ନୂଆଦିଲ୍ଲୀ: ଅର୍ଥ ସଚିବ ପଦରୁ ବିଦା ହେବା ଏବଂ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବାର ପ୍ରାୟ ବର୍ଷକ ପରେ ଏପରି ନିଷ୍ପତ୍ତି ନେବାର କାରଣ ସଂପର୍କରେ ମୁହଁ ଖୋଲିଛନ୍ତି ପୂର୍ବତନ ଅର୍ଥ ସଚିବ ସୁବାସ ଚନ୍ଦ୍ର ଗର୍ଗ।
ଏକ ବ୍ଲଗ୍ ଲେଖି ସେ ଦାବି କରିଛନ୍ତି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କୁ ଅର୍ଥ ସଚିବ ପଦରେ ଚାହୁ ନଥିଲେ। ୨୦୧୯ ଜୁନରେ ତାଙ୍କ ବଦଳି ପାଇଁ ଅର୍ଥମନ୍ତ୍ରୀ ଜିଦ୍ ଧରିଥିଲେ। ନିର୍ମଳାଙ୍କ ସହିତ ଭଲ ସଂପର୍କ ନଥିବାରୁ ସେ ଚାକିରି ଛାଡ଼ିଥିଲେ। ନିର୍ମଳାଙ୍କର ଅର୍ଥନୀତିର ପ୍ରମୁଖ ପ୍ରସଙ୍ଗରେ ଆଭିମୁଖ୍ୟ ଥିଲା ଭିନ୍ନ। ଏପରିକି ଅର୍ଥ ମନ୍ତ୍ରାଳୟରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ସମ୍ପର୍କରେ ତାଙ୍କର ଏକ ପ୍ରାକ୍ ଧାରଣା ରହିଥିଲା। ତାଙ୍କ ଉପରେ ମନ୍ତ୍ରୀଙ୍କର ବିଶ୍ବାସ ନ ଥିଲା। ତାଙ୍କ ସହିତ କାର୍ଯ୍ୟ କରିବାକୁ ମନ୍ତ୍ରୀ ସେତେଟା ସ୍ବଚ୍ଛନ୍ଦ ଅନୁଭବ କରୁ ନଥିଲେ। ତେଣୁ ନିର୍ମଳାଙ୍କ ସହିତ କାମ କରିବା ଆଗକୁ କଷ୍ଟକର ହେବ ବୋଲି ପ୍ରାରମ୍ଭରୁ ସ୍ପଷ୍ଟ ହେବାରେ ଲାଗିଥିଲା। ଭାରତକୁ ୧୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଆବଶ୍ୟକ ସଂସ୍କାର କାର୍ଯ୍ୟ ହାତକୁ ନେବା ମଧ୍ୟ ଅନୁକୂଳ ନ ଥିଲା ବୋଲି ଗର୍ଗ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଶ୍ରୀ ଗର୍ଗଙ୍କୁ ସରକାର ହଠାତ୍ ଅର୍ଥ ସଚିବ ପଦରୁ ଶକ୍ତି ସଚିବ ପଦକୁ ବଦଳି କରିଥିଲେ। ଏହି ବଦଳି ଆଦେଶ ମିଳିବାର କିଛି ସମୟ ପରେ ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପାଇଁ ଆବଦେନ କରିଥିଲେ। ଗତବର୍ଷ ଅକ୍ଟୋବର ୩୧ ତାରିଖରେ ତାଙ୍କୁ ଚାକିରିରୁ ରିଲିଭ୍ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/fshsf65hsfh4sf564fsh65fshsfhsfh.jpg)