ନୂଆଦିଲ୍ଲୀ: ବିଶ୍ବ ବ୍ୟାଙ୍କ ଶିଳ୍ପ ଏବେ ସବୁଠୁ ଖରାପ ସମୟ ଦେଇ ଗତି କରୁଛି। ଗତ ୧୧ ଦିନ ଭିତରେ ୪ଟି ବ୍ୟାଙ୍କ ବୁଡ଼ିଯାଇଛି। ପଞ୍ଚମ ବ୍ୟାଙ୍କ ବୁଡ଼ିବା ଭଳି ସ୍ଥିତିରେ ରହିଛି। ବିଫଳ ହୋଇଥିବା ବ୍ୟାଙ୍କଗୁଡ଼ିକ ଭିନ୍ନ ଭିନ୍ନ କାରଣ ପାଇଁ ବନ୍ଦ ହୋଇଛି। ସିଲ୍ଭରଗେଟ୍ କ୍ୟାପିଟାଲ୍ କର୍ପ ବୁଡ଼ିବାର ପ୍ରମୁଖ କାରଣ ହେଉଛି କ୍ରିପ୍ଟୋରେ ଏହାର କାରବାର ଅଧିକ ଥିଲା। କ୍ରିପ୍ଟୋକରେନ୍ସି ବଜାର ଭୁଶୁଡ଼ିବା ପରେ ଏହି ବ୍ୟାଙ୍କର ଅବସ୍ଥା ଖରାପ ହୋଇଛି। ବ୍ୟାଙ୍କକୁ ବଞ୍ଚାଇବା ଲାଗି ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ହସ୍ତକ୍ଷେପ ଆରମ୍ଭ କରିଛି। ବ୍ୟାଙ୍କକୁ ବନ୍ଦ ହେବାରୁ କିଭଳି ରୋକାଯାଇପାରିବ ସେ ବିଷୟରେ ଫେଡେରାଲ୍ ରିଜର୍ଭ ଓ ଫେଡେରାଲ୍ ଡିପୋଜିଟ୍ ଇନ୍ସ୍ୟୁରାନ୍ସ କର୍ପ ବ୍ୟାଙ୍କର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରଖିଛନ୍ତି।
ସିଲିକନ୍ ଭାଲି ବ୍ୟାଙ୍କ ଷ୍ଟାର୍ଟଅପ୍ଗୁଡ଼ିକରେ ବିପୁଳ ନିବେଶ କରୁଥିଲା। ଦରଦାମ୍ ମୁକାବିଲା ଲାଗି ଫେଡେରାଲ୍ ରିଜର୍ଭ ବାରମ୍ବାର ସୁଧ ବଢ଼ାଇବା ପରେ ଋଣ ନେବା କଷ୍ଟକର ହୋଇପଡ଼ିଲା। ତେଣୁ ଷ୍ଟାର୍ଟଅପ୍ଗୁଡ଼ିକ ବ୍ୟାଙ୍କରେ ଯେଉଁ ଜମା ରାଶି ରଖିଥିଲେ ତାହା ଉଠାଇ କାମ ଚଳାଇଲେ। ଗୋଟିଏ ଦିନରେ ଜମାକାରୀମାନେ ୪୦୦୦ କୋଟି ଡଲାର ଉଠାଇ ନେବାରୁ ସିଲିକନ୍ ଭାଲି ଅବସ୍ଥା ଖରାପ ହୋଇଯାଇଥିଲା। ନୂତନ ପାଣ୍ଠି ହାସଲ କରିବା ଲାଗି ୪୮ ଘଣ୍ଟା ପର୍ଯ୍ୟନ୍ତ ଉଦ୍ୟମ କରିବା ପରେ ଆମେରିକାର ଆର୍ଥିକ ନିୟାମକ କର୍ତ୍ତୃପକ୍ଷ ବ୍ୟାଙ୍କକୁ ନିଜ ଅକ୍ତିଆରକୁ ଆଣି ତାହାର ସ୍ଥିତି ସୁଧାରିବାକୁ ଉଦ୍ୟମ କରୁଛନ୍ତି। ଆମେରିକାରେ ବିଫଳ ହୋଇଥିବା ତୃତୀୟ ବ୍ୟାଙ୍କ ହେଉଛି ସିଗ୍ନେଚର ବ୍ୟାଙ୍କ। ବ୍ୟାଙ୍କର ମୋଟ ଜମାର ୨୦% ରାଶିକୁ ଗ୍ରାହକମାନେ ଉଠାଇ ନେବା ପରେ ଏହି ବ୍ୟାଙ୍କ ବୁଡ଼ିଯାଇଥିଲା। ଏବେ ଆମେରିକାର ଫାଷ୍ଟ୍ ରିପବ୍ଲିକ୍ ବ୍ୟାଙ୍କର ଗ୍ରାହକମାନେ ମଧ୍ୟ ବିପୁଳ ପରିମାଣର ଜମା ରାଶି ଉଠାଉଛନ୍ତି। ତେଣୁ ଅନ୍ୟ ତିନି ବ୍ୟାଙ୍କ ଭଳି ଏହାର ଅବସ୍ଥା ମଧ୍ୟ ଖରାପ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଗତ ସପ୍ତାହରେ ବୁଡ଼ିଯାଇଥିବା ଅନ୍ୟତମ ବ୍ୟାଙ୍କ ହେଉଛି ସ୍ବିଜରଲ୍ୟାଣ୍ଡ୍ର କ୍ରେଡିଟ୍ ସ୍ବିସ୍। ଏହି ଦ୍ବିତୀୟ ବଡ଼ ସ୍ବିସ୍ ବ୍ୟାଙ୍କ ନିବେଶକଙ୍କଠାରୁ ନୂତନ ପାଣ୍ଠି ହାସଲ କରିବାର ବିଫଳ ହେବା ପରେ ସଙ୍କଟରେ ପଡ଼ିଥିଲା। ସ୍ବିଜରଲ୍ୟାଣ୍ଡ୍ର କେନ୍ଦ୍ରୀୟ ବ୍ୟାଙ୍କ ଓ ସରକାର ମିଳିତ ଭାବେ ଉଦ୍ୟମ କରି ୟୁବିଏସ୍ ବ୍ୟାଙ୍କ ଜରିଆରେ ତାହାକୁ ଉଦ୍ଧାର କରିଛନ୍ତି। କ୍ରେଡିଟ୍ ସ୍ବିସ୍କୁ ୟୁବିଏସ୍ ୩୨୫ କୋଟି ଟଙ୍କାରେ କିଣିଛି।