ଅର୍ଥନୀତିର ପର୍ଯ୍ୟାୟକ୍ରମେ ସୁଧାର ହେବ, ପଦ‌କ୍ଷେପ ନେବା ପ୍ରତିଶ୍ରୁତି ‌ଦେଲେ ଶକ୍ତିକାନ୍ତ

ନୂଆଦିଲ୍ଲୀ: ବଜାରରେ ନଗଦ ରାଶିର ସ୍ଥିତି ଓ ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ନକାରାତ୍ମକ ଖବର ସବୁ ପ୍ରକାଶ ପାଉଥିବା ବେଳେ ଶିଳ୍ପ ଜଗତକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଅର୍ଥନୀତି ପାଇଁ ଆବଶ୍ୟକ ହେଉଥିବା ସବୁ ପ୍ରକାର ପଦକ୍ଷେପ ଗ୍ରହଣ ରିଜର୍ଭ ବ୍ୟାଙ୍କ କରିବ ବୋଲି ସେ କହିଛନ୍ତି। ଶିଳ୍ପ ସଂଘ ଫିକି ପକ୍ଷରୁ ଆୟୋଜିତ ଏକ ଭର୍ଚୁଆଲ୍‌ ସମ୍ମିଳନୀରେ ଅଂଶଗ୍ରହଣ କରି ସେ କହିଛନ୍ତି ଯେ ସରକାର ଜାରି କରିଥିବା ଅଭିବୃଦ୍ଧି ତଥ୍ୟରୁ ଏହା ଜଣାପଡ଼ୁଛି ଯେ ଅର୍ଥନୀତି ଉପରେ କରୋନାର ଗଭୀର ପ୍ରଭାବ ପଡ଼ିିଛି। ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ଭାଗରେ ଅର୍ଥନୈତିକ କାର୍ଯ୍ୟକଳାପରେ ସ୍ଥିରତା ଫେରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ପର୍ଯ୍ୟାୟକ୍ରମେ ସୁଧାର ହେବ ବୋଲି ଶକ୍ତିକାନ୍ତ କହିଛନ୍ତି। କୃଷି କ୍ଷେତ୍ରର ସ୍ଥିତି ଭଲ ରହିଥିବା ବେଳେ କେତେକ କ୍ଷେତ୍ରରେ ସ୍ଥିରତା ଫେରୁଥିବା ସଙ୍କେତ ମିଳୁଛି।

ପର୍ଯ୍ୟଟନ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିପୁଳ ସୁଯୋଗ ରହିଛି। ମାତ୍ର ଦେଶରେ ସଂକ୍ରମଣ ମାତ୍ରା ବୃଦ୍ଧି ପାଉଥିବାରୁ ଅର୍ଥନୀତିରେ ବିଭିନ୍ନ ପର୍ଯ୍ୟାୟରେ ସୁଧାର ହୋଇପାରେ ବୋଲି ସେ କହିଛନ୍ତି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍-ଜୁନ୍ ତିନି ମାସରେ ଦେଶର ଅଭିବୃଦ୍ଧି ହାର ୨୩.୯ ପ୍ରତିଶତ ହ୍ରାସ ପାଇଛି ଯାହା ଜି୨୦ ରାଷ୍ଟ୍ରଗୁଡ଼ିକ ଭିତରେ ସର୍ବାଧିକ। ଗତ ମାର୍ଚ୍ଚ ୨୫‌ରେ ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯିବା ପରେ ଅର୍ଥନୈତିକ କାର୍ଯ୍ୟକଳାପ ଗୁରୁତର ପ୍ରଭାବିତ ହୋଇଥିଲା। ସେ କହିଛନ୍ତି, କିଛି ବର୍ଷ ପୂର୍ବେ ଆର୍ଥିକ ବଜାରରେ ଯେଉଁ ଅସ୍ଥିରତା ଦେଖାଦେଇଥିଲା ସେଭଳି ସ୍ଥିତି ଆଉ ଥରେ ସୃଷ୍ଟି ହେଉ ବୋଲି ରିଜର୍ଭ ବ୍ୟାଙ୍କ ଚାହୁନାହିଁ। ଏହା କେବଳ ଜମାକାରୀ ନୁହେଁ ବରଂ ଋଣ ନେଇଥିବା ଗ୍ରାହକଙ୍କ ସ୍ବାର୍ଥ ରକ୍ଷା କରିବା ଉପରେ ମଧ୍ୟ ଗୁରୁତ୍ବ ଦେଉଛି। କରୋନା ମହାମାରୀ ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା କଂପାନିଗୁଡ଼ିକର ଋଣ ପୁନର୍ଗଠନ କରିବା ଲାଗି ଦୁଇ ବର୍ଷର ମହଲତ ପ୍ରଦାନ କରାଯାଇଛି। ବ୍ୟାଙ୍କଗୁଡ଼ିକ ଋଣ ଆକାରରେ ଦେଇଥିବା ପାଣ୍ଠିକୁ ସୁରକ୍ଷିତ ରଖିବାକୁ ପଡ଼ିବ। କାରଣ ଜମାକାରୀମାନେ ବ୍ୟାଙ୍କରେ ଯେଉଁ ଟଙ୍କା ଜମା ରଖିଥିଲେ ତାହାକୁ ବ୍ୟାଙ୍କଗୁଡ଼ିକ ଋଣ ସୂତ୍ରରେ ଦେଇଛନ୍ତି। କ୍ଷୁଦ୍ର ଜମାକାରୀଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ପରିବାର, ଅବସରପ୍ରାପ୍ତ ବ୍ୟକ୍ତି ଆଦି ଅନେକ ବର୍ଗର ଗ୍ରାହକ ଜମାରୁ ମିଳୁଥିବା ସୁଧ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ସେମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ମଧ୍ୟ ରିଜର୍ଭ ବ୍ୟାଙ୍କ କାର୍ଯ୍ୟ କରୁଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର