ଆର୍ଥିକ ନିଅଣ୍ଟ ୩୦ ହଜାର କୋଟି ଟପିବ! କେନ୍ଦ୍ରୀୟ ପ୍ରାପ୍ତିରୁ ୧୮% ମିଳିନି, ରାଜସ୍ବ ଆୟ ୮.୮% ହ୍ରାସ

କୃଷି, ଭିତ୍ତିଭୂମି, ସାମାଜିକ କ୍ଷେତ୍ରରେ ବିନିଯୋଗ କମିଛି

ଭୁବନେଶ୍ୱର: ଅର୍ଥର ଅଭାବ ନାହିଁ, ମାତ୍ର ବିନିଯୋଗ ନୈରାଶ୍ୟଜନକ, ରାଜସ୍ବ ଆୟ ମଧ୍ୟ ଉତ୍ସାହଜନକ ନୁହେଁ। ପୁଣି ଆସନ୍ତା ଆର୍ଥିକ ବର୍ଷରେ ଆର୍ଥିକ ନିଅଣ୍ଟ ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍ଡ଼ିପି)ର ୫.୪% ଟପିବ। ବିଦାୟୀ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗତ ଡିସେମ୍ବର ୩୦ରେ ଅନୁଷ୍ଠିତ ଶେଷ ସଚିବ ସ୍ତରୀୟ ବୈଠକରେ ଏଭଳି ଏକ ଧୂଷର ଚିତ୍ର ପ୍ରତିଫଳିତ ହୋଇଛି। ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନାଙ୍କ ଦ୍ୱାରା ବୈଠକରେ ଉପସ୍ଥାପିତ ଆର୍ଥିକ ଚିତ୍ରରୁ ଏଭଳି ସଙ୍କେତ ମିଳୁଛି।

ମୀନାଙ୍କ ସୂଚନା ଅନୁଯାୟୀ କୋଭିଡ୍ ସଂକ୍ରମଣଜନିତ ମାନ୍ଦାବସ୍ଥା ଦୃଷ୍ଟିରୁ ରାଜ୍ୟଗୁଡ଼ିକର ଆର୍ଥିକ ନିଅଣ୍ଟ ବୃଦ୍ଧି ପାଇବ ବୋଲି କେନ୍ଦ୍ର ସରକାର ଆକଳନ କରିଛନ୍ତି। ତଦନୁଯାୟୀ ଓଡ଼ିଶା ଭଳି ରାଜ୍ୟଗୁଡ଼ିକର ଆର୍ଥିକ ନିଅଣ୍ଟ ଅଧିକ ୨% ବଢ଼ିଲେ କେନ୍ଦ୍ରର ଆପତ୍ତି ନାହିଁ। ତେବେ ଆର୍ଥିକ ନିଅଣ୍ଟ ବୃଦ୍ଧି ସକାଶେ କେନ୍ଦ୍ର ୪ଟି ପ୍ରମୁଖ ସର୍ତ୍ତ ଆରୋପ କରିଛି। ସେଥିରେ ଗୋଟିଏ ଦେଶ ଗୋଟିଏ ରାସନ୍ କାର୍ଡ଼, ବିଦ୍ୟୁତ ଆବଣ୍ଟନରେ ସଂସ୍କାର, ପୌରାଞ୍ଚଳ ରାଜସ୍ବ ବୃଦ୍ଧି ଓ ଶିଳ୍ପାୟନ ପାଇଁ ଅନୁକୂଳ ବାତାବରଣ (ଇଜ୍ ଅଫ୍ ଡୁର୍ଂ ବିଜିନେସ୍) ଅନ୍ତର୍ଭୁକ୍ତ ଏଥିରୁ ଅଧିକାଂଶ ସର୍ତ୍ତ ଓଡ଼ିଶା କାର୍ଯ୍ୟକାରୀ କରିଥିବାରୁ ଆଉ ୨% ଆର୍ଥିକ ନିଅଣ୍ଟ ସହ ସରକାର ବଜେଟ୍ ଚୂଡ଼ାନ୍ତ କରିବାରେ କୌଣସି ପ୍ରତିବନ୍ଧକ ନାହିଁ। ୨୦୨୦-୨୧ ବଜେଟ୍‌ରେ ରାଜ୍ୟର ଆର୍ଥିକ ନିଅଣ୍ଟ ୧୭,୮୭୮ କୋଟି ଟଙ୍କା; ଯାହା ଜିଏସ୍ଡ଼ିପିର ୩% ଆକଳନ କରାଯାଇଥିଲା। ପରେ ସଂଶୋଧିତ ଆକଳନ ଅନୁଯାୟୀ ଆର୍ଥିକ ନିଅଣ୍ଟ ଆଉ ୬୯୩ କୋଟି ହେବ ବୋଲି ଆକଳନ କରାଯିବା ବେଳେ ତାହା ଜିଏସ୍ଡ଼ିପିର ୩.୪୧%ରେ ପହଞ୍ଚିବା ହିସାବ କରାଯାଇଥିଲା। ଅତିରିକ୍ତ ୨% ଆର୍ଥିକ ନିଅଣ୍ଟ ହିସାବରେ ତାହା ୩୦ ହଜାର କୋଟି ଟପିବା ଅସମ୍ଭବ ନୁହେଁ ବୋଲି ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କରୁଛନ୍ତି।

ଅର୍ଥ ବିନିଯୋଗ ସଂକ୍ରାନ୍ତରେ ଶ୍ରୀ ମୀନା ଦେଇଥିବା ସୂଚନା ଅନୁଯାୟୀ ପୂର୍ବ ବର୍ଷ ତୁଳନାରେ ୨୦୨୦-୨୧ ବଜେଟ୍ରେ କାର୍ଯ୍ୟକ୍ରମ ବାବଦ ବ୍ୟୟକୁ ୧୩.୯୨% ବୃଦ୍ଧି କରାଯାଇଥିଲା। ମାତ୍ର ଋଣ ପରିଶୋଧ ବ୍ୟୟକୁ ବାଦ ଦେଲେ ନଭେମ୍ବର ଶେଷ ସୁଦ୍ଧା ବଜେଟ୍ ଆକଳନର ୪୨.୦୯% ବ୍ୟୟ ସମ୍ଭବ ହୋଇଛି। ପୂର୍ବ ଆର୍ଥିକ ବର୍ଷ (୨୦୧୯-୨୦)ରେ ନଭେମ୍ବର ଶେଷ ସୁଦ୍ଧା ଏହାଠାରୁ ଅଧିକ ୧୯.୬୮% ବଜେଟ୍ ଅର୍ଥ ବିନିଯୋଗ ହୋଇଥିଲା। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ୨୦୨୦ ନଭେମ୍ବର ଶେଷ ସୁଦ୍ଧା ବଜେଟ୍ ଆକଳନର ମାତ୍ର ୧୭.୬୬% ଅର୍ଥ ବିନିଯୋଗ ହୋଇଛି; ଯାହା ପୂର୍ବ ବର୍ଷ ତୁଳନାରେ ୩୧.୫୬% କମ୍। ଗତ ଦୁଇ ବର୍ଷର ବଜେଟ୍ ଆକଳନକୁ ତୁଳନା କଲେ ୨୦୨୦-୨୧ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା କୃଷି କ୍ଷେତ୍ରରେ ବିନିଯୋଗ ହାର ୬୫.୧୨% ହ୍ରାସ ପାଇଛି। ସେହିପରି ଭିତ୍ତିଭୂମି କ୍ଷେତ୍ରରେ ବ୍ୟୟ ପୂର୍ବ ବର୍ଷ ତୁଳନାରେ ୨୨% କମ୍। ସାମାଜିକ କ୍ଷେତ୍ରରେ କାର୍ଯ୍ୟକ୍ରମ ବ୍ୟୟ ମଧ୍ୟ ପୂର୍ବ ବର୍ଷ ତୁଳନାରେ ୪% ହ୍ରାସ ପାଇଛି। ତେବେ କରୋନା ମହାମାରୀ କାଳରେ ଖାଦ୍ୟ ସୁରକ୍ଷା ବାବଦ ବ୍ୟୟ ବୃଦ୍ଧି ଓ ରାସନ୍ କାର୍ଡ଼ଧାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନରେ ଅଧିକ ଅପ୍ରତ୍ୟାଶିତ ବ୍ୟୟ ହୋଇଥିବାରୁ ଅନ୍ୟାନ୍ୟ ବିଭାଗରେ କାର୍ଯ୍ୟକ୍ରମ ବ୍ୟୟ ପାଖାପାଖି ୩୪% ବଢ଼ିଛି। ସେ ଦର୍ଶାଇଛନ୍ତି ଯେ ବଜେଟ୍ ବ୍ୟବସ୍ଥାକୁ ଛାଡ଼ି ଜିଲ୍ଲା ଖଣିଜ ଫାଉଣ୍ଡେସନ୍ (ଡିଏମ୍ଏଫ୍) ଏବଂ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ପରିଷଦ (ଓମ୍ବାଡ୍‌ସି) ପାଣ୍ଠିରୁ ପ୍ରାୟ ୩୦ ହଜାର କୋଟି ଟଙ୍କାର ଅତିରିକ୍ତ ସମ୍ବଳ ଉପଲବ୍ଧ, ମାତ୍ର ତାହାର ଆଶାନୁରୂପ ବିନିଯୋଗ ହେଉ ନାହିଁ। ଖଣି କ୍ଷତିଗ୍ରସ୍ତ ଅଞ୍ଚଳରେ ବିନିଯୋଗ ପାଇଁ ଓମ୍ବାଡ୍‌ସି ପାଣ୍ଠି ଉଦ୍ଦିଷ୍ଟ ଥିବାରୁ ଡିଏମ୍ଏଫ୍‌କୁ ଅନ୍ୟାନ୍ୟ ଅଗ୍ରାଧିକାର କ୍ଷେତ୍ରରେ ବିନିଯୋଗ କରିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଥିଲେ।

ବିଭାଗର ପ୍ରମୁଖ ସଚିବ ଦର୍ଶାଇଥିଲେ ଯେ ଗତ ନଭେମ୍ବର ଶେ ସୁଦ୍ଧା କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟର ପ୍ରାପ୍ତିଯୋଗ୍ୟ ଅର୍ଥ ୧୮% ହ୍ରାସ ପାଇବାରୁ ରାଜ୍ୟର ରାଜସ୍ବ ଆୟ ୮.୮% କମିଛି। ତେବେ ଖଣି ଲିଜ୍ ନବୀକରଣ ବାବଦରେ ଏକକାଳୀନ ଦେୟ ଅସୁଲ ଯୋଗୁଁ ଅଣଟିକସ ରାଜସ୍ବ ପୂର୍ବ ବର୍ଷ ତୁଳନାରେ ୨୩.୨୯% ବଢ଼ିଛି। ଏବେ ରାଜସ୍ବ ଅସୁଲ ସାମାନ୍ୟ ବୃଦ୍ଧି ପାଇଥିଲେ ମଧ୍ୟ କୋଭିଡ୍-୧୯ ଜନିତ ଅଚଳାବସ୍ଥା ଯୋଗୁଁ ବଜେଟ୍ ଆକଳନ ଅନୁସାରେ ତାହା ୪.୮୬% କମ୍।

ସମ୍ବନ୍ଧିତ ଖବର