ମହିଳାଙ୍କ ଉପରେ କୋଭିଡ୍ ପ୍ରଭାବ ଅଧିକ

ନୂଆଦିଲ୍ଲୀ: କରୋନା ମହାମାରୀ ଦେଶର ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଛି। ମୋଟ ଘରୋଇ ଉତ୍ପାଦ (ଜିଡିପି) ହ୍ରାସ ପାଇଥିବା ବେଳେ ସରକାରଙ୍କ ରାଜସ୍ବ ଆୟ ସଙ୍କୁଚିତ ହୋଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଲୋକମାନଙ୍କ ନିଯୁକ୍ତି ଓ ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅଜିମ୍ ପ୍ରେମ୍‌ଜୀ ବିଶ୍ବବିଦ୍ୟାଳୟ ତରଫରୁ ଏନେଇ ଚକିତ କରିବା ଭଳି ତଥ୍ୟ ଜାରି କରାଯାଇଛି। ବିଶ୍ବବିଦ୍ୟାଳୟ ରିପୋର୍ଟ ଅନୁଯାୟୀ କୋଭିଡ୍-୧୯ ମହାମାରୀ ସମୟରେ ଅସମାନତା ଓ ଦାରିଦ୍ର୍ୟ ବଢ଼ିଛି। ନିମ୍ନ ଆୟ ବର୍ଗର ପରିବାରଗୁଡ଼ିକ ଅଧିକ ପ୍ରଭାବିତ ହୋଇଛନ୍ତି। ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କୁ ଏହି ମହାମାରୀ କିଭଳି ଗୁରୁତର ଭାବେ ପ୍ରଭାବିତ କରିଛି ତାହାର ଚିତ୍ର ମଧ୍ୟ ବିଶ୍ବବିଦ୍ୟାଳୟ ତରଫରୁ ପ୍ରଦାନ କରାଯାଇଛି। ମହାମାରୀ ସମୟରେ ପ୍ରତି ୫ରୁ ଚାରି ଜଣ ମହିଳା ନିଯୁକ୍ତିରେ ଅସ୍ଥିରତା ଅନୁଭବ କରିଥିଲେ। ପୁରୁଷଙ୍କ କ୍ଷେତ୍ରରେ ଏହାର ପ୍ରଭାବ କମ୍ ରହିଥିଲା। ମହାମାରୀ ପରେ ଅଧା ମହିଳା କର୍ମ କ୍ଷେତ୍ରରୁ ବାହାରି ଯାଇଥିଲେ।

କରୋନା ମହାମାରୀର କୌଣସି ପ୍ରଭାବ ୬୦ ପ୍ରତିଶତ କର୍ମଜୀବୀ ପୁରୁଷଙ୍କ ଉପରେ ପଡ଼ିନଥିବା ବେଳେ ମାତ୍ର ୧୮% କର୍ମଜୀବୀ ମହିଳା ପ୍ରଭାବିତ ହୋଇନାହାନ୍ତି। ଅର୍ଥାତ କର୍ମ କ୍ଷେତ୍ରରେ ଥିବା ୮୨ ପ୍ରତିଶତ ମହିଳାଙ୍କୁ ମହାମାରୀ ପ୍ରଭାବିତ କରିଛି। ମହାମାରୀ ପ୍ରଭାବରେ ଯେଉଁ ମହିଳାମାନେ ନିଜର ଚାକିରି ହରାଇଥିଲେ ସେମାନଙ୍କ ମଧ୍ୟରୁ ଅଧା ୨୦୨୦ ଶେଷ ସୁଦ୍ଧା ନିଜ ମୂଳ ଚାକିରିକୁ ଫେରିପାରିନଥିଲେ। ଗତବର୍ଷ ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପ୍ରଭାବରେ କର୍ମ କ୍ଷେତ୍ରରେ ଶ୍ରମ ଶକ୍ତିର ଯୋଗଦାନ ହ୍ରାସ ପାଇଥିଲା। ପରବର୍ତୀ ମାସଗୁଡ଼ିକରେ ସେଥିରେ ସୁଧାର ହୋଇଥିଲେ ମଧ୍ୟ ପୂର୍ବ ସ୍ତରକୁ ତାହା ଏପର୍ଯ୍ୟନ୍ତ ଫେରିପାରିନାହିଁ।

୨୦୧୯ରୁ ୨୦୨୦ ମଧ୍ୟରେ ପୁରୁଷ ଓ ମହିଳାମାନଙ୍କ ନିଯୁକ୍ତିରେ ପରିବର୍ତ୍ତନ ଦେଖାଦେଇଥିଲା। ୨୦୧୯ରେ କର୍ମ କ୍ଷେତ୍ରରେ ସକ୍ରିୟ ଥିବା ମହିଳାମାନଙ୍କ ମଧ୍ୟରୁ ଅଧା ୨୦୨୦ରେ କର୍ମ କ୍ଷେତ୍ରରୁ ବାହାରି ଯାଇଥିଲେ। ବେତନଭୋଗୀ ମହିଳାଙ୍କ ସଂଖ୍ୟା ମଧ୍ୟ ଅଧା ହ୍ରାସ ପାଇଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍‌ଆଇଇ)ର ତଥ୍ୟ ଆଧାରରେ ଅଜିମ୍ ପ୍ରେମ୍‌ଜୀ ବିଶ୍ବବିଦ୍ୟାଳୟ ତରଫରୁ ଏହି ରିପୋର୍ଟ ତିଆରି କରାଯାଇଛି। ମହିଳାଙ୍କ ମଧ୍ୟରୁ ଅଧିକାଂଶ ଚାକିରି ହରାଇଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ତାହାର ପ୍ରଭାବ ସର୍ବନିମ୍ନ ରହିଛି। କର୍ମ କ୍ଷେତ୍ରରେ ସକ୍ରିୟ ଥିବା ୧୦% ପୁରୁଷ ନିଯୁକ୍ତି ହରାଇଛନ୍ତି। ସ୍ବାବଲମ୍ବୀ ପୁରୁଷମାନଙ୍କ ସଂଖ୍ୟାରେ କୌଣସି ପରିବର୍ତ୍ତନ ହୋଇନାହିଁ। ମାତ୍ର ପୁରୁଷମାନଙ୍କ ବେତନ ସ୍ତର ହ୍ରାସ ପାଇଛି। ଯଦିଓ ୨୦୧୯ରେ କର୍ମ କ୍ଷେତ୍ରରେ ସକ୍ରିୟ ଥିବା ଅନେକ ମହିଳା ଚାକିରି ହରାଇଛନ୍ତି, ମାତ୍ର ସେହି ସମୟରେ ୨୦୨୦ରେ ନୂଆ ମହିଳାମାନେ କର୍ମକ୍ଷେତ୍ରରେ ଯୋଗ ଦେଇଥିବା ଜଣାପଡ଼ିଛି। ଯେଉଁ ମହିଳାମାନେ ଆସିଛନ୍ତି ସେମାନଙ୍କୁ କାଜୁଆଲ୍ କର୍ମଚାରୀ ଭାବେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର