ନୂଆଦିଲ୍ଲୀ: କରୋନା ସଙ୍କଟର ମୁକାବିଲା ଲାଗି ସାରା ବିଶ୍ବରେ ଲକ୍ଡାଉନ୍ ଘୋଷଣା କରାଯାଇଥିବାରୁ ପ୍ରକୃତିକୁ କିଛି ଦିନର ବିଶ୍ରାମ ମିଳିଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି। କିନ୍ତୁ, ବିଶ୍ବ ଅର୍ଥନୈତିକ ଫୋରମ୍ (ଡବ୍ଲୁଇଏଫ୍)ର ଏକ ରିପୋର୍ଟ ଭିନ୍ନ ଚିତ୍ର ଉପସ୍ଥାପନ କରିଛି। ଜଙ୍ଗଲ ପାଇଁ ଲକ୍ଡାଉନ୍ ଏକ ବିପଦ ବୋଲି ରିପୋର୍ଟରେ କୁହାଯାଇଛି। ଥମସନ୍ ରଏଟର୍ ସହ ମିଶି ଡବ୍ଲୁଇଏଫ୍ ପ୍ରସ୍ତୁତ କରିଥିବା ରିପୋର୍ଟରେ ଜଣାଇଛି ଯେ, ଲକ୍ଡାଉନ୍ ପ୍ରଭାବରେ ନିଜର ଜୀବିକା ହରାଇଥିବା ଗରିବ ଲୋକମାନେ ଜାଳେଣି ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଜଙ୍ଗଲରୁ ଗଛ କାଟୁଛନ୍ତି। ପୂର୍ବରୁ ସହରାଞ୍ଚଳରେ କାମଧନ୍ଦା କରୁଥିବା ଅନେକ ଲୋକ କରୋନା ଭୂତାଣୁ ବ୍ୟାପିବା ପରେ ଜୀବିକା ହରାଇ ନିଜ ଗାଁକୁ ଫେରୁଛନ୍ତି। ସାରା ବିଶ୍ବରେ ୧୦୦ କୋଟି ଲୋକ ଖାଦ୍ୟ ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ ଥିବା ବେଳେ ୨୪୦ କୋଟି ଲୋକ କାଠକୁ ଜାଳେଣି ଭାବେ ବ୍ୟବହାର କରୁଛନ୍ତି।
ଅତି ଗରିବ ଭାବେ ଜୀବନଯାପନ କରୁଥିବା ପ୍ରତି ୧୦ ଜଣରୁ ୯ ଜଣ ବ୍ୟକ୍ତି ନିଜର କିଛି ନା କିଛି ଆବଶ୍ୟକତା ପୂରଣ କରିବା ଲାଗି ଜଙ୍ଗଲ ଉପରେ ନିର୍ଭରଶୀଳ ଅଛନ୍ତି। ରୋଷେଇ କରିବା ଲାଗି ବିଶ୍ବର ଏକ ତୃତୀୟାଂଶ ଜନସଂଖ୍ୟା ଏବେବି ଜଙ୍ଗଲ ଉପରେ ନିର୍ଭରଶୀଳ ଥିବାରୁ ଖାଦ୍ୟ ଓ ଜାଳେଣି ପାଇଁ ଆହୁରି ଅଧିକ ଗଛ କଟାଯିବାର ଆଶଙ୍କା ରହିଛି ବୋଲି ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫ୍ଏଓ)ର ନିର୍ଦେଶକ ମେଟ୍ ୱିଲ୍କି କହିଛନ୍ତି। ଏଫ୍ଏଓ ମଧ୍ୟ ଏହାର ‘ବିଶ୍ବ ଜଙ୍ଗଲ ସ୍ଥିତି ୨୦୨୦’ ରିପୋର୍ଟରେ ଜଣାଇଛି ଯେ କରୋନା ରୋଗ ପ୍ରଭାବରେ ଜଙ୍ଗଲକୁ କ୍ଷତି ପହଞ୍ଚିଛି। ଏହି ରିପୋର୍ଟ ଅନୁସାରେ ୧୯୯୦ ପରେ ୪୨ କୋଟି ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି ଯାହା ଦକ୍ଷିଣ ଆଫ୍ରିକା ଭଳି ତିନିଟି ଦେଶର ଭୂଖଣ୍ଡ ସହ ସମାନ। ଡବ୍ଲୁଇଏଫ୍ ଏହାର ରିପୋର୍ଟରେ ଜଣାଇଛି ଯେ ଲକ୍ଡାଉନ୍ ଯୋଗୁଁ ପ୍ରକୃତିକୁ ବିଶ୍ରାମ ମିଳିଛି ବୋଲି ଲୋକମାନଙ୍କ ମନରେ ଭ୍ରାନ୍ତ ଧାରଣା ରହିଛି। ଗ୍ରାମାଞ୍ଚଳରେ ଜମି ହଡ଼ପ କରିବା, ଜଙ୍ଗଲ କାଟିବା, ବେଆଇନ ଖନନ ଏବଂ ବନ୍ୟଜନ୍ତୁ ଶିକାର କରିବାର ବିପଦ ବଢ଼ିଯାଇଛି। ଗ୍ରାମାଞ୍ଚଳରେ ପ୍ରକୃତି ଓ ସମ୍ବଳ ଉପରେ ଚାପ ବଢ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/forest-2-2.jpg)