ଇପିଏଫ୍‌ଓ ଆଣିବ ନୂଆ ପେନ୍‌ସନ୍‌ ସ୍କିମ୍: ୧୫ ହଜାରରୁ ଅଧିକ ଦରମା ପାଉଥିବା କର୍ମଚାରୀ ଉପକୃତ ହେବେ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଏକ ନୂଆ ପେନ୍‌ସନ୍‌ ସ୍କିମ୍ ଆଣିବା ଉପରେ ବିଚାର କରୁଛି। ସଂଗଠିତ କ୍ଷେତ୍ରରେ କାମ କରୁଥିବା ଯେଉଁ କର୍ମଚାରୀଙ୍କ ମୌଳିକ ଦରମା ୧୫ ହଜାର ଟଙ୍କାରୁ ଅଧିକ ସେମାନଙ୍କୁ ନଜରରେ ରଖି ଏହି ସ୍କିମ୍‌ର ରୂପରେଖ ତିଆରି କରାଯିବ। ଇପିଏଫ୍‌ଓର ନିୟମ ଅନୁସାରେ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ପାଇବା ବେଳେ ଯଦି କର୍ମଚାରୀଙ୍କ ମୂଳ ଦରମା ଓ ମହଙ୍ଗା ଭତ୍ତା ମିଶି ମାସିକ ୧୫ ହଜାର ଟଙ୍କାରୁ କମ୍ ହୋଇଥିବ ତେବେ ତାଙ୍କୁ ବାଧ୍ୟତାମୂଳକ ଭାବେ କର୍ମଚାରୀଙ୍କ ପେନ୍‌ସନ୍ ସ୍କିମ୍ ୧୯୯୫ (ଇପିଏସ୍‌-୯୫)ରେ ସାମିଲ କରାଯାଉଛି। ଏଭଳି ବହୁ କର୍ମଚାରୀ ଅଛନ୍ତି ଯେଉଁମାନଙ୍କ ପାଇଁ ଇପିଏସ୍‌-୯୫ ବାଧ୍ୟତାମୂଳକ ନୁହେଁ। କିଛି କର୍ମଚାରୀ ମାସିକ ଯୋଗଦାନକୁ ବଢ଼ାଇ ଅଧିକ ପେନ୍‌ସନ୍ ପାଇବା ଲାଗି ଦାବି କରୁଛନ୍ତି। ‌ସେମାନଙ୍କ ଦାବିକୁ ବିଚାରକୁ ନେଇ ଏକ ନୂଆ ପେନ୍‌ସନ୍ ସ୍କିମ୍ ପ୍ରସ୍ତୁତ କରଯିବ। ଆସନ୍ତା ମାର୍ଚ୍ଚ ୧୧ ଓ ୧୨ରେ ଗୌହାଟିରେ ହେବାକୁ ଥିବା ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ‌ପେନ୍‌ସନ୍‌କୁ ନେଇ ୨୦୨୧ ନଭେମ୍ବରରେ ଯେଉଁ ସବ୍‌ କମିଟି ଗଠନ କରାଯାଇଥିଲା ତାହା ମଧ୍ୟ ବୈଠକରେ ନିଜର ରିପୋର୍ଟ ଦାଖଲ କରିବ। ସେହି ରିପୋର୍ଟ ମଧ୍ୟ ନିଷ୍ପତ୍ତି ଗ୍ରହଣରେ ସହାୟକ ହୋଇପାରେ।

ଇପିଏଫ୍ଓରେ ସଦସ୍ୟ ଭାବେ ସାମିଲ ହୋଇଥିବା ବହୁ କର୍ମଚାରୀଙ୍କ ମାସିକ ମୌଳିକ ବେତନ ୧୫ ହଜାର ଟଙ୍କାରୁ ଅଧିକ। ଇପିଏସ୍‌-୯୫ ଯୋଗୁଁ ସେମାନେ ପେନ୍‌ସନ୍ ପାଇଁ କମ୍ ଯୋଗଦାନ ଦେବାକୁ ବାଧ୍ୟ ହେଉଛନ୍ତି ଓ ଅବସର ପରେ କମ୍ ପେନ୍‌ସନ୍ ପାଉଛନ୍ତି। ଇପିଏପ୍‌ଓ ୨୦୧୪ରେ ଏହି ସ୍କିମ୍‌ରେ ସଂଶୋଧନ କରି ପେନ୍‌ସନ୍‌ଯୋଗ୍ୟ ମୂଳ ବେତନର ସୀମାକୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ାଇଥିଲା। ଏହି ସୀମା କେବଳ ଚାକିରିରେ ଯୋଗଦେବା ବେଳେ ବିଚାରକୁ ନିଆଯାଉଛି। ପୂର୍ବରୁ ଏହି ସୀମା ୬,୫୦୦ ଟଙ୍କା ଥିଲା ଯାହାକୁ ୨୦୧୪ ସେପ୍ଟେମ୍ବର ୧ରେ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ସୀମାକୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ବିଷୟରେ ବ୍ୟାପକ ଆଲୋଚନା ହୋଇଥିଲା, କିନ୍ତୁ ପ୍ରସ୍ତାବକୁ ଅନୁମୋଦନ ମିଳିନଥିଲା। ଯଦି ଇପିଏଫ୍‌ଓ ପେନ୍‌ସନ୍ ପାଇଁ ଧାର୍ଯ୍ୟ କରିଥିବା ସୀମାକୁ କୋହଳ କରିବ ତେବେ ସଂଗଠିତ କ୍ଷେତ୍ରର ଆଉ ୫୦ ଲକ୍ଷ କର୍ମଚାରୀ ଏହାର ସଦସ୍ୟ ହୋଇପାରିବେ ବୋଲି ଏକ ହିସାବରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର