ବ୍ୟାଙ୍କଙ୍କୁ କହିଲେ ଅର୍ଥମନ୍ତ୍ରୀ: ୬୦% ପଞ୍ଚାୟତରେ ନାହିଁ ସ୍ଥାୟୀ ବ୍ୟାଙ୍କ ଶାଖା

ଗ୍ରାମାଞ୍ଚଳରେ ଅଧିକ ଶାଖା ଖୋଲ, ଶିକ୍ଷା, ଗୃହ ନିର୍ମାଣ ପାଇଁ ଋଣ ଦିଅ

ଭୁବନେଶ୍ବର: ରାଜ୍ୟରେ ୨,୭୩୮ଟି ଗ୍ରାମ ପଞ୍ଚାୟତରେ ୫,୬୦୭ ସ୍ଥାୟୀ ବ୍ୟାଙ୍କ ଶାଖା ରହିଛି। ଅର୍ଥାତ ମୋଟ ଗ୍ରାମପଞ୍ଚାୟତ ମଧ୍ୟରୁ ମାତ୍ର ୪୦% ଅଞ୍ଚଳରେ ସ୍ଥାୟୀ ଶାଖା ଅଛି। ଅନ୍ୟ ୬୦% ଗ୍ରାମାଞ୍ଚଳରେ ସ୍ଥାୟୀ ବ୍ୟାଙ୍କ ଶାଖା ନଥିବାରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦବେଗ ପ୍ରକାଶ କରିଛନ୍ତି। ଏହି ସବୁ ଅଞ୍ଚଳରେ ଶାଖା ଖୋଲିବା ଉପରେ ଗୁରୁତ୍ବ ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ୧୬୭ତମ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ବୈଠକରେ ଯୋଗ ଦେଇ ସେ କହିଛନ୍ତି ଯେ କିଛି ଅଞ୍ଚଳରେ ବ୍ୟାଙ୍କ ନଥିବାରୁ ସାଧାରଣ ଲୋକମାନେ ବ୍ୟାଙ୍କ ସେବାରୁ ବଞ୍ଚିତ ହେଉଛନ୍ତି। ବ୍ୟାଙ୍କଗୁଡ଼ିକ ଶାଖା ଖୋଲିଲେ ସେମାନଙ୍କ ପାଖରେ ସୁବିଧାରେ ବ୍ୟାଙ୍କ ସେବା ପହଞ୍ଚିପାରିବ। ଋଣ ପ୍ରଦାନ ବେଳେ ଶିକ୍ଷା ଓ ଗୃହ ନିର୍ମାଣକୁ ଅଗ୍ରାଧିକାର ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ରାଜ୍ୟର ଅଭିବୃଦ୍ଧି ଯେଭଳି ଆହୁରି ତ୍ବରାନ୍ବିତ ହୋଇପାରିବ ସେଥିପାଇଁ ଅଧିକ ଋଣ ଦେବାକୁ ମଧ୍ୟ ସେମାନଙ୍କୁ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ବୈଠକରୁ ଜଣାପଡ଼ିଛି ଯେ କୃଷି କ୍ଷେତ୍ର ଲାଗି ପ୍ରସ୍ତୁତ କରାଯାଇଥିବା ବାର୍ଷିକ ଋଣ ଯୋଜନାର ୯୫% ଲକ୍ଷ୍ୟ ହାସଲ ହୋଇପାରିବ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କୁ ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ ଦେବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ମହିଳା ଏସ୍‌ଏଚ୍‌ଜିଙ୍କୁ ଦିଆଯାଉଥିବା ଋଣର ପରିମାଣରକୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଏମ୍ଏସ୍‌ଏମ୍ଇ କ୍ଷେତ୍ରର ବାର୍ଷିକ ଋଣ ଯୋଜନା ଲକ୍ଷ୍ୟ ହାସଲ ‌ହୋଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି।

୨୦୨୨-୨୩ ଆର୍ଥିକ ବର୍ଷରେ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକୁ ୧.୩୪ ଲକ୍ଷ କୋଟି ଟଙ୍କାର ଋଣ ଦେବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଜିଲ୍ଲା ପ୍ରଶାସନ ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ କରିବା ଲାଗି ବ୍ୟାଙ୍କଗୁଡ଼ିକ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଶ୍ରୀ ପୂଜାରୀ ଆଶା ବ୍ୟକ୍ତ କରିଛନ୍ତି। କୃଷି, ଉଦ୍ୟୋଗ, ଏସ୍‌ଏଚ୍‌ଜିଙ୍କ ଆର୍ଥିକ ବିକାଶ ଓ ରାଜ୍ୟର ପ୍ରଗତି ପାଇଁ ସମୟୋଚିତ ଋଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ଏସ୍‌ଏଲ୍‌ବିସି ଅଧ୍ୟକ୍ଷ ତଥା ୟୁକୋ ବ୍ୟାଙ୍କର ଏମ୍‌ଡି ଓ ସିଇଓ ସୋମା ଶଙ୍କର ପ୍ରସାଦ କହିଛନ୍ତି ଯେ ରାଜ୍ୟର ଋଣ ଜମା ଅନୁପାତରେ ଗତବର୍ଷ ତୁଳନାରେ ୦.୧୫-୦.୧୬% ବୃଦ୍ଧି ଘଟି ତାହା ୭୨%ରେ ପହଞ୍ଚିଛି। ଓଡ଼ିଶା ହେଉଛି ଦେଶର କିଛି ହାତଗଣତି ରାଜ୍ୟ ମଧ୍ୟରୁ ଅନ୍ୟତମ ଯେଉଁଠାରେ ସଂଗ୍ରହ କରାଯାଉଥିବା ଜମାର ସିଂହଭାଗ ରାଜ୍ୟ ଭିତରେ ଋଣ ଆକାରରେ ପ୍ରଦାନ କରାଯାଉଛି। ଏମ୍ଏସ୍‌ଏମ୍ଇ, କୃଷି ଓ ଖୁଚୁରା ଋଣ ଭାବେ ଅଧିକ ଋଣ ଦିଆଯାଉଛି।

ବ୍ୟାଙ୍କଗୁଡ଼ିକ ଆର୍ଥିକ ବର୍ଷର ଶେଷ ତିନି ମାସରେ ଅଧିକ ଋଣ ଦେବା ଉପରେ ଜୋର ‌ଦେଉଛନ୍ତି। ସେଭଳି ପ୍ରଥାକୁ ଜାରି ନରଖି ସାରା ବର୍ଷ ଯେଭଳି ସମାନ ଭାବେ ଋଣ ଦିଆଯିବ ସେଥିପାଇଁ ବ୍ୟବସ୍ଥା ବିକଶିତ କରିବାକୁ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ବ୍ୟାଙ୍କଗୁଡ଼ିକୁ କହିଥିବା ଶ୍ରୀ ପ୍ରସାଦ ସୂଚନା ଦେଇଛନ୍ତି। ଏହି ଅବସରରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ, ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦେଶକ ଏଚ୍‌ ଏନ୍ ପଣ୍ଡା, ନାବାର୍ଡର ସିଜିଏମ୍ ସି ଉଦୟଭାସ୍କର, ଷ୍ଟେଟ୍‌ ବ୍ୟାଙ୍କର ସିଜିଏମ୍‌ ଚନ୍ଦ୍ର ଶେଖା ଶର୍ମା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର