ଯୁଦ୍ଧର ପ୍ରଭାବ ନଗଣ୍ୟ, ଭାରତୀୟ ଅର୍ଥନୀତି ଉପରେ ମାନ୍ଦାବସ୍ଥା ଜନିତ ମୁଦ୍ରାସ୍ଫୀତି ସମସ୍ୟା ଦେଖାଦେବନି: ଶକ୍ତିକାନ୍ତ

ଯେକୌଣସି ପ୍ରକାର ସ୍ଥିତିର ମୁକାବିଲା ଲାଗି ଆମେ ପ୍ରସ୍ତୁତ

ନୂଆଦିଲ୍ଲୀ: ଯେକୌଣସି ପ୍ରକାର ପରିସ୍ଥିତିର ମୁକାବିଲା ଲାଗି ଭାରତୀୟ ଅର୍ଥନୀତି ପ୍ରସ୍ତୁତ ରହିଛି। ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ଯୋଗୁଁ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ତାହା ଭାରତୀୟ ଅର୍ଥନୀତିକୁ ବିଶେଷ ପ୍ରଭାବିତ କରିବ ନାହିଁ। ଏହି ଯୁଦ୍ଧର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ନଗଣ୍ୟ ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଶିଳ୍ପପତିମାନଙ୍କୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି ଯେ ଦରଦାମ୍ ସ୍ଥିତି ବା ମୁଦ୍ରାସ୍ଫୀତିକୁ ନେଇ ଆମେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ତାହା ବେଲଗାମ ହେବା ନାହିଁ। ମୁଦ୍ରାସ୍ଫୀତିରେ ସୁଧାର ହୋଇପାରେ ବୋଲି ସେ କହିଛନ୍ତି।

ଯୁଦ୍ଧ ପ୍ରଭାବରେ‌ ଦେଶରେ ମାନ୍ଦାବସ୍ଥା ସହିତ ମୁଦ୍ରାସ୍ଫୀତି ସମସ୍ୟା (ଷ୍ଟାଗ୍‌ଫ୍ଲେସନ) ଦେଖାଦେବାର ଆଶଙ୍କା ନାହିଁ ବୋଲି ଶକ୍ତିକାନ୍ତ ସ୍ପଷ୍ଟ କରିଛନ୍ତି। ତୈଳ ଦରରେ ହଠାତ୍ ହୋଇଥିବା ବୃଦ୍ଧିକୁ ସାରା ବର୍ଷର ବୃଦ୍ଧି ବୋଲି କୁହାଯାଇପାରିବ ନାହିଁ। ତାହା ହେଉଛି ଏକ ସାମୟିକ ଅବସ୍ଥା। ଏବେ ସ୍ଥିତି ଅନିଶ୍ଚିତ ରହିଛି। ତାହା ଅଭିବୃଦ୍ଧିକୁ ସାମାନ୍ୟ ପ୍ରଭାବିତ କରିପାରେ, କିନ୍ତୁ ମାନ୍ଦାବସ୍ଥା ଜନିତ ମୁଦ୍ରାସ୍ଫୀତି ସମସ୍ୟା ଦେଖାଦେବନି ବୋଲି ସେ କହିଛନ୍ତି। ବଜାର ଆବଶ୍ୟକ କରୁଥିବା ପାଣ୍ଠି ଯୋଗାଇବା ଲାଗି ଗତ ଦୁଇ ବର୍ଷ‌ର‌େ ରିଜର୍ଭ ବ୍ୟାଙ୍କ ୧୭ ଲକ୍ଷ କୋଟି ଟଙ୍କା ଜାରି କରିଛି। ଦରକାର ପଡ଼ିଲେ ଆହୁରି ସହାୟତା ଦେବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି।

ଅର୍ଥନୀତିର ସ୍ବାସ୍ଥ୍ୟ କିଭଳି ରହିଛି ତାହା ଜାଣିବା ଲାଗି ୬୦ଟି ଉଚ୍ଚ ମାନର ସୂଚକାଙ୍କ ଉପରେ ନଜର ରଖାଯାଇଛି। ସେଥି ମଧ୍ୟରୁ ଅଧିକାଂଶ ଉନ୍ନତ ସ୍ଥିତିରେ ରହିଛି ବୋଲି ସେ କହିଛନ୍ତି। ତୈଳ ଦରରେ ହୋଇଥିବା ବୃଦ୍ଧି ସମ୍ପର୍କରେ ସେ କହିଛନ୍ତି ଯେ ଏହା ସବୁଜ ଶକ୍ତିର ଗ୍ରହଣୀୟତାକୁ ତ୍ବରାନ୍ବିତ କରିବାରେ ସହାୟକ ହେବ। ସେହିପରି, ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରର ସ୍ଥିତି ମଧ୍ୟ ବହୁତ ଭଲ ରହିଥିବା ସେ କହିଛନ୍ତି। ଭାରତ ଉପରେ କୌଣସି କଟକଣା ଲାଗିଲେ ତାହାର କିଭଳି ମୁକାବିଲା କରାଯିବ ବୋଲି ପ୍ରଶ୍ନ ହେବାରୁ ଶକ୍ତିକାନ୍ତ କହିଥିଲେ ଯେ ଯେଉଁ ସ୍ଥିତି ଉପୁଜିନାହିଁ ସେ ବିଷୟରେ କାହିଁକି ଆଲୋଚନା କରିବା।

ସମ୍ବନ୍ଧିତ ଖବର