ଡବ୍ଲୁଟିଓରେ ବୁଝାମଣା ପାଇଁ ଅନ୍ତିମ ଚେଷ୍ଟା, ଭାରତ ଜିଦ୍‌ରେ ଅଟଳ

ନୂଆଦିଲ୍ଲୀ: ସ୍ବିଜରଲ୍ୟାଣ୍ଡ୍‌ର ଜେନେଭାରେ ଚାଲିଥିବା ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ର ମନ୍ତ୍ରୀସ୍ତରୀୟ ବୈଠକରେ ବାଣିଜ୍ୟ ବୁଝାମଣା ବିଷୟରେ ସହମତି ହାସଲ କରିବା ଲାଗି ଚୂଡ଼ାନ୍ତ ଉଦ୍ୟମ ଆରମ୍ଭ ହୋଇଛି। ତେବେ ଖାଦ୍ୟ ସବ୍‌ସିଡି, ମତ୍ସ୍ୟ ଚାଷ ଓ ଟିକା ଆଦି ସମ୍ପର୍କରେ ଭାରତ ଯେଉଁ ଦାବି କରିଥିଲା ସେଥିରେ ଅଟଳ ରହିଛି। ଚାରି ବର୍ଷର ବ୍ୟବଧାନରେ ଆରମ୍ଭ ହୋଇଥିବା ଡବ୍ଲୁଟିଓର ଏହି ବୈଠକରେ କୋଭିଡ୍‌ ମହାମାରୀର ମୁକାବିଲା, ମତ୍ସ୍ୟଚାଷ ପାଇଁ ଦିଆଯାଉଥିବା ସବ୍‌ସିଡି ହ୍ରାସ କରିବା, ଖାଦ୍ୟ ସୁରକ୍ଷା ପାଇଁ ସଂକଳ୍ପ ନେବା ଓ ଡବ୍ଲୁଟିଓ କାର୍ଯ୍ୟକଳାପରେ ସଂସ୍କାର ଆଣିବା ଭଳି ପ୍ରସଙ୍ଗରେ ୧୬୪ ସଦସ୍ୟ ଦେଶର ସହମତି ହାସଲ କରିବା ଲାଗି ଉଦ୍ୟମ କରାଯାଉଛି। ଏଥରର ବୈଠକରେ ମଧ୍ୟ କୌଣସି ସହମତି ହେବା ଭଳି ମନେ ହେଉନାହିଁ ବୋଲି ପାକିସ୍ତାନ ବାଣିଜ୍ୟ ମନ୍ତ୍ରୀ ସଇଦ ନବୀଦ କମର କହିଛନ୍ତି।

ବୈଠକରେ ଅଂଶଗ୍ରହଣ କରିଥିବା ଶତାଧିକ ବାଣିଜ୍ୟ ମନ୍ତ୍ରୀଙ୍କୁ ଡବ୍ଲ୍ୟୁଟିଓର ଡିଜି ନୋଜି ଓକୋଞ୍ଜୋ-ଇୱେଲା କହିଛନ୍ତି ଯେ ସମୟ ହାତରୁ ଖସିଯାଉଛି। ବିଭିନ୍ନ ପ୍ରସଙ୍ଗର ସମାଧାନ ହାସଲ କରିବା ଲାଗି ଆମକୁ ଅଧିକ ଉଦ୍ୟମ କରିବାକୁ ପଡ଼ିବ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଚୂଡ଼ାନ୍ତ ସହମତି ହାସଲ କରିବା ଲାଗି ବୈଠକର ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି। ବୈଠକରେ ଭାଗ ନେଇଥିବା ପ୍ରତିନିଧିମାନେ କହିଛନ୍ତି ଯେ କୌଣସି ପ୍ରକାର ସାଲିସ କରିବା ଲାଗି ଭାରତ ପ୍ରସ୍ତୁତ ଥିବା ଭଳି ଲାଗୁନାହିଁ। ଏମିତିରେ ବଡ଼ ବଡ଼ ବାଣିଜ୍ୟ ବୁଝାମଣାକୁ ଅଟକାଇବାର ଅପବାଦ ଭାରତ ନାମରେ ରହିଛି।

ଭାରତ ଓ ଦକ୍ଷିଣ ଆଫ୍ରିକା ଏବଂ ଅନ୍ୟ କେତେକ ବିକାଶଶୀଳ ଦେଶ ଟିକା, ଚିକିତ୍ସା ଓ ନିନାଦରର ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ଉଚ୍ଛେଦ କରିବା ଲାଗି ଦାବି କରିଛନ୍ତି। କିନ୍ତୁ ବଡ଼ ବଡ଼ ଔଷଧ କଂପାନି ଥିବା ଦେଶଗୁଡ଼ିକ ସେହି ପ୍ରସ୍ତାବକୁ ବିରୋଧ କରିଛନ୍ତି। ଟିକା ସମ୍ପର୍କରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଆମକୁ ଯାହା ଉପସ୍ଥାପନ କରାଯାଉଛି ତାହା ଆବଶ୍ୟକତାର ଅଧା। ଏଥିରେ ଆମେ ଟିକା ତିଆରି କରିପାରିବୁନି। ମତ୍ସ୍ୟ ଚାଷ ସମ୍ପର୍କରେ ସେ କହିଛନ୍ତି ଯେ ଆମ ଦେଶରେ ମତ୍ସ୍ୟଚାଷ ଛୋଟ ଆକାରରେ ହୋଇଥାଏ ଓ ତାହା ଗରିବ ମତ୍ସ୍ୟଜୀବୀମାନେ କରିଥାନ୍ତି। ମତ୍ସ୍ୟଚାଷରୁ ସବ୍‌ସିଡି ହ୍ରାସ କରିବା ଲାଗି ୨୫ ବର୍ଷର ସମୟ ଦିଆଯାଉ ବୋଲି ଭାରତ ଓ ଅନ୍ୟ କିଛି ଦେଶ ଦାବି କରିଛନ୍ତି। ମତ୍ସ୍ୟଚାଷ ସବ୍‌ସିଡି ହ୍ରାସ କରିବା ଲାଗି ଡବ୍ଲୁଟିଓ ବଡ଼ ଧରଣର ଉଦ୍ୟମ କରୁଛି। ଏହା ପ୍ରତିଷ୍ଠା ମଧ୍ୟ ଏହି ବୁଝାମଣା ଉପରେ ନିର୍ଭର କରୁଛି।

ସମ୍ବନ୍ଧିତ ଖବର