ରିପୋର୍ଟ କ’ଣ?
ଅର୍ଥନୀତିର ବାର୍ଷିକ ରିପୋର୍ଟ କାର୍ଡ ହେଉଛି ଅର୍ଥନୈତିକ ସର୍ଭେ। ପ୍ରତ୍ୟେକ କ୍ଷେତ୍ରର ଅଗ୍ରଗତି ସଂପର୍କରେ ଏଥିରେ ସମୀକ୍ଷା କରାଯିବା ସହିତ ଭବିଷ୍ୟତ ପାଇଁ କି ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ସେ ନେଇ ପରାମର୍ଶ ଦିଆଯାଇଥାଏ। ୧୯୬୪ ମସିହାରୁ ବଜେଟ୍ଠାରୁ ଅର୍ଥନୈତିକ ସର୍ଭେକୁ ଅଲଗା କରାଯାଇଛି। ପ୍ରତ୍ୟେକ ସର୍ଭେର ଏକ ମୁଖ୍ୟ ପ୍ରସଙ୍ଗ ରହିଥାଏ। ଗତବର୍ଷର ମୁଖ୍ୟପ୍ରସଙ୍ଗ ଜୀବନ ଓ ଜୀବିକା ରହିଥିଲା। ୨୦୧୭-୧୮ ଆର୍ଥିକ ବର୍ଷ ସର୍ଭେର ମୁଖ୍ୟ ପ୍ରସଙ୍ଗ ମହିଳା ସଶକ୍ତୀକରଣ ରହିଥିଲା। ସେଥିପାଇଁ ଅର୍ଥନୈତିକ ସର୍ଭେର ରଙ୍ଗ ଗୋଲାପି ରହିଥିଲା। ଏହା ସାଧାରଣତଃ ଦୁଇଟି ଭାଗରେ ଆସିଥାଏ। ପ୍ରଥମ ଭାଗରେ ଦେଶ ସମ୍ମୁଖୀନ ହେଉଥିବା ଅର୍ଥନୈତିକ ଆହ୍ବାନଗୁଡ଼ିକୁ ଏବଂ ଦ୍ବିତୀୟ ଭାଗରେ ବିତି ଯାଇଥିବା ବର୍ଷର ଆର୍ଥିକ ସ୍ଥିତି ସଂପର୍କରେ ବିଶ୍ଳେଷଣ କରାଯାଇଥାଏ।
କିଏ ପ୍ରସ୍ତୁତ କରିଥାନ୍ତି?
ଅର୍ଥ ମନ୍ତ୍ରାଳୟ ଅଧୀନ ଅର୍ଥନୈତିକ ବ୍ୟାପାର ବିଭାଗ ଅନ୍ତର୍ଗତ ଅର୍ଥନୀତି ଶାଖା ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ଏହାର ପ୍ରସ୍ତୁତି ପାଇଁ ମୁଖ୍ୟ ଅର୍ଥନୈତକ ପରାମର୍ଶଦାତା ଦିଗ୍ଦର୍ଶନ ଦେଇଥାନ୍ତି। ନିକଟରେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ପଦ ପୂରଣ କରାଯାଇଛି। ତେଣୁ ଚଳିତବର୍ଷର ସର୍ଭେ ପ୍ରମୁଖ ଅର୍ଥନୈତିକ ଉପଦେଷ୍ଟାଙ୍କ ନେତୃତ୍ବରେ ପ୍ରସ୍ତୁତ କରାଯାଇଛି।