ନୂଆଦିଲ୍ଲୀ: ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ତ୍ବରାନ୍ବିତ କରିବା ଲାଗି ସରକାର ଉଦ୍ୟୋଗ ବିଭାଗକୁ ଅର୍ଥ ମନ୍ତ୍ରଣାଳୟ ଅଧୀନକୁ ଅଣାଯାଇଛି। ଏଥି ସହିତ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭାଗ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ସେହି ବିଭାଗଗୁଡ଼ିକ ହେଉଛି ଅର୍ଥନୈତିକ ବ୍ୟାପାର ବିଭାଗ, ରାଜସ୍ବ ବିଭାଗ, ବ୍ୟୟ ବିଭାଗ, ନିବେଶ ଓ ସରକାରୀ ସମ୍ପତ୍ତି ପରିଚାଳନା ବିଭାଗ, ଆର୍ଥିକ ସେବା ବିଭାଗ ଓ ସରକାରୀ ଉଦ୍ୟୋଗ ବିଭାଗ। ସରକାରୀ ଉଦ୍ୟୋଗଗୁଡ଼ିକ ଉପରେ ଅଧିକ ନିୟନ୍ତ୍ରଣ ହାସଲ କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଦ୍ବାରା ଘରୋଇକରଣ ପ୍ରକ୍ରିୟା ଦ୍ରୁତ ଗତିରେ ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି। ପୂର୍ବରୁ ସରକାରୀ ଉଦ୍ୟୋଗ ମନ୍ତ୍ରଣାଳୟଟି ‘ଭାରି ଶିଳ୍ପ ଓ ସରକାରୀ ଉଦ୍ୟୋଗ ମନ୍ତ୍ରଣାଳୟ’ ଅଧୀନରେ ଥିଲା। ସରକାରୀ ଉଦ୍ୟୋଗ ବିଭାଗ ବାହାରିଯିବା ପରେ ଏହି ମନ୍ତ୍ରଣାଳୟର ନାମ ‘ଭାରି ଶିଳ୍ପ ମନ୍ତ୍ରଣାଳୟ’ ରଖାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ସୃଷ୍ଟି ହୋଇଥିବା ପୁଞ୍ଜି ପ୍ରତ୍ୟାହାର ମନ୍ତ୍ରଣାଳୟକୁ କିଛି ବର୍ଷ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଅଧୀନକୁ ଅଣାଯାଇଥିଲା। ସେହିପରି, ବୈଦେଶିକ ନିବେଶ ପ୍ରସାର ବୋର୍ଡ (ଏଫ୍ଆଇପିବି)କୁ ଉଚ୍ଛେଦ କରି ବୈଦେଶିକ ନିବେଶ ବ୍ୟାପାରର ପ୍ରଶାସନିକ କାର୍ଯ୍ୟ ଅର୍ଥ ମନ୍ତ୍ରଣାଳୟକୁ ହସ୍ତାନ୍ତର କରାଯାଇଥିଲା। ଏବେ ସରକାରୀ ଉଦ୍ୟୋଗ ବିଭାଗ ଅର୍ଥ ମନ୍ତ୍ରଣାଳୟ ଅଧୀନକୁ ଅଣାଯାଇଥିବାରୁ ଏହି ଉଦ୍ୟୋଗଗୁଡ଼ିକର ପୁଞ୍ଜି ବ୍ୟୟ, ସେମାନଙ୍କ ପାଖରେ ଥିବା ସମ୍ପତ୍ତିକୁ ଉପାର୍ଜନ ଯୋଗ୍ୟ କରିବା ଏବଂ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗଗୁଡ଼ିକର ସ୍ଥିତି ସୁଧାରିବା କାର୍ଯ୍ୟ ଉପରେ ଉତ୍ତମ ନିୟନ୍ତ୍ରଣ ହାସଲ କରାଯାଇପାରିବ। ଅର୍ଥ ମନ୍ତ୍ରଣାଳୟ ଅଧୀନରେ ସରକାରୀ ବିଭାଗ କେଉଁ ସବୁ କାର୍ଯ୍ୟ କରିବ ତାହା ମଧ୍ୟ ନିର୍ଧାରଣ କରାଯାଇଛି। ଏହା କେନ୍ଦ୍ରୀୟ ପିଏସ୍ୟୁଗୁଡ଼ିକର ପ୍ରଦର୍ଶନରେ ଉନ୍ନତି ଆଣିବା, ରୁଗ୍ଣ ଓ ବନ୍ଦ ହୋଇପଡ଼ିଥିବା ଉଦ୍ୟୋଗର ପୁନରୁଦ୍ଧାର ଲଗି ଉଦ୍ୟମ କରିବା, କର୍ମଚାରୀମାନଙ୍କ କାଉନ୍ସେଲିଂ, ପ୍ରଶିକ୍ଷଣ ଓ ଥଇଥାନ ଏବଂ ସ୍ବେଚ୍ଛାକୃତ ଅବସର ସ୍କିମ୍ ଉପରେ କାର୍ଯ୍ୟ କରିବ। କେନ୍ଦ୍ରୀୟ ପିଏସ୍ୟୁଗୁଡ଼ିକୁ ଏହା ବିଭିନ୍ନ ‘ରତ୍ନ’ ବର୍ଗରେ ସ୍ଥାନିତ କରିବ।
ଭାରି ଶିଳ୍ପ ମନ୍ତ୍ରଣାଳୟ ପୂର୍ବଭଳି ସ୍ବତନ୍ତ୍ର ମନ୍ତ୍ରଣାଳୟ ଭାବେ କାର୍ଯ୍ୟ କରିବ। ଏହା ଅଧୀନରେ ମାରୁତି ଉଦ୍ୟୋଗ ଲିମିଟେଡ୍, ଭେଲ୍, ସିମେଣ୍ଟ୍ କର୍ପୋରେସନ, ସ୍କୁଟର ଇଣ୍ଡିଆ, ଏଚ୍ଏମ୍ଟି ଭଳି ୪୪ଟି କେନ୍ଦ୍ରୀୟ ପିଏସ୍ୟୁ ରହିବ। ଏହି ମନ୍ତ୍ରଣାଳୟ ଅଧୀନରେ ଥିବା ଅନେକ ସଂସ୍ଥା ରୁଗ୍ଣ ହୋଇପଡ଼ିଥିବା ବେଳେ ବିକ୍ରି ଅପେକ୍ଷାରେ ରହିଛନ୍ତି। କ୍ଷତିରେ ଚାଲୁଥିବା ପିଏସ୍ୟୁଗୁଡ଼ିକୁ ବନ୍ଦ କରାଯିବ ବୋଲି ଚଳିତ ବର୍ଷ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ। ସରକାରୀ ଉଦ୍ୟୋଗ ପାଖରେ ଥିବା ଜମିରୁ ଯେଭଳି ଉପାର୍ଜନ ହୋଇପାରିବ ତାହା ନିଶ୍ଚିତ କରିବା ଲାଗି ଏକ ସ୍ପେସିଆଲ୍ ପରପସ୍ ଭେଇକିଲ୍ (ଏସ୍ପିଭି) ଗଠନ କରାଯାଇଛି।