ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଖାତାର ‘ଯୋଗ୍ୟ ବାଲାନ୍ସ’କୁ ସଦସ୍ୟମାନେ ସମ୍ପୂର୍ଣ୍ଣ ଉଠାଇପାରିବେ। ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଉଠାଣ ପ୍ରକ୍ରିୟାକୁ କୋହଳ କରି ତିନି ଭାଗ କରାଯାଇଛି। ତାହା ହେଉଛି ଜରୁରୀ ଆବଶ୍ୟକତା (ଅସୁସ୍ଥତା, ଶିକ୍ଷା ଓ ବିବାହ), ବାସଗୃହ ଆବଶ୍ୟକତା ଓ ସ୍ବତନ୍ତ୍ର ପରିସ୍ଥିତି। ପୂର୍ବରୁ ବିବାହ ଓ ପିଲାମାନଙ୍କ ଶିକ୍ଷା ପାଇଁ ୩ଟି ଆଂଶିକ ଉଠାଣ ଅନୁମତି ଥିଲା। ସେହି ସୀମାକୁ ବିବାହ ପାଇଁ ୧୦ ଗୁଣା ଓ ପିଲାଙ୍କ ଶିକ୍ଷା ପାଇଁ ୫ ଗୁଣା ବୃଦ୍ଧି କରାଯାଇଛି। 

Advertisment

ପିଏଫ୍ ଖାତାରୁ ଟଙ୍କା ଉଠାଣ ପାଇଁ ସର୍ବନିମ୍ନ ଚାକିରି ସମୟକୁ ମଧ୍ୟ ହ୍ରାସ କରାଯାଇଛି। ପୂର୍ବରୁ ସର୍ବନିମ୍ନ ୫ ବର୍ଷ ଚାକିରିରେ ରହିଥିବା ସଦସ୍ୟଙ୍କୁ ବାସଗୃହ ପାଇଁ ଓ ୭ ବର୍ଷ ଚାକିରି କରିଥିବା ସଦସ୍ୟମାନଙ୍କୁ ପିଲାଙ୍କ ଶିକ୍ଷା ଓ ବିବାହ ପାଇଁ ଟଙ୍କା ଉଠାଣ ଅନୁମତି ଦିଆଯାଇଥିଲା। ସେହି ସମୟ ସୀମାକୁ ୧୨ ମାସକୁ ହ୍ରାସ କରାଯାଇଛି। ‘ସ୍ବତନ୍ତ୍ର ପରିସ୍ଥିତି’ ଅଧୀନରେ ଟଙ୍କା ଉଠାଣ ପାଇଁ ଆବେଦନ କରିବା ବେଳେ ସଦସ୍ୟମାନଙ୍କୁ ତାହାର କାରଣ ଜଣାଇବାକୁ ପଡ଼ିବ ନାହିଁ। ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟ, ଲକ୍‌ଆଉଟ୍‌, ସଂସ୍ଥା ବନ୍ଦ ହେବା, ଲଗାତାର ଭାବେ ବେରୋଜଗାର ରହିବା, ମହାମାରୀ ବ୍ୟାପିବା ଆଦି କାରଣ ଦର୍ଶାଇ ଆବେଦନ କରାଯାଉଥିଲା, ଯାହା ଖାରଜ ହୋଇଯାଉଥିଲା। 

ଶ୍ରମମନ୍ତ୍ରୀ ମନ୍‌ସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି ଯେ ଇପିଏଫ୍‌ ସଦସ୍ୟଙ୍କ ଖାତାରେ ସବୁବେଳେ ୨୫ ପ୍ରତିଶତ ରାଶି ‘ସର୍ବନିମ୍ନ ବାଲାନ୍ସ’ ଭାବେ ରହିବ। ତାହା ଉପରେ ସେମାନେ ଅଧିକ ସୁଧ ଓ ଅନ୍ୟାନ୍ୟ ସୁବିଧାସ‌ୁଯୋଗ ସହିତ ଅବସର ସମୟରେ ଏକକାଳୀନ ଅଧିକ ଟଙ୍କା ପାଇପାରିବେ। ଆଂଶିକ ଉଠାଣ ସମ୍ପୂର୍ଣ୍ଣ ରୂପେ ସ୍ବୟଂକ୍ରିୟ ଉପାୟରେ ହେବ। ଅନ୍ୟପକ୍ଷରେ ଇପିଏଫ୍‌ଓର ପାଣ୍ଠି ପରିଚାଳନା ଓ ନିବେଶ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ପ୍ରସ୍ତାବ ଉପରେ ବିଚାର କରିବା ଲାଗି ଏକ କମିଟି ଗଠନ କରାଯିବ ବୋଲି ଜଣାପଡ଼ିଛି। ସେହି କମିଟିରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ରହିବେ।