ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ, ନିବେଶକ ହରାଇଲେ ୨୭ ଲକ୍ଷ କୋଟି

ନୂଆଦିଲ୍ଲୀ: ଅର୍ଥନୀତି ଓ ନିବେଶକଙ୍କ ପାଇଁ ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ଥିଲା। ବିଶେଷକରି ଦଲାଲ ଷ୍ଟ୍ରିଟ୍‌ର ନିବେଶକଙ୍କ ପାଇଁ ଏହା ଏକ ଖରାପ ବର୍ଷ ସାବ୍ୟସ୍ତ ହୋଇଛି। ୨୦୧୯ ମ‌େ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ଶପଥ ନେଇଥିଲା। ତେଣୁ ଚଳିତବର୍ଷ ମେ ୩୦ରେ ମୋଦୀ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ପାଳନ ହୋଇଛି। ଏହି ସମୟରେ ଦଲାଲ ଷ୍ଟ୍ରିଟ୍‌ର ଇକ୍ବିଟି ନିବେଶକମାନେ ୨୭ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ହରାଇଛନ୍ତି। ଦେଶର ମୋଟ ଜିଡିପିର ଏହା ୧୩.୫ ପ୍ରତିଶତ ବୋଲି ଆକଳନ କରାଯାଇଛି।

କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଦେଶରେ ଲାଗୁ କରିଥିବା ଲକ୍‌ଡାଉନ୍ ଦ୍ବାରା ଅର୍ଥନୀତି ବିପୁଳ ମାତ୍ରାରେ କ୍ଷତି ସହିଛି। ଅର୍ଥନୀତି ଏବଂ ଲୋକଙ୍କ ଜୀବନଜୀବିକାକୁ ବଞ୍ଚାଇ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ‌ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିଛନ୍ତି। ତାହା ତୁଳନାରେ ନିବେଶକମାନେ ସହିଥିବା କ୍ଷତି ପରିମାଣ ୩୫ ପ୍ରତିଶତ ଅଧିକ। ଲକ୍‌ଡାଉନ୍ ଅବଧିରେ ପ୍ରତି ୧୦ଟି ଷ୍ଟକ୍ ମଧ୍ୟରୁ ଗୋଟିଏ ଷ୍ଟକ୍‌ ମୂଲ୍ୟ ନିମ୍ନମୁଖୀ ହୋଇଛି। ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇଥିବା ସମୁଦାୟ କମ୍ପାନି ଗୁଡ଼ିକ ମଧ୍ୟରୁ ମାତ୍ର ୧୦ ପ୍ରତିଶତ କମ୍ପାନି କେବଳ ସମ୍ମାନଜନକ ଦୁଇଅଙ୍କ ବିଶିଷ୍ଟ ରିଟର୍ଣ୍ଣ ଦେଇପାରିଛନ୍ତି। ୨୦୧୯ ମେ ୩୦ରେ ନରେନ୍ଦ୍ର ମୋଦୀ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନି ଗୁଡ଼ିକର ମୋଟ ବଜାରପୁଞ୍ଜି ୧୫୪.୪୪ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୦ ମେ ୨୯ ତାରିଖରେ ଏହା ୧୨୭.୦୬ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର