ନୂଆଦିଲ୍ଲୀ: ଆମେରିକାର ବହୁରାଷ୍ଟ୍ରୀୟ ପ୍ରଯୁକ୍ତି କମ୍ପାନି ତଥା ଚିପ୍ ନିର୍ମାତା ଏନ୍ଭିଡିଆର ସହପ୍ରତିଷ୍ଠାତା ଜେନ୍ସେନ୍ ହୁଆଙ୍ଗ ତାଙ୍କ ଆଦ୍ୟ ଜୀବନର ଅନେକ କାହାଣୀ ପୂର୍ବରୁ ଲୋକଙ୍କୁ ଜଣାଇଛନ୍ତି। ବିଶ୍ବର ପ୍ରମୁଖ ଚିପ୍ କମ୍ପାନି ସ୍ଥାପନ ପୂର୍ବରୁ ସେ କିଶୋର ବୟସରେ ଡେନିସ୍ ରେସ୍ତୋରାଁରେ କାର୍ଯ୍ୟ କରୁଥିଲେ। ସେଠାରେ ସେ ଟେବୁଲ ସଫା କରିବା ସହିତ ପ୍ଲେଟ, ବାସନକୁସନ ମାଜୁଥିଲେ ଏବଂ ପାଇଖାନା ସଫା କରୁଥିଲେ। ଏକଦା ସେହି ସ୍ଥାନରେ ସେ ଅନ୍ୟ ସହପ୍ରତିଷ୍ଠାତାଙ୍କ ସହ ମିଶି ଏନ୍ଭିଡିଆ ସ୍ଥାପନର ଯୋଜନା କରିଥିଲେ। ଆଦ୍ୟ ଜୀବନର ସେସବୁ ନମ୍ର କାର୍ଯ୍ୟ ତାଙ୍କୁ ଆଜିର ବ୍ୟବସାୟ ପରିଚାଳନାରେ ସହାୟକ ହେଉଛି ବୋଲି ସେ ବିଶ୍ବାସ କରନ୍ତି। ଏଥିସହିତ ସେ ଏହା ମଧ୍ୟ ଅନୁଭବ କରନ୍ତି ଯେ କୌଣସି କାର୍ଯ୍ୟ ତାଙ୍କ ପାଇଁ କଷ୍ଟକର ନୁହେଁ।
ଚଳିତବର୍ଷ ମାର୍ଚ୍ଚରେ ହୁଆଙ୍ଗ ଷ୍ଟାନ୍ଫୋର୍ଡର ଗ୍ରାଜୁଏଟ୍ ସ୍କୁଲ ଅଫ୍ ବିଜନେସ୍ରେ ଏକ ସାକ୍ଷାତ୍କାର ଦେଇଥିଲେ। ସେଠାରେ ସେ ଡେନିସ୍ ବ୍ରେକ୍ଫାଷ୍ଟ୍ ଶୃଙ୍ଖଳାରେ ଅତୀତରେ କାର୍ଯ୍ୟ କରିବା ସଂପର୍କରେ କହିଥିଲେ। ସେହି ସାକ୍ଷାତ୍କାରର ଭିଡିଓ ଏବେ ପୁଣି ଇଣ୍ଟରନେଟ୍ରେ ଦେଖିବାକୁ ମିଳିଛି। ଏହା ଉପରେ ଟେସ୍ଲା ସିଇଓ ଏଲନ ମସ୍କ ପ୍ରତିକ୍ରିୟା ରଖିଛନ୍ତି। ହୁଆଙ୍ଗଙ୍କର କହିବା ଅର୍ଥ ହେଲା ତାଙ୍କୁ କୌଣସି କାର୍ଯ୍ୟ ଖରାପ ଲାଗେ ନାହିଁ। ଯେଉଁ କାର୍ଯ୍ୟ ସେ କରନ୍ତି ତାହାକୁ ଭଲ ଭାବେ ସଂପାଦନ କରିଥାନ୍ତି। ମୁଁ ଡିସୱାସର ବା ବାସନମଜା କାମ କରିଛି। ପାଇଖାନା ସଫା କରିଛି। ଆପଣମାନେ ମିଶିକରି ଯେତିକି ପାଇଖାନା ସଫା କରିଛନ୍ତି ତାହା ଠାରୁ ଅଧିକ ପାଇଖାନା ମୁଁ ସଫା କରିଛି ବୋଲି ସେ କହିଥିଲେ।
ଏହା ଉପରେ ପ୍ରତିକ୍ରିୟା ରଖିବାକୁ ଯାଇ ମସ୍କ କହିଛନ୍ତି, ସଂପୂର୍ଣ୍ଣ ଭାବେ ଠିକ୍ ଚିନ୍ତାଧାରା। କୋଭିଡ୍ ସମୟରେ ପାଇଖାନାରେ କାଗଜ ଅଭାବ କଥାକୁ ମସ୍କ ମନେ ପକାଇଥିଲେ।