ଷ୍ଟକ୍ ବଜାରରେ ନିବେଶ ବଢ଼ାଇବ ଇପିଏଫ୍‌ଓ, ନିବେଶ ସୀମା ୨୫%କୁ ବଢ଼ିବ

ଭୁବନେଶ୍ବର: ନିବେଶରୁ ଅଧିକ ରିଟର୍ଣ୍ଣ ପାଇବା ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଇକ୍ବିଟିରେ ଏହାର ନିବେଶ ବଢ଼ାଇବା ଉପରେ ବିଚାର କରୁଛି। ବର୍ତ୍ତମାନ ଏହା ୧୫% ରାଶି ଇକ୍ବିଟିରେ ନିବେଶ କରୁଛି। ସେହି ସୀମାକୁ ୨୫% ପର୍ଯ୍ୟନ୍ତ ବଢ଼ାଇବା ଉପରେ ବିଚାରବିମର୍ଶ ଆରମ୍ଭ ହୋଇଛି। କିନ୍ତୁ ପର୍ଯ୍ୟାୟକ୍ରମେ ଏହି ସୀମା ବଢ଼ିବ। ପ୍ରଥମେ ତାହା ୨୦% ଓ ପରେ ୨୫%କୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ଏନେଇ ଇକୋନମିକ୍ ଟାଇମ୍‌ସରେ ଏକ ଖବର ପ୍ରକାଶ ପାଇଛି।

ଏବେ ଡେବ୍‌ଟ ଓ ସିକ୍ୟୁରିଟି ଭଳି ଆର୍ଥିକ ଉପକରଣରେ ଇପିଏଫ୍‌ଓ କରୁଥିବା ନିବେଶରୁ ଆଶାନୁରୂପ ରିଟର୍ଣ୍ଣ ପାଉନାହିଁ। ତେଣୁ ରିଟର୍ଣ୍ଣରେ ଯେଉଁ ଅଭାବ ରହୁଛି ତାହା ପୂରଣ କରିବା ଲାଗି ଏହା ଇକ୍ବିଟିରେ ନିବେଶ ବଢ଼ାଇବାକୁ ଚାହୁଛି। ଇକ୍ବିଟିରେ ଯଦିଓ ଅଧିକ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଛି, ତା’ ସହିତ ନିବେଶ ପ୍ରତି ବିପଦର ମାତ୍ରା ମଧ୍ୟ ଅଧିକ ରହୁଛି। ସେଥିପାଇଁ ସବୁ ଦିଗକୁ ବିଚାର କରି ପର୍ଯ୍ୟାୟକ୍ରମେ ଷ୍ଟକ ବଜାରରେ ଇପିଏଫ୍‌ଓ ଏହାର ନିବେଶ ବଢ଼ାଇବାକୁ ଚାହୁଛି। ଷ୍ଟକ ବଜାର ନିବେଶ ସମ୍ପର୍କରେ ଆଲୋଚନା କରିବା ଲାଗି ଫାଇନାନ୍ସ ଇନଭେଷ୍ଟମେଣ୍ଟ୍‌ ଆଣ୍ଡ୍‌ ଅଡିଟ୍ କମିଟି ଦୁଇ ସପ୍ତାହ ପୂର୍ବେ ଏକ ବୈଠକରେ ଏକତ୍ରୀତ ହୋଇଥିଲେ। ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ଜୁନ୍ ଶେଷ ସପ୍ତାହରେ ହୋଇଥିବା ଏକ ବୈଠକରେ ମଧ୍ୟ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା।

ଏହା ପରେ ପ୍ରସ୍ତାବକୁ ଶ୍ରମ ମନ୍ତ୍ରାଳୟ ଓ ଅର୍ଥ ମନ୍ତ୍ରାଳୟ ଅନୁ‌ମୋଦନ ପାଇଁ ପଠାଯାଇଛି। ଇପିଏଫ୍‌ଓ ବର୍ତ୍ତମାନ ୧୫% ହାର ଅନୁସାରେ ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍‌ରେ ୧,୮୦୦-୨୦୦୦ କୋଟି ଟଙ୍କା ନିବେଶ କରୁଛି। ଇପିଏଫ୍‌ଓ ଏବେ ହାରାହାରି ଭାବେ ଦୈନିକ ୬୦୦ କୋଟି ଟଙ୍କା ପାଉଛି ଓ ୨୦୦ କୋଟି ଟଙ୍କା ଦାବି ଫଇସଲାରେ ବ୍ୟବହାର କରୁଛି। ଇକ୍ବିଟି ସ୍କିମ୍‌ରେ ନିବେଶ କରିବାର କ’ଣ ସବୁ ସମ୍ଭାବନା ରହିଛି ତାହା ଜାଣିବା ଲାଗି ଏହାର ଅଧିକାରୀମାନେ ମ୍ୟୁଚୁଆଲ୍ ଫଣ୍ଡ୍‌ ମ୍ୟାନେଜରମାନଙ୍କୁ ଭେଟି ଆଲୋଚନା ମଧ୍ୟ କରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଇପିଏଫ୍‌ଓ ୮.୧% ସୁଧ ପ୍ରଦାନ କରିବ ଯାହା ବିଗତ ୪୦ ବର୍ଷରେ ସବୁଠୁ କମ୍ ବୋଲି ବିଚାର କରାଯାଉଛି। ଏହା ଦ୍ବାରା ଏହାର ୫୦ ନିୟୁତରୁ ଅଧିକ ସଦସ୍ୟ ପ୍ରଭାବିତ ହେବେ। ଏହି ସୁଧକୁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର