ଯୁଦ୍ଧ ପାଇଁ ଦେଖାଦେବ ଖାଦ୍ୟ ସଙ୍କଟ: ଗରିବ ଦେଶରେ କ୍ଷୁଧା ସମସ୍ୟା ବଢ଼ିବ

ରାଜନୈତିକ ଅସ୍ଥିରତା ଦେଖାଦେବ

ଲଣ୍ଡନ: ୟୁକ୍ରେନ୍ ଓ ରୁଷ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ବରେ ଖାଦ୍ୟ ସଙ୍କଟ ସୃଷ୍ଟି କରିବ। ଏହି ଦୁଇ ଦେଶରୁ ଖାଦ୍ୟଶସ୍ୟ ଅନ୍ୟତ୍ର ସ୍ଥାନାନ୍ତର ହୋଇପାରୁନଥିବାରୁ ବିଭିନ୍ନ ଦେଶରେ ବହୁ ସାମଗ୍ରୀର ଦାମ୍ ଏବେ ଆକାଶଛୁଆଁ ସ୍ତରରେ ପହଞ୍ଚିଯାଇଛି। ଏହି ଯୁଦ୍ଧ ପ୍ରଭାବରେ ଖାଦ୍ୟଶସ୍ୟର ଅଭାବ ରହିବ, ଗରିବ ଦେଶଗୁଡ଼ିକରେ ଭୋକ ଉପାସରେ ରହୁଥିବ‌ା ଲୋକଙ୍କ ସଂଖ୍ୟା ବଢ଼ିବ ଓ ବିକାଶଶୀଳ ଦେଶଗୁଡ଼ିକ ରାଜନୈତିକ ଅସ୍ଥିରତା ଦେଖାଦେବାର ଆଶଙ୍କା ରହିଛି। ଉଭୟ ରୁଷ୍‌ ଓ ୟୁକ୍ରେନ୍ ବିଶ୍ବର ଏକ ତୃତୀୟାଂଶ ଗହମ, ୭୦% ସନ୍‌ଫ୍ଲାୱାର ଅଏଲ୍ ଓ ବହୁ ପରିମାଣର ବକା ରପ୍ତାନି କରୁଥିଲେ। ରୁଷ୍ ବିପୁଳ ପରିମାଣର ସାର ମଧ୍ୟ ରପ୍ତାନି କରୁଥିଲା। ଯୁଦ୍ଧ ଯୋଗୁଁ ଏସବୁ ସାମଗ୍ରୀର କାରବାର ସମ୍ଭବ ହେଉନାହିଁ। ୟୁକ୍ରେନ୍‌ରୁ ଖାଦ୍ୟଶସ୍ୟ ବାହାରକୁ ପଠାଇବା ଲାଗି ଏକ ସୁରକ୍ଷିତ ପଥ ଆବିସ୍କାର କରିବା ଲାଗି ହୋଇଥିବା ଆଲୋଚନାରେ ମଧ୍ୟ ବିଶେଷ ଅଗ୍ରଗତି ହେଉନାହିଁ। ୟୁକ୍ରେନ୍‌ ଶସ୍ୟ ଉପରେ ବିଶ୍ବର ୪୦ କୋଟି ଲୋକ ନିର୍ଭରଶୀଳ ଥିଲେ। ଜାତିସଂଘର ସଂସ୍ଥା ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ) ଆକଳନ କରିଛି ଯେ ଚଳିତ ବର୍ଷ ୪୧ଟି ଦେଶର ୧୮.୧ କୋଟି ଲୋକ ଗୁରୁତର ଖାଦ୍ୟ ସଙ୍କଟ ସାମ୍ନା କରିବେ।

କରୋନା ମହାମାରୀ, ଖରାପ ପାଣିପାଗ ସ୍ଥିତି, ଆମେରିକା ଓ କାନାଡାରେ ଗହମ ଫସଲ ନଷ୍ଟ, ବ୍ରାଜିଲରେ ସୋୟାବିନ ଫସଲ ଅମଳ ହ୍ରାସ, ଆଫ୍ରିକାରେ ମରୁଡ଼ି, ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ଓ ସାର ମହଙ୍ଗା ହୋଇଥିବାରୁ କୃଷି ଉତ୍ପାଦନ ପ୍ରଭାବିତ ହୋଇଛି। ଏହାର ପ୍ରଭାବରେ ଚଳିତ ବର୍ଷ ଗହମ ଦାମ୍ ୪୫% ଓ ଖାଇବା ତେଲ ଦାମ୍ ୪୧% ବୃଦ୍ଧି ପାଇଛି। ଚିନି, ମାଂସ, ମାଛ ଓ ଦୁଗ୍ଧ ମୂଲ୍ୟରେ ମଧ୍ୟ ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି ହୋଇଛି। ଗ୍ରୋସରି ମୂଲ୍ୟରେ ବୃଦ୍ଧି ପରିବାରଗୁଡ଼ିକର ବଜେଟ୍‌କୁ ବିଗାଡ଼ି ଦେଇଛି। ହୋଟେଲ୍‌ ଓ ରେସ୍ତୋରାଁଗୁଡ଼ିକ ମଧ୍ୟ ଦର ବୃଦ୍ଧି କରିବାକୁ ବାଧ୍ୟ ହୋଇଛନ୍ତି। ୟୁକ୍ରେନ୍ ଓ ରୁଷ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସୋମାଲିଆ, ଲିବ୍ୟା, ସୁଦାନ, ଲେବାନନ ଓ ଇଜିପ୍ଟ ଅଧିକ ସଙ୍କଟରେ ପଡ଼ିଛନ୍ତି। ଗହମ, ମକା ଓ ସନଫ୍ଲାୱାର ଅଏଲ୍‌ ପାଇଁ ରୁଷ ଓ ୟୁକ୍ରେନ୍ ଉପରେ ଏହି ଦେଶଗୁଡ଼ିକ ଅତ୍ୟଧିକ ନିର୍ଭରଶୀଳ ଥିଲେ। ୟୁନିସେଫ୍‌ ସତର୍କ କରାଇଛି ଯେ ଯଦି ରୁଷ-ୟୁକ୍ରେନ ଯୁଦ୍ଧର ସମାଧାନ ବାଟ ବାହାର କରାନଯିବ ତେବେ ସୋମାଲିଆର ୨,୦୦,୦୦୦ ଲୋକଙ୍କ କ୍ଷୁଧା ଜନିତ ମୃତ୍ୟୁ ହେବ। ସୁଦାନର ୧.୮ କୋଟି ଓ ୟେମେନର ୧.୯ କୋଟି ଲୋକ ଗୁରୁତର କ୍ଷୁଧା ସଙ୍କଟ ସାମ୍ନା କରିବେ।

ସମ୍ବନ୍ଧିତ ଖବର