ପୁଣି ମୁଣ୍ଡବିନ୍ଧା ଦେଲାଣି ଅର୍ଥନୀତି: ଜିଡିପି ଅଭିବୃଦ୍ଧି ଦ୍ବିତୀୟ ତ୍ରୟମାସରେ ୬.୩%କୁ ଖସିଲା

ପ୍ରଥମ ତ୍ରୟମାସରେ ଥିଲା ୧୩.୫%

ନୂଆଦିଲ୍ଲୀ: ଭାରତର ଅର୍ଥନୀତି ତଳମୁହାଁ ହୋଇଛି। ଚଳିତ ଆର୍ଥିକବର୍ଷ ୨୦୨୨-୨୩ର ଦ୍ବିତୀୟ ତ୍ରୟମାସ ଅର୍ଥାତ୍ ଜୁଲାଇ-ସେପ୍ଟେମ୍ବରରେ ଭାରତର ଜିଡିପି ଅଭିବୃଦ୍ଧି ୬.୩ ପ୍ରତିଶତକୁ ହ୍ରାସ ପାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୧୩.୫ ପ୍ରତିଶତ ରହିଥିଲା। ଅଭିବୃଦ୍ଧି ହାର ଅଧାରୁ ଅଧିକ କମିଯିବା ଚିନ୍ତାର କାରଣ ପାଲଟିଛି। ବିଶେଷକରି ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ବିଶ୍ବରେ ମାନ୍ଦାବସ୍ଥାର ଆଶଙ୍କା ଦେଖାଦେଇଥିବାରୁ ଭାରତର ଜିଡିପି ଅଭିବୃଦ୍ଧି ହ୍ରାସ ମୁଣ୍ଡବିନ୍ଧାର କାରଣ ହୋଇଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ଆଜି ପ୍ରକାଶିତ ତଥ୍ୟରୁ ଜଣାଯାଇଛି,
ଗତ ଆର୍ଥିକ ବର୍ଷ ୨୦୨୧-୨୨ର ଦ୍ବିତୀୟ ତ୍ରୟମାସରେ ଭାରତର ଜିଡିପି ଅଭିବୃଦ୍ଧି ୮.୪ ପ୍ରତିଶତ ରହିଥିଲା।

ଚଳିତବର୍ଷର ଦ୍ବିତୀୟ ତ୍ରୟମାସରେ ଭାରତର କୃଷି କ୍ଷେତ୍ରର ଅଭିବୃଦ୍ଧି ଅପେକ୍ଷାକୃତ ଭାବେ ଭଲ ଅର୍ଥାତ୍ ୪.୬ ପ୍ରତିଶତ ରହିଛି। ଗତ ବର୍ଷର ଉକ୍ତ ସମୟରେ ଏହା ୩.୨ ପ୍ରତିଶତ ରହିଥିଲା। ଅନ୍ୟପକ୍ଷରେ ମାନୁଫାକଚରିଂ କ୍ଷେତ୍ରର ଅଭିବୃଦ୍ଧି ଦ୍ବିତୀୟ ତ୍ରୟମାସରେ ୪.୩ ପ୍ରତିଶତ ସଂକୁଚିତ ହୋଇଛି। ଗତ ବର୍ଷର ଉପରୋକ୍ତ ସମୟରେ ଏହା ୫.୬ ପ୍ରତିଶତ ରହିଥିଲା। ବିଶ୍ବର ବିଭିନ୍ନ ଦେଶରେ ଦରଦାମ ଉଚ୍ଚସ୍ତରରେ ରହିଛି। ଦରଦାମ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ହାର ବୃଦ୍ଧି କରୁଛନ୍ତି। ଅଭିବୃଦ୍ଧି ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ୁଛି। ଗତ ସପ୍ତାହରେ ଅର୍ଥମନ୍ତ୍ରାଳୟ କହିଥିଲା ଯେ ବିଶ୍ବରେ ମାନ୍ଦାବସ୍ଥା ପାଇଁ ଭାରତର ରପ୍ତାନି ପ୍ରଭାବିତ ହୋଇପାରେ।

ସମ୍ବନ୍ଧିତ ଖବର