ମୁମ୍ବାଇ: ବୀମା କ୍ଷେତ୍ରର ବର୍ଷିଆନ ବ୍ୟକ୍ତି ତଥା ଷ୍ଟାର୍ ହେଲ୍‌ଥ ଇନସ୍ୟୁରାନ୍ସର ପ୍ରତିଷ୍ଠାତା ଭେଙ୍କଟସ୍ବାମୀ ଜଗନ୍ନାଥଙ୍କୁ ଏବେ ୭୯ ବର୍ଷ ହେଲାଣି। ଏହି ବୟସରେ ସେ ଆଉ ଏକ ସ୍ବାସ୍ଥ୍ୟ ବୀମା କମ୍ପାନି ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ସରକାରୀ ବୀମା କମ୍ପାନି ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସର ସିଏମଡି ପଦରୁ ଅବସର ନେବା ପରେ ସେ ୨୦୦୬ରେ ଷ୍ଟାର୍ ହେଲ୍‌ଥକୁ ଦେଶର ଏକ ପ୍ରମୁଖ ସ୍ବାସ୍ଥ୍ୟ ବୀମା କମ୍ପାନିରେ ପରିଣତ କରି ଚର୍ଚ୍ଚାକୁ ଆସିଥିଲେ। ଷ୍ଟାର୍ ହେଲ୍‌ଥ ଇନସ୍ୟୁରାନ୍ସ ଏବେ ୩୭ ହଜାର କୋଟି ଟଙ୍କା ମୂଲ୍ୟର କମ୍ପାନିରେ ପରିଣତ ହୋଇଛି। କିନ୍ତୁ ହଠାତ୍ ସେ ଏହି କମ୍ପାନିର ଅଧ୍ୟକ୍ଷ ପଦରୁ ଗତ ଜୁନରେ ଓହରି ଯିବାର କିଛିଦିନ ପରେ ପୁଣି ଏକ ସ୍ବାସ୍ଥ୍ୟ ବୀମା କମ୍ପାନି ଆରମ୍ଭ ପାଇଁ ‌ଯୋଜନା କରିଛନ୍ତି।

Advertisment

ଏକ ସୂତ୍ରର ସୂଚନା ଅନୁଯାୟୀ, ଷ୍ଟାର୍ ହେଲ୍‌ଥ ସହିତ ଜଗନ୍ନାଥନ୍ କୌଣସି ଅଣ ପ୍ରତିଯୋଗିତା କ୍ଲଜରେ ଦସ୍ତଖତ କରିନାହାନ୍ତି। କମ୍ପାନି ଆଇନ ଅନୁସାରେ ଗୋଟିଏ କମ୍ପାନିର ସିଇଓ କିମ୍ବା ବୋର୍ଡ ସଦସ୍ୟ ‌ହେବା ପାଇଁ ସର୍ବାଧିକ ବୟସ କଟକଣା ରହିଛି। କିନ୍ତୁ କମ୍ପାନିର ପ୍ରମୋଟର ବା ପ୍ରତିଷ୍ଠାତା ହେବା ନେଇ ସେଭଳି କୌଣସି ଅସୁବିଧା ନାହିଁ। ଷ୍ଟାର ହେଲ୍‌ଥରୁ ଓହରି ଯିବା ପରେ ସେ ଯେଉଁ ଅର୍ଥ ପାଇଛନ୍ତି ସେହି ଅର୍ଥରେ ଜଗନ୍ନାଥନ ନୂଆ କମ୍ପାନି ଆରମ୍ଭ କରିବେ ବୋଲି କୁହାଯାଉଛି। ଏଥିସହିତ ତାଙ୍କ ନିକଟରେ ନିବେଶକ ମଧ୍ୟ ଅଛନ୍ତି। ଉଲ୍ଲେଖଯୋଗ୍ୟ, ଦେଶରେ ସ୍ବାସ୍ଥ୍ୟ ବୀମା ବ୍ୟବସାୟ ୩୦ ପ୍ରତିଶତରୁ ଅଧିକ ହାରରେ ଆଗକୁ ବଢ଼ୁଛି। ନୂଆ କମ୍ପାନି ଆସିବା ଫଳରେ ଷ୍ଟାର ହେଲ୍‌ଥର ବ୍ୟବସାୟ ମଧ୍ୟ ପ୍ରଭାବିତ ହେବନାହିଁ ବୋଲି ଏକ ଘରୋଇ ବୀମା କମ୍ପାନିର ସିଇଓ କହିଛନ୍ତି। ଏକ ରିପୋର୍ଟ ଅନୁସାରେ କୋଭିଡ ମହାମାରୀ ପରେ ସ୍ବାସ୍ଥ୍ୟ ବୀମା ପାଇଁ ସଚେତନତା ସ୍ତର ବଢ଼ିଯାଇଛି। ତେଣୁ ସ୍ବାସ୍ଥ୍ୟ ବୀମା ବ୍ୟବସାୟ ଅଧିକ ମାତ୍ରାରେ ଆଗକୁ ବଢ଼ିବ ବୋଲି ବିଶେଷଜ୍ଞମାନେ ଆଶା ରଖିଛନ୍ତି।