ଟ୍ରାକ୍‌କୁ ଫେରିଲା ଅର୍ଥନୀତି: ୨୦୨୧-୨୨ରେ ଜିଡିପି ଅଭିବୃଦ୍ଧି ୮.୭%

ଚତୁର୍ଥ ତ୍ରୟମାସରେ ଅଭିବୃଦ୍ଧି ୪.୧%, ମୁଣ୍ଡପିଛା ଆୟ ୧.୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: କରୋନା ମହାମାରୀରେ ଧରାଶାୟୀ ହୋଇଥିବା ଭାରତୀୟ ଅର୍ଥନୀତିରେ ସୁଧାର ଘଟିଛି। ତାହା ଟ୍ରାକ୍‌କୁ ଫେରିଛି। କୃଷି ସମେତ ବିଭିନ୍ନ କ୍ଷେତ୍ରର ପ୍ରଦର୍ଶନ ଉତ୍ସାହଜନକ ରହିବାରୁ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୮.୭% ହୋଇଛି। ଫଳରେ ଦେଶର ଅର୍ଥନୀତି କରୋନା ମହାମାରୀର ପୂର୍ବସ୍ଥିତିକୁ ଫେରିଛି। ୨୦୨୦-୨୧ ଅଭିବୃଦ୍ଧି ହାର ୬.୬% ଥିଲା। ତେବେ ଉଦ୍‌ବେଗର ବିଷୟ ହେଲା ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ଅଭିବୃଦ୍ଧି ମାତ୍ର ୪.୧% ରହିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ଆଜି ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ୮.୯ ପ୍ରତିଶତ ରହିବ ବୋଲି ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ଏବଂ ୯. ୫ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଯେଉଁ ପୂର୍ବାନୁମାନ କରିଥିଲେ ତାହା ଭୁଲ ପ୍ରମାଣିତ ହୋଇଛି।

୨୦୨୧-୨୨ରେ ଜିଡିପି ଅଭିବୃଦ୍ଧି ୮.୭%
 ଚତୁର୍ଥ ତ୍ରୟମାସରେ ଅଭିବୃଦ୍ଧି ୪.୧%
ମୁଣ୍ଡପିଛା ଆୟ ୧.୫ ଲକ୍ଷ ଟଙ୍କା
ଭାରତ ୨୩୬.୬୫ ଲକ୍ଷ କୋଟିର ଅର୍ଥନୀତି

୨୦୨୧-୨୨ର ପ୍ରଥମ ତ୍ରୈମାସିକ ଅଭିବୃଦ୍ଧି ୨୦.୧%, ଦ୍ବିତୀୟରେ ୮.୪%, ତୃତୀୟରେ ୫.୪% ଓ ଚତୁର୍ଥରେ ୪.୧% ରହିଛି। ପୂର୍ବ ସିରିଜ୍ ତଥ୍ୟ ଅନୁସାରେ ୨୦୨୧-୨୨ର ୮.୭% ଅଭିବୃଦ୍ଧି ହାର ବିଗତ ୨୨ ବର୍ଷରେ ସର୍ବାଧିକ ବୋଲି କୁହାଯାଉଛି। ଭାରତୀୟଙ୍କ ମୁଣ୍ଡପିଛା ଆୟ ୨୦୨୦-୨୧ର ୧,୨୬,୮୫୫ ଟଙ୍କା ତୁଳନାରେ ୧୮.୩% ବୃଦ୍ଧି ପାଇ ୧.୫ ଲକ୍ଷ ଟଙ୍କା ହୋଇଛି। ବର୍ତ୍ତମାନ ମୂଲ୍ୟରେ ଏହି ମୁଣ୍ଡପିଛା ଆୟ ଆକଳନ କରାଯାଇଛି। କିନ୍ତୁ, ୨୦୧୧-୧୨ ମୂଲ୍ୟ ଅନୁସାରେରେ ମୁଣ୍ଡପିଛା ଆୟ ୯୧,୪୮୧ ଟଙ୍କା ରହିଛି ଯାହା କରୋନା ମହାମାରୀ ‌ବ୍ୟାପିବାର ପୂର୍ବବର୍ଷ (୨୦୧୯-୨୦)ର ୯୪,୨୭୦ ଟଙ୍କା ତୁଳନାରେ କମ୍। ଏହି ମୂଲ୍ୟ ଅନୁସାରେ ମୁଣ୍ଡପିଛା ଆୟରେ ଆଶାନୁରୂପ ସୁଧାର ହୋଇନଥିବା କୁହାଯାଉଛି। ୨୦୨୦-୨୧ରେ ମୁଣ୍ଡପିଛା ଆୟ ୮୫,୧୧୦ ଟଙ୍କା ରହିଥିଲା। ବର୍ତ୍ତମାନ ମୂଲ୍ୟରେ ଜିଡିପି ୨୩୬.୬୫ ଲକ୍ଷ କୋଟି ଟଙ୍କା ଛୁଇଁଛି। ୨୦୨୦-୨୧ରେ ଏହା ୧୯୮.୦୧ ଲକ୍ଷ କୋଟି ଟଙ୍କା ଥିଲା। ତେବେ ୨୦୧୧-୧୨ ଆର୍ଥିକ ବର୍ଷର ମୂଲ୍ୟରେ ଦେଶର ବାସ୍ତବ ଜିଡିପି ୧୪୭.୩୬ କୋଟି ଟଙ୍କା ରହିଛି। ୨୦୨୦-୨୧ର ସଂଶୋଧିତ ଆକଳନରେ ଭାରତର ବାସ୍ତବ ଜିଡିପି ୧୩୫.୫୮ ଲକ୍ଷ କୋଟି ଟଙ୍କା ରହିଥିଲା।

୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ମୂଲ୍ୟ ଯୋଗ (ଜିଭିଏ) ଅନୁସାରେ କୃଷି ଅଭିବୃଦ୍ଧି ୩%, ଖଣି ଓ ଖନନ ୧୧.୫%, ମାନୁଫାକ୍‌ଚରିଂ ୯.୯%; ବିଦ୍ୟୁତ, ଗ୍ୟାସ, ଜଳ ଯୋଗାଣ ଓ ଅନ୍ୟାନ୍ୟ ୟୁଟିଲିଟି ସେବା ୭.୫%; ନିର୍ମାଣ ୧୧.୫%; ହୋଟେଲ୍‌, ବାଣିଜ୍ୟ, ପରିବହନ, ଯୋଗାଯୋଗ ଓ ପ୍ରସାରଣ ୧୧.୧%; ଆର୍ଥିକ ସେବା, ରିଅଲ ଇଷ୍ଟେଟ୍‌ ଓ ପେସାଦାର ସେବା ୪.୨% ଏବଂ ସାଧାରଣ ପ୍ରଶାସନ, ପ୍ରତିରକ୍ଷା ଓ ଅନ୍ୟାନ୍ୟ ସେବା କ୍ଷେତ୍ରର ଅଭିବୃଦ୍ଧି ୧୨.୬% ରହିଛି। ପ୍ରାୟ ସବୁ କ୍ଷେତ୍ରରେ ୨୦୨୦-୨୧ ତୁଳନାରେ ସୁଧାର ଘଟିଛି।

ସମ୍ବନ୍ଧିତ ଖବର