ନୂଆଦିଲ୍ଲୀ: ସରକାରୀ ମାଗଣା ସ୍କିମ୍‌ର ମୂଲ୍ୟ ନିର୍ଧାରଣ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତରେ ପ୍ରଥମ ଥର ଲାଗି ଏଭଳି ହେବାକୁ ଯାଉଛି। ପୂର୍ବରୁ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ (ସିଇଏସ୍‌)ରେ ମାଗଣା ସ୍କିମ୍‌ ସମ୍ପର୍କିତ ପ୍ରଶ୍ନ ଲୋକମାନଙ୍କୁ ପଚରାଯାଉଥିଲା। ମାତ୍ର ମାଗଣାରେ ସରକାରଙ୍କଠାରୁ ଯାହା ମିଳୁଛି ତାହାର ମୂଲ୍ୟ ହିସାବ କରିବା ଲାଗି କୌଣସି ଉଦ୍ୟମ ହୋଇନଥିଲା। ସରକାର ମାଗଣାରେ ଦେଉଥିବା ସୁବିଧା ଲୋକମାନଙ୍କ ଉପଯୋଗିତା ଓ ଦାରିଦ୍ର୍ୟ ସୀମାରେଖାକୁ କିଭଳି ପ୍ରଭାବିତ କରୁଛି ତାହା ଜାଣିବାରେ ଏହି ପ୍ରକ୍ରିୟା ସହାୟକ ହେବ। କେବଳ କେନ୍ଦ୍ର ସରକାର ନୁହେଁ ରାଜ୍ୟ ସରକାର ଦେଉଥିବା ମାଗଣା ସ୍କିମ୍‌ର ଲାଭକୁ ମଧ୍ୟ ଏଥିରେ ସାମିଲ କରାଯିବ। ମୋଟ ଉପରେ ମାଗଣ‌ା ସ୍କିମ୍ ଦ୍ବାରା ଲୋକମାନେ କିଭଳି ଉପକୃତ ହେଉଛନ୍ତି ତାହାର ଏକ ନିର୍ଦ୍ଦିଷ୍ଟ ଛବି ସାମ୍ନାକୁ ଆସିପାରିବ। ଦୁଇ ପ୍ରକାର ତଥ୍ୟ ସଂଗ୍ରହ କରାଯିବ। ଗୋଟିଏରେ ମୂଲ୍ୟ ନିର୍ଧାରଣ କରାଯିବ ଓ ଅନ୍ୟଟିର ମୂଲ୍ୟ ଧାର୍ଯ୍ୟ କରାଯିବ ନାହିଁ। ମୂଲ୍ୟ ଧାର୍ଯ୍ୟ ହୋଇନଥିବା ତଥ୍ୟକୁ ପୁରୁଣା ତଥ୍ୟ ସହ ତୁଳନା କରାଯିବ।

Advertisment

ସରକାରଙ୍କ ମାଗଣା ସ୍କିମ୍‌ ଓ ସବ୍‌ସିଡିର ମୂଲ୍ୟ ନିର୍ଧାରଣ କରିବା ବିଷୟରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ବିଚାର କରୁଛି। କିଛି ଦିନ ପୂର୍ବେ ଅର୍ଥ ମନ୍ତ୍ରାଳୟ ଓ ପରିସଂଖ୍ୟାନ ମନ୍ତ୍ରାଳୟ ମଧ୍ୟରେ ହୋଇଥିବା ବୈଠକରେ ଏନେଇ ଆଲୋଚନା ହୋଇଥିଲା। ତେବେ ମାଗଣା ସ୍କିମ୍‌ ମୂଲ୍ୟ ଧାର୍ଯ୍ୟ କରିବା ଲାଗି କୌଣସି ନିର୍ଦିଷ୍ଟ ପ୍ରଶ୍ନ ରହିବ ନାହିଁ। ଯେହେତୁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାର ସ୍କିମ୍‌ ରହିଛି, ସେଥିପାଇଁ ସେହି ଅନୁସାରେ ପ୍ରଶ୍ନ ତିଆରି କରାଯିବ। ବିଭିନ୍ନ ରାଜ୍ୟ ପାଇଁ ସର୍ବେକ୍ଷଣ ଭିନ୍ନ ଭିନ୍ନ ରହିବ।