ବୀମାରେ ଏଫ୍‌ଡିଆଇ ସୀମା ୭୪%କୁ ବୃଦ୍ଧି, ସରକାରୀ ବ୍ୟାଙ୍କ ପାଇବେ ୨୦ ହଜାର କୋଟି

ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ସୀମାକୁ ୪୯%ରୁ ବଢ଼ାଇ ୭୪% କରାଯାଇଛି। କିଛି ସୁରକ୍ଷା ବ୍ୟବସ୍ଥା ସହିତ ବୀମା କଂପାନିରେ ବିଦେଶୀ ମାଲିକାନା ଓ ନିୟନ୍ତ୍ରଣକୁ ମଧ୍ୟ ଅନୁମତି ଦିଆଯାଇଛି। ଏକ ଆସେଟ୍ ରିକନ୍‌ଷ୍ଟ୍ରକ୍ସନ୍ କଂପାନି ଆସେଟ୍‌ ମ୍ୟାନେଜମେଣ୍ଟ୍ କଂପାନି ବା ବ୍ୟାଡ୍ ବ୍ୟାଙ୍କ ଗଠନ କରିବାର ପ୍ରସ୍ତାବ ରହିଛି। ଏହା ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକର ଅସୁଲ ହୋଇପାରୁନଥିବା ଋଣ ନିଜ ଅଧୀନକୁ ଆଣି ତାହା କିଭଳି ଅସୁଲ ହୋଇପାରିବ ସେଥିପାଇଁ ଉଦ୍ୟମ କରିବ। ୨୦୨୧-୨୨ ଆର୍ଥିକ ବର୍ଷରେ ସରକାରୀ ବ୍ୟାଙ୍କଗୁଡ଼ିକୁ ୨୦ ହଜାର କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯିବ।

ଆୟକର ରିଟର୍ଣ୍ଣ ଦାଖଲକାରୀଙ୍କ ସଂଖ୍ୟା ୬.୪୮କୋଟିକୁ ବୃଦ୍ଧି
୨୦୧୪ରେ ଦେଶରେ ୩.୪୮ କୋଟି ଲୋକ ଆୟକର ରିଟର୍ଣ୍ଣ ଦାଖଲ କରୁଥିବାବେଳେ ୨୦୨୦ରେ ଏମାନଙ୍କ ସଂଖ୍ୟା ୬.୪୮ କୋଟିକୁ ବୃଦ୍ଧି ପାଇଛି।
ଫେସ୍‌ଲେଓ୍‌ ହେବ ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ୍‌
ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ୍‌କୁ ଫେସ୍‌ଲେସ୍ କରିବା ପାଇଁ ବଜେଟ୍‌ରେ ପ୍ରସ୍ତାବ ରଖାଯାଇଛି। ଏଥିସହିତ ଜାତୀୟ ଆୟକର ଆପିଲେଟ ଟ୍ରିବ୍ୟୁନାଲ କେନ୍ଦ୍ର ଗଠନର ପ୍ରସ୍ତାବ ମଧ୍ୟ ବଜେଟ୍‌ରେ ରହିଛି। ଆୟକରଦାତା ଏବଂ ଟ୍ରିବ୍ୟୁନାଲ ମଧ୍ୟରେ ସମସ୍ତ ପ୍ରକାର ଯୋଗାଯୋଗ ଇଲେକଟ୍ରୋନିକ ମାଧ୍ୟମରେ ‌ହିଁ ହେବ। ବ୍ୟକ୍ତିଗତ ଶୁଣାଣି ଆବଶ୍ୟକ ଥିଲେ ତାହା ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ।
ଛୋଟ ଟିକସଦାତାଙ୍କ ବିବାଦ ସମାଧାନ ପାଇଁ କମିଟି
ଛୋଟ ଟିକସଦାତାଙ୍କ ବିବାଦ ସମାଧାନ ପାଇଁ ଏକ ଫେସ୍‌ଲେସ୍‌ ବିବାଦ ସମାଧାନ କମିଟି ଗଠନ କରିବାକୁ ବଜେଟ୍‌ରେ ପ୍ରସ୍ତାବ ରହିଛି। ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଆୟ ଥିବା ବ୍ୟକ୍ତି ଯେଉଁମାନଙ୍କ ବିବାଦ ରାଶି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ସେମାନେ ଏହି କମିଟିରେ ଆବେଦନ କରିପାରିବେ।
ଟିକସ ଅଡିଟ୍ ଛାଡ଼ ସୀମା ୧୦ କୋଟିକୁ ବୃଦ୍ଧି
ଟିକସ ଅଡିଟ୍ ଛାଡ଼ ସୀମାକୁ ଦୁଇଗୁଣ କରି ଦିଆଯାଇଛି। ବାର୍ଷିକ ୧ କୋଟି ଟଙ୍କାର କାରବାର କରୁଥିଲେ ପୂର୍ବରୁ ଟିକସ ଅଡିଟ୍‌ର ଆବଶ୍ୟକତା ଥିଲା। ୨୦୨୦ ବଜେଟରେ ଏହାକୁ ୫ କୋଟି ଟଙ୍କାକୁ ବଢ଼ାଯାଇଥିଲା। କିନ୍ତୁ ଏଥିପାଇଁ ସଂପୃକ୍ତ ସଂସ୍ଥା ବା ବ୍ୟକ୍ତିଙ୍କ କାରବାରର ୯୫ ପ୍ରତିଶତ ଡିଜିଟାଲ ମାଧ୍ୟମରେ ହୋଇଥିବା ଆବଶ୍ୟକ। ତେବେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସୀମାକୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର