ପୁରୀରେ ଖୋଲିବ ସ୍ବସ୍ତି ଗ୍ରୁପ୍‌ର ପଞ୍ଚତାରକା ହୋଟେଲ

ପୁରୀ: ପୁରୀ ବେଳାଭୂମି ମାର୍ଗ ପାର୍ଶ୍ବରେ ଖୋଲିବ ସ୍ବସ୍ତି ଗ୍ରୁପର ପଞ୍ଚତାରକା ହୋଟେଲ। ହୋଟେଲ ଏମ୍ପାୟାର୍ସକୁ ଲାଗି ୧୬୪ କୋଟି ଟଙ୍କା ବିନିମୟରେ ତିଆରି ହେବ ‌ଏହି ପ୍ରିମିୟମ ହୋ‌ଟେଲ। ଏହି ପ୍ରକଳ୍ପର ଶିଳାନ୍ୟାସ କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏଭଳି ପ୍ରକଳ୍ପ କେବଳ ଶିଳ୍ପ କ୍ଷେତ୍ରରେ ଉନ୍ନତିର ଆଭାସ ଦେବନି, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ମାଧ୍ୟମ ସାଜିବ। ରାଜ୍ୟ ସରକାର ଓଡ଼ିଶାର ଯୁବଗୋଷ୍ଠୀଙ୍କୁ କୁଶଳୀ କରି ଗଢ଼ି ତୋଳିବାକୁ ଉଦ୍ୟମ ଜାରି ରଖିଛି। ଏଭଳି ପ୍ରକଳ୍ପ ସେମାନଙ୍କୁ ନିଯୁକ୍ତି ସୁଯୋଗ ଦେଇପାରିବ। ଏହି ଅବସରରେ ସ୍ବସ୍ତି ଗ୍ରୁପ୍‌ର ଅଧ୍ୟକ୍ଷ ଜେ କେ ମହାନ୍ତି କହିଛନ୍ତି ଯେ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଓ ଅନ୍ତର୍ଜାତୀୟ ବିମାନବନ୍ଦରର ପରିକଳ୍ପନା କରି ପୁରୀ ପ୍ରତି ଅନେକ ଆନ୍ତରିକତା ଦେଖାଇଛନ୍ତି। ଆଜି ପୁରୀଠାରେ ସ୍ବସ୍ତି ଗ୍ରୁପ୍‌ର ପଞ୍ଚତାରକା ହୋଟେଲ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଅବଦାନ। ଏହି ହୋଟେଲକୁ ୨୦୨୪ ମସିହା ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଲକ୍ଷ୍ୟ ରଖାଯାଇଛି। ୧୩ ମହଲା କୋଠା ବିଶିଷ୍ଟ ଏହି ‌ହୋଟେଲ ୧୨୫ଟି ସୁଟ୍‌ ରୁମ ରହିବ। ୫ଟି ପ୍ରିମିୟମ ଲକ୍‌ଜରି ସୁଟ୍‌ ରହିବ। ବାଂକ୍ବେଟ୍‌ ହଲ୍‌ ସାଙ୍ଗକୁ ଖୋଲା ଲନ୍‌ ରହିବ। ସ୍ବିମିଂ ପୁଲ୍‌, ଫୁଡ୍‌ କୋର୍ଟ ଆଦିର ବ୍ୟବସ୍ଥା କରାଯିବ। ସ୍ବତନ୍ତ୍ର ଗେମ୍‌ ଜୋନ୍‌ ରହିବ। ହୋଟେଲରେ ରହୁଥିବା ସମସ୍ତ ବ୍ୟକ୍ତି ‌ସମୁଦ୍ରର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏହି ଅବସରରେ ୫-ଟି ସଚିବ ଭି‌ କେ ପାଣ୍ଡିଆନ୍‌, ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା ଓ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର