ଏଫ୍‌ଡିଆଇ ନିୟମ କୋହଳ ହେବ: ନୂଆ ଶିଳ୍ପ ଓ ଜଙ୍ଗଲ ନୀତି ଆସିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ନିୟମକୁ ଆହୁରି କୋହଳ କରିବାକୁ ଯାଉଛନ୍ତି। ଦେଶରେ ଯେଉଁସବୁ କ୍ଷେତ୍ରରେ ଏଫ୍‌ଡିଆଇ ଆକୃଷ୍ଟ କରିବା ଲାଗି ପ୍ରତିବନ୍ଧକ ରହିଛି ତାହାକୁ ଦୂର କରିବା ଲାଗି ପଦକ୍ଷେପ ନିଆଯିବ। ଏଥିସହିତ ଖୁବଶୀଘ୍ର ନୂଆ ଶିଳ୍ପ ଏବଂ ଜଙ୍ଗଲ ନୀତି ମଧ୍ୟ ଆଣିବାକୁ ଯାଉଛନ୍ତି। ଇଣ୍ଡିଆ ଗ୍ଲୋବାଲ୍ ୱିକ୍ ୨୦୨୦ ସମ୍ମିଳନୀରେ ଉଦବୋଧନ ଦେଇ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିଳ୍ପ, ବାଣିଜ୍ୟ ଏବଂ ରେଳମନ୍ତ୍ରୀ ପୀୟୂଷ ଗୋୟଲ। ସେହିଭଳି ଖଣି କ୍ଷେତ୍ରରେ ମଧ୍ୟ ଅଧିକ ସଂସ୍କାର ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ବ୍ୟାଙ୍କିଙ୍ଗ୍ ଓ ପୁଞ୍ଜି ବଜାର କ୍ଷେତ୍ରରେ ମଧ୍ୟ ସଂସ୍କାର ଆଣିବା ଲାଗି ଯୋଜନା ରହିଛି। ତେଣୁ ନିବେଶ ଆକୃଷ୍ଟ କରିବା ଲାଗି ସରକାରଙ୍କ ବ୍ୟାପକ ଯୋଜନା ରହିଛି। ଏଥିସହିତ ବ୍ୟବସାୟ ପରିବେଶକୁ ଅଧିକ ଅନୁକୂଳ କରିବା ବା ଇଜ୍ ଅଫ୍ ଡୁଇଂ ବିଜ୍‌ନେସ୍‌‌ରେ ଉନ୍ନତି ଆଣିବା ଲାଗି ମଧ୍ୟ କାର୍ଯ୍ୟ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।

ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଆଣିବା ସହିତ ଅଧିକ ବିଦେଶୀ ନିବେଶକୁ ଆକୃଷ୍ଟ କରିବା ଲାଗି ସରକାର ଏଭଳି ଯୋଜନା କରୁଛନ୍ତି। ବିଶେଷକରି ଚୀନମୁହାଁ ନିବେଶକମାନଙ୍କୁ ଭାରତକୁ ଆଣିବା ଏହି ଯୋଜନାର ଅନ୍ୟତମ ଉଦ୍ଦେଶ୍ୟ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ଚୀନରୁ ସମଗ୍ର ବିଶ୍ବକୁ ବ୍ୟାପିବା ପରେ ଅନେକ ବହୁରାଷ୍ଟ୍ରୀୟ କମ୍ପାନି ଚୀନରେ ଅଧିକ ନିବେଶ କରିବା ପରିବର୍ତ୍ତେ ବିଶ୍ବର ଅନ୍ୟସ୍ଥାନରେ ନିବେଶ କରିବାକୁ ଚିନ୍ତା କରୁଛନ୍ତି। ଏଭଳି ସମୟରେ ଭାରତ ଓ ଚୀନ୍ ମଧ୍ୟରେ ଗଲୱାନ ସଂଘର୍ଷ ଘଟି ସେଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଛନ୍ତି। ଏହାପରେ ଭାରତରେ ଚୀନ ବିରୋଧୀ ସ୍ବର ଶାଣିତ ହୋଇଛି। ଭାରତୀୟମାନେ ପ୍ରଥମେ ଚୀନକୁ ବାଣିଜ୍ୟ କ୍ଷେତ୍ରରେ ପାନେ ଦେବା ପାଇଁ ପ୍ରଚେଷ୍ଟା କରୁଛନ୍ତି। ତେଣୁ ଚୀନମୁହାଁ ହୋଇଥିବା ନିବେଶକମାନଙ୍କୁ କିଭଳି ଭାରତକୁ ଅଣାଯାଇ ପାରିବ ସେଥିପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଯାଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା କିଛି ସପ୍ତାହ ମଧ୍ୟରେ ସରକାର ଏଫଡିଆଇ ସଂସ୍କାର ସଂପର୍କରେ ଘୋଷଣା କରିପାରନ୍ତି। ଭାରତରେ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ପାଇଁ ବ୍ୟବସାୟ କରିବା ଯେଭଳି ସହଜ ହେବ ସେଥିପାଇଁ ଦେଶରେ ମଞ୍ଜୁରି ଏବଂ ଅମଲାତାନ୍ତ୍ରିକ ପ୍ରକ୍ରିୟାକୁ ଆହୁରି କୋହଳ କରାଯିବ। କରୋନା ମହାମାରୀ ଓ ଲକ୍‌ଡାଉନ୍ ଯୋଗୁଁ ଦେଶରେ ମନ୍ଥର ହୋଇଯାଇଥିବା ଅର୍ଥନୈତିକ କାର୍ଯ୍ୟକଳାପରେ ଏବେ ସୁଧାର ଆସିଛି। ରେଳରେ ମାଲ ପରି‌ବହନ ତ୍ବରାନ୍ବିତ ହୋଇଛି। ସାର, କୋଇଲା, ଖାଦ୍ୟଶ୍ୟସ୍ୟ, ଦୁଗ୍ଧ, ପେଟ୍ରୋଲିୟମ ଉତ୍ପାଦ ଆଦିର ପରିବହନ ପୂର୍ବବର୍ଷର ଏହି ସପ୍ତାହ ତୁଳନାରେ ୯୨ ପ୍ରତିଶତ ବୃଦ୍ଧି ପାଇଛି। ସେହିଭଳି ଦେଶରେ ବିଦ୍ୟୁତ୍ ବ୍ୟବହାର ସହିତ ଜିଏସ୍‌ଟି ଆଦାୟ ମଧ୍ୟ ବଢ଼ିଛି। ଆସନ୍ତା ୩ରୁ ୪ ମାସ ମଧ୍ୟରେ ଦେଶରେ ଲୋକଙ୍କ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବା ନେଇ ଆଶା ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର