ଅର୍ଥନୀତି ପୁଣି ଦୌଡ଼ିବ, ସିଆଇଆଇର ୧୨୫ ବର୍ଷ ପୂର୍ତ୍ତି ଉତ୍ସବରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ଏହାର ପୂର୍ବ ଅଭିବୃଦ୍ଧି ପଥକୁ ନିଶ୍ଚିତ ଫେରିବ। ଭାରତୀୟ ଶିଳ୍ପ ସଂଘ ସିଆଇଆଇର ୧୨୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ଭରସା ଦେଇଛନ୍ତି। କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ଲାଗୁ କରାଯାଇଥିବା ‌ଲକ୍‌ଡାଉନ୍‌କୁ ପଛରେ ପକାଇ ଏବେ ଅନଲକ୍‌ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ୮ ଦିନ ପରେ ଅର୍ଥନୀତି ଆହୁରି ଅଧିକ ଖୋଲିଯିବ। ଆମକୁ ଜୀବନ ବି ବଞ୍ଚାଇବାକୁ ହେବ ଏବଂ ଅର୍ଥବ୍ୟବସ୍ଥା ବି ସମ୍ଭାଳିବାକୁ ହେବ। କରୋନା ବିରୋଧରେ ଲଢ଼େଇ କରିବା ସହିତ ଅର୍ଥନୀତିକୁ ମଜବୁତ କରିବା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି। ସିଆଇଆଇର ଆଜିର ଉତ୍ସବର ମୁଖ୍ୟ ବିଷୟବସ୍ତୁ ‘ଗେଟିଂ ଗ୍ରୋଥ୍ ବ୍ୟାକ୍‌’ ରଖାଯାଇଥିଲା। ତେଣୁ ପ୍ରଧାନମନ୍ତ୍ରୀ ଏହାର ଆଗକୁ ଯାଇ କହିଥିଲେ ‘ୱି ଆର୍‌ ଗେଟିଂ ଗ୍ରୋଥ୍ ବ୍ୟାକ୍‌’। ମୋଦୀ କହିଲେ ବିଶ୍ବ ଏକ ବିଶ୍ବସନୀୟ ସହଯୋଗୀ ଖୋଜୁଛି। ଭାରତ ନିକଟରେ ଏହି ସହଯୋଗୀ ପାଲଟିବା କ୍ଷମତା ରହିଛି। ଶିଳ୍ପଜଗତକୁ ଏହାର ସମ୍ପୂର୍ଣ୍ଣ ସୁଯୋଗ ଉଠାଇବାର ଆବଶ୍ୟକତା ରହିଛି। ତେଣୁ ଭାରତରେ ବିଶ୍ବ ପାଇଁ ସାମଗ୍ରୀ ଉତ୍ପାଦନ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶକୁ ଆତ୍ମନିର୍ଭର କରିବା ଶିଳ୍ପସଂଘର ଦାୟିତ୍ବ। ଆପଣ ଗୋଟିଏ ପାଦ ଆଗକୁ ବଢ଼ାଇଲେ ସରକାର ୪ ପାଦ ଆଗକୁ ବଢ଼ି ଆପଣଙ୍କୁ ସହଯୋଗ କରିବେ। ଶି‌ଳ୍ପୋଦ୍ୟୋଗୀମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ଭରସା ଦେଇଛନ୍ତି।

ସରକାର ଦେଶରେ ଏବେ ଏଭଳି ସଂସ୍କାର କାର୍ଯ୍ୟକାରୀ କରୁଛନ୍ତି ଯାହା ବିଷୟରେ ଦେଶବାସୀ ଆଶା ମଧ୍ୟ ଛାଡ଼ି ଦେଇଥିଲେ। ଏହା କେବେ ବି ହୋଇପାରିବ ନାହିଁ ବୋଲି ଲୋକେ ଧରି ନେଇଥିଲେ। କିନ୍ତୁ ଏବେ ଏସବୁ ହେଉଛି। ସ୍ବାଧୀନତା ପରେ ଦେଶର କୃଷକମାନଙ୍କୁ ମଧ୍ୟସ୍ଥିଙ୍କ ହାତରେ ଛାଡ଼ି ଦିଆଯାଇଥିଲା। କୃଷକଙ୍କ ସହ ହେଉଥିବା ଅନ୍ୟାୟକୁ ଦୂର କରିବା ଇଚ୍ଛାଶକ୍ତି ଆମ ସରକାର ଦେଖାଇଛନ୍ତି। ଆଇନରେ ପରିବର୍ତ୍ତନ ଆଣିବା ସହିତ ବର୍ତ୍ତମାନ କୃଷକଙ୍କୁ ସେମାନଙ୍କ ଅଧିକାର ମିଳିବ। କୃଷକ ଯେଉଁଠି ଚାହିବ, ଯେମିତି ଚାହିବ ଏବଂ ଯେତେବେଳେ ଚାହିବ ସେତେବେଳେ ତାହାର ଉତ୍ପାଦ ବିକ୍ରି କରିପାରିବ। ଗତମାସରେ ସରକାର ୨୦ ଲକ୍ଷ କୋଟି ଟଙ୍କାର ଆତ୍ମ ନିର୍ଭର ଭାରତ ପ୍ୟାକେଜ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର