ଇପିଏଫ୍‌ ପେନ୍‌ସନ୍‌ ୯ ହଜାର ଟଙ୍କାକୁ ବଢ଼ିପାରେ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ସ୍କିମ୍‌ ଅଧୀନରେ ସର୍ବନିମ୍ନ ପେନସନ ରାଶିକୁ କେନ୍ଦ୍ର ସରକାର ୯ ଗୁଣ ବୃଦ୍ଧି କରିପାରନ୍ତି। ବର୍ତ୍ତମାନ ସର୍ବନିମ୍ନ ମାସିକ ପେନସନ୍ ୧ ହଜାର ଟଙ୍କା ଥିବାବେଳେ ଏହାକୁ ୯ ହଜାର ଟଙ୍କାକୁ ବୃଦ୍ଧି କରାଯିବାର ଯୋଜନା ରହିଛି। ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଆସନ୍ତା ଫେବ୍ରୁଆରିରେ ଏହା ଉପରେ ଆଲୋଚନା ପାଇଁ ଏକ ବୈଠକ ହେବ। ଏଥିସହିତ ଉକ୍ତ ବୈଠକରେ ମଜୁରି କୋଡ୍ ସଂପର୍କରେ ମଧ୍ୟ ଆଲୋଚନା ହେବ।

ଇପିଏଫ୍‌ ସଦସ୍ୟମାନେ ସର୍ବନିମ୍ନ ପେନସନ ରାଶିକୁ ବୃଦ୍ଧି କରିବା ଲାଗି ଦୀର୍ଘଦିନ ହେଲା ଦାବିକରି ଆସୁଛନ୍ତି। ପୂର୍ବରୁ ସର୍ବନିମ୍ନ ପେନସନ ବୃଦ୍ଧି ପାଇଁ କେତେଥର ଆଲୋଚନା ହୋଇସାରିଛି। ତେଣୁ ନୂଆବର୍ଷରେ ସରକାର ପେନ୍‌ସନ୍‌ଭୋଗୀଙ୍କୁ ଖୁସି କରିବା ପାଇଁ ଏହି ଭେଟି ଦେଇପାରନ୍ତି। ୨୦୨୧ ମାର୍ଚ୍ଚରେ ସଂସଦର ଏକ ସ୍ଥାୟୀ କମିଟି ଏ ନେଇ ସୁପାରିସ କରିଥିଲା। ସର୍ବନିମ୍ନ ପେନସନ ୧୦୦୦ ଟଙ୍କାରୁ ବୃଦ୍ଧିକରି ୩୦୦୦ ଟଙ୍କା କରିବା ପାଇଁ କମିଟି ପରାମର୍ଶ ଦେଇଥିଲା। କିନ୍ତୁ ପେନସନଭୋଗୀମାନେ ସର୍ବନିମ୍ନ ପେନସନ ରାଶି ୯୦୦୦ ଟଙ୍କା କରିବା ପାଇଁ ଦାବି କରୁଛନ୍ତି। ଇପିଏଫଓ ସଦସ୍ୟମାନଙ୍କର ଅନ୍ୟ ଏକ ଦାବି ହେଲା କର୍ମଚାରୀମାନଙ୍କର ଶେଷ ବେତନ ଯାହା ଥିଲା ତାହାର ଅଧା ପେନସନ୍ ଦିଆଯାଉ। ଏହି ଦାବି ଉପରେ ମଧ୍ୟ ଶ୍ରମ ମନ୍ତ୍ରାଳୟ ବୈଠକରେ ଆଲୋଚନା ହୋଇପାରେ।

ଇପିଏଫଓର ସଦସ୍ୟମାନେ କର୍ମଚାରୀ ପେନସନ ଯୋଜନା-୧୯୯୫ ଅଧୀନରେ ପେନସନ୍ ପାଉଛନ୍ତି। ସଂଗଠିତ କ୍ଷେତ୍ରର କର୍ମଚାରୀ ୫୮ ବର୍ଷରେ ଅବସର ଗ୍ରହଣ କରିଥାନ୍ତି। ଏହାପରେ ସେମାନଙ୍କୁ ମାସିକ ସର୍ବନିମ୍ନ ୧୦୦୦ ଟଙ୍କାର ପେନସନ ଦେବା ବ୍ୟବସ୍ଥା ରହିଛି। ତେବେ ଏଥିପାଇଁ କର୍ମଚାରୀଙ୍କୁ ଅତିକମ୍‌ରେ ୧୦ ବର୍ଷର ଚାକିରି କରିଥିବା ଅନିବାର୍ଯ୍ୟ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ ବର୍ତ୍ତମାନ ପ୍ରାୟ ୬ କୋଟିରୁ ଅଧିକ ସଦସ୍ୟ ରହିଛନ୍ତି। ଅଣସଙ୍ଗଠିତ କ୍ଷେତ୍ରର କର୍ମଚାରୀମାନେ ଦୀର୍ଘଦିନ ଧରି ସେବା ଯୋଗାଉଥିଲେ ମଧ୍ୟ ସେମାନେ ଯେଉଁ ପେନସନ ପାଉଛନ୍ତି ତାହା ସେମାନଙ୍କ ସର୍ବନିମ୍ନ ସାଧାରଣ ଆବଶ୍ୟକତା ପୂରଣ କରିବାକୁ ସମର୍ଥ ହେଉନାହିଁ। ସେମାନଙ୍କୁ ଅଧିକ ପେନସନ୍ ଦେବାଲାଗି ଦାବି ହେଉଛି।

ସମ୍ବନ୍ଧିତ ଖବର