ପର୍ଯ୍ୟଟନ ଶିଳ୍ପ ପାଇଁ ଆସିବ ଆର୍ଥିକ ପ୍ୟାକେଜ୍, ମୁଖ୍ୟମନ୍ତ୍ରୀ ଶୀଘ୍ର ଘୋଷଣା କରିବେ

ରିଭର୍ କ୍ରୁଜ୍ ମାନଚିତ୍ରରେ ଓଡ଼ିଶା ସ୍ଥାନ ପାଇବ: ବିଶାଲ ଦେବ

ଭୁବନେଶ୍ବର, ୧୩/୬(ଇମିସ): କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ପର୍ଯ୍ୟଟନ ଶିଳ୍ପ ଲାଗି ରାଜ୍ୟ ସରକାର ଖୁବ୍‌ଶୀଘ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା କରିବେ। ଫିକି ଓଡ଼ିଶା ପକ୍ଷରୁ ଆୟୋଜିତ ‘ କୋଭିଡ୍ଏ-୧୯: ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ପ୍ରଭାବ’ ଶୀର୍ଷକ ୱେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାର ପର୍ଯ୍ୟଟନକୁ ବିଶ୍ବସ୍ତରୀୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହୁଛନ୍ତି। ରାଜ୍ୟ ବଜେଟ୍‌ରେ ମଧ୍ୟ ପର୍ଯ୍ୟଟନ କ୍ଷେତ୍ର ଲାଗି ଅଧିକ ବ୍ୟୟବରାଦ କରାଯାଇଛି। ଏହି କ୍ଷେତ୍ରର ଶୀଘ୍ର ପୁନରୁଦ୍ଧାର ହେବା ଦରକାର। ମୁଖ୍ୟମନ୍ତ୍ରୀ ଖୁବ୍‌ଶୀଘ୍ର ପର୍ଯ୍ୟଟନ କ୍ଷେତ୍ର ଲାଗି ପ୍ୟାକେଜ୍ ଘୋଷଣା କରିବେ ବୋଲି ସେ କହିଛନ୍ତିି। ପର୍ଯ୍ୟଟନ ଓ ଆତିଥେୟତା ଶିଳ୍ପର ପୁନରୁଦ୍ଧାର ଲାଗି ସାମଗ୍ରିକ ଉଦ୍ୟମ ଲୋଡ଼ା ବୋଲି ସେ କହିଛନ୍ତି। ସରକାରୀ ସ୍କିମ୍‌ରେ ସ୍ବାସ୍ଥ୍ୟ, ଶିକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ତୁଳନାରେ ପର୍ଯ୍ୟଟନକୁ ସେଭଳି ଅଗ୍ରାଧିକାର ଦିଆଯାଇନଥିବା ବିଷୟକୁ ସେ ସ୍ବୀକାର କରିଛନ୍ତି।
ଏହି ଅବସରରେ ଫିକି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷା ତଥା ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଛନ୍ତି ଯେ ମେକ୍ ଇନ୍ ଓଡ଼ିଶା, କୃଷି ଓଡ଼ିଶା ଭଳି କାର୍ଯ୍ୟକ୍ରମ ପାଇଁ ଫିକି ଓଡ଼ିଶା ରାଜ୍ୟ ସରକାରଙ୍କ ଜାତୀୟ ଶିଳ୍ପ ସହଯୋଗୀ ଭାବେ କାର୍ଯ୍ୟ କରୁଛି। ଟିକାକରଣ ଅଭିଯାନ ଓ ମେଡିକାଲ୍ ଅକ୍ସିଜେନ୍ ଯୋଗାଣ ଲାଗି ଗଠନ କରାଯାଇଥିବା ଟାସ୍କଫୋର୍ସରେ ମଧ୍ୟ ଫିକି ଓଡ଼ିଶା ହେଉଛି ଏକ ଅଂଶ। ଏହି ଅବସରରେ ଫିକି ପର୍ଯ୍ୟଟନ ଜାତୀୟ କମିଟିର ସହ ଅଧ୍ୟକ୍ଷ ଜେ କେ ମହାନ୍ତି କହିଛନ୍ତି ଯେ ସରକାର ସର୍ବଦା ଶିଳ୍ପର ଦାବିକୁ ବିଚାରକୁ ନେଇ ସର୍ବୋଚ୍ଚ ସ୍ତରରେ ଆଲୋଚନା କରନ୍ତି।

ଭର୍ଚୁଆଲ୍ ରାଉଣ୍ଡ୍‌ଟେବୁଲ୍‌ରେ ପର୍ଯ୍ୟଟନ ନିର୍ଦେଶକ ସଚ୍ଚିନ ରାମଚନ୍ଦ୍ର ଯାଦବ ଏବଂ ହୋଟେଲ୍‌ ଓ ଆତିଥେୟତା ଶିଳ୍ପର ୯୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରିପ୍ ପ୍ରୋସେସ୍‌ର ନିର୍ଦେଶକ ଏସ୍‌ କେ ଦାଶ, କାମାତ ଗ୍ରୁପ୍ ଅଫ୍‌ ହୋଟେଲସ୍‌ର ସିଇଓ ବିଶାଲ କାମାତ, ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟିର ପ୍ରତିଷ୍ଠାତା ସଭାପତି ସଞ୍ଜୀବ କୁମାର ରାଉତ, କ୍ରାଉନ୍ ହୋଟେଲ୍‌ର ନିର୍ଦେଶକ ଦେବାଶିଷ ପଟ୍ଟନାୟକ, ନୀଳୟ ରେସିଡେନ୍ସିର ଏମ୍‌ଡି ପ୍ରଦୀପ୍ତ ମହାପାତ୍ର, ମାଚେମ୍‌ର ନିର୍ଦେଶକ ଜେ କେ ରଥ, ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର କମଳାକାନ୍ତ ଦାସ ଓ ମେ’ଫେୟାର ହୋଟେଲ୍‌ର ସଭାପତି ମନୋଜ ଗୌଡ଼ ପ୍ରମୁଖ ଭାଗ ନେଇଥିଲେ।

ରିଭର୍ କ୍ରୁଜ୍ ମାନଚିତ୍ରରେ ଓଡ଼ିଶା ସ୍ଥାନ ପାଇବ: ବିଶାଲ ଦେବ
ଫିକି ଓଡ଼ିଶା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ଓ ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ କହିଛନ୍ତି ଯେ ପର୍ଯ୍ୟଟନ ଓ ଆତିଥେୟତା ଶିଳ୍ପ ସାମ୍ନା କରୁଥିବା ସମସ୍ୟା ବିଷୟରେ ସରକାର ଅବଗତ ଅଛନ୍ତି। ଏହି ଶିଳ୍ପକୁ ସାହାଯ୍ୟ କରିବା ଲାଗି ଏକ ପ୍ୟାକେଜ୍ ଉପରେ ଆମେ କାର୍ଯ୍ୟ କରୁଛୁ। ଏଥିରେ ହୋଟେଲ୍‌, ରେସ୍ତୋରାଁ, ଟୁର ଅପରେଟର ଓ ଆତ୍ମ ନିଯୁକ୍ତ ବ୍ୟକ୍ତି ଯଥା ଫଟୋଗ୍ରାଫର, ଗାଇଡ୍‌ ଆଦିକୁ ସାମିଲ କରାଯିବ। ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ଲାଗି ଆମେ ପଡ଼ୋଶୀ ରାଜ୍ୟଗୁଡ଼ିକରେ ରୋଡ୍‌ ସୋ’ ଓ ରୋଡ୍ ଟ୍ରିପ୍ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛୁ। ଇକୋ-ରିଟ୍ରିଟ୍‌କୁ ଅଧିକ ସ୍ଥାନକୁ ସମ୍ପ୍ରସାରିତ କରିବୁ। ଆକର୍ଷଣୀୟ ପ୍ୟାକେଜ୍ ପ୍ରସ୍ତୁତ କରିବା ଲାଗି ସହଯୋଗୀ ଚୟନ କରାଯାଇଥିବା ସେ କହିଛନ୍ତି। ସ୍ବତନ୍ତ୍ର କ୍ରୁଜ୍, ହାଉସ୍‌ବୋଟ୍‌ର ବ୍ୟବସ୍ଥା କରାଯିବ।

ଏଥିପାଇଁ ଦେଶର ସର୍ବବୃହତ ରିଭର କ୍ରୁଜ୍ ଅପରେଟରଙ୍କୁ ଚୟନ କରାଯାଇଛି। ଆସନ୍ତାବର୍ଷ ସୁଦ୍ଧା ଓଡ଼ିଶା ଦେଶର ବିଳାସପୂର୍ଣ୍ଣ ରିଭର୍ କ୍ରୁଜ୍ ମାନଚିତ୍ରରେ ସ୍ଥାନ ପାଇବ ବୋଲି ସେ କହିଛନ୍ତି। ଦୀର୍ଘମିଆଦୀ ଲକ୍ଷ୍ୟକୁ ନଜରରେ ରଖି ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କରାଯାଉଛି। ପ୍ରତିଟି ପର୍ଯ୍ୟଟନ ସ୍ଥଳକୁ ଏକ ସାମଗ୍ରିକ କ୍ଷେତ୍ର ଭାବେ ବିଚାର କରି ସେଥିପାଇଁ ମାଷ୍ଟର ପ୍ଲାନ୍ ତିଆରି କରାଯାଉଛି। ୭୦ଟି ପର୍ଯ୍ୟଟନ ସର୍କିଟ୍‌କୁ ନେଇ ଅଗ୍ରାଧିକାର ସ୍ଥାନର ତାଲିକା ପ୍ରସ୍ତୁତ କରାଯାଇଛି। ସରକାର ସେଥିରେ ବିପୁଳ ପରିମାଣର ନିବେଶ କରିବେ ବୋଲି ଶ୍ରୀ ଦେବ କହିଛନ୍ତି। ଭିତ୍ତିଭୂମି ବିକାଶ ଲାଗି ବଜେଟ୍ ପରିମାଣ ଦ୍ବିଗୁଣିତ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର