ବୀମା ଯୋଜନାର ସମୀକ୍ଷା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେପି) ଅନ୍ତର୍ଗତ କୋଭିଡ-୧୯ର ମୁକାବିଲା କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଘୋଷଣା କରାଯାଇଥିବା ବୀମା ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ଏହି ବୈଠକରେ ଅର୍ଥ ସେବା ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନି ଲିମିଟେଡର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏହି ଯୋଜନାର ବିଶେଷତ୍ବ ଏବଂ ବର୍ତ୍ତମାନସୁଦ୍ଧା କାର୍ଯ୍ୟକାରିତାର ସ୍ଥିତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଅଧିକାରୀମାନେ ଦାବିଗୁଡ଼ିକ ତ୍ବରାନ୍ବିତ କରିବା ନିମନ୍ତେ ରାଜ୍ୟ ନୋଡାଲ ଏଜେନ୍ସିଗୁଡ଼ିକ ସହିତ ପାଳନ କରାଯାଉଥିବା ବିଧିବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଏଥିସହିତ ମୃତକଙ୍କ ପରିବାର ନିକଟରେ ପହଞ୍ଚିବା ତଥା ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ହାସଲ କରିବା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ।ବୈଠକରେ ଦ୍ରୁତ ସମାଧାନ ଓ ଯଥାଶୀଘ୍ର ଲାଭାର୍ଥୀମାନଙ୍କୁ ଲାଭ ପହଞ୍ଚାଇବା ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।

ଏଥି ସହିତ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଫସଲ ଯୋଜନାର ମଧ୍ୟ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଅର୍ଥ ସେବା ବିଭାଗର ସଚିବ ଦେବାଶିଷ ପଣ୍ଡାଙ୍କ ସମେତ କୃଷି ସମବାୟ ଓ କୃଷକ କଲ୍ୟାଣ, ପିଏମଏଫବିୱାଇକୁ କାର୍ଯ୍ୟକାରୀ କରୁଥିବା ସାଧାରଣ ବୀମା କମ୍ପାନୀ ଓ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ କୃଷି, ସମବାୟ ଓ କୃଷକ କଲ୍ୟାଣ ବିଭାଗ ଦ୍ବାରା ଏକ ଉପସ୍ଥାପନା କରାଯାଇଥିଲା। ଏଥିରେ ୨୦୧୬ ଖରିଫ ଋତୁ ପରଠାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଯାତ୍ରା ସହିତ ଏହାର କାର୍ଯ୍ୟକାରିତାରେ ଦେଖାଦେଇଥିବା ସମସ୍ୟା ଏବଂ ଚଳିତ ୨୦୨୦ ଖରିଫ ଋତୁରେ ଏହାର କ୍ରିୟାନ୍ବୟନନ, ବିଶେଷ କରି ଏଥିରେ ଅଣାଯାଇଥିବା ସୁଧାରର ସୁଫଳ ବିଷୟରେ ଆଲୋଚନା କରାଯାଇଥିଲା। ଗତକାଲି ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଋଣ ଓ କାର୍ଯ୍ୟକାରୀ ପୁଞ୍ଜି ସମ୍ପର୍କିତ ଘୋଷଣାଗୁଡ଼ିକର କାର୍ଯ୍ୟକାରିତାରେ ‌େହାଇଥିବା ଅଗ୍ରଗତି ସମ୍ପର୍କରେ ଅର୍ଥମନ୍ତ୍ରୀ ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର