ଆଗଧାଡ଼ିର ଯୋଦ୍ଧା, ବର୍ଷ ଶେ‌ଷ ସୁଦ୍ଧା କରୋନା ଟିକା ଆସିଯିବ

ଖର୍ଚ୍ଚ ପୂର୍ବଭଳି ହେଉଛି, ଆୟ ବହୁତ କମିଯାଇଛି

କୋଭିଡ୍-୧୯ ସଙ୍କଟକୁ ଆପଣ କିଭଳି ଦେଖୁଛନ୍ତି? ଏକ ସମସ୍ୟା ନା ସୁଯୋଗ ଭାବେ?
କୋଭିଡ୍‌-୧୯ ମାନବଜାତି ପାଇଁ ଅନେକ ସମସ୍ୟା‌ ଆଣିଛି। ଏହା ହେଉଛି ଗୋଟିଏ ପାର୍ଶ୍ବ। ଯଦି ସାମଗ୍ରିକ ଭାବେ ଆମେ ବିଚାର କରିବା ତେବେ ଏହି ବିଶ୍ବ ମହାମାରୀ ଆମକୁ ଏହା ଶିଖାଉଛି ଯେ ଆମକୁ ସାର୍ବଜନୀନ ସ୍ବାସ୍ଥ୍ୟ ଓ ପ୍ରାଥମିକ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବାକୁ ହେବ। ହାତ ପରିସ୍କାର ରଖିବାକୁ ପଡ଼ିବ ଏବଂ ଜନ ସାଧାରଣଙ୍କ ମଧ୍ୟରେ ଏହାକୁ ନେଇ ସଚେତନତା ସୃଷ୍ଟି କରିବାକୁ ପଡ଼ିବ। ସ୍ବଦେଶୀ ଜ୍ଞାନକୌଶଳରେ ଭେଣ୍ଟିଲେଟର, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ଟେଷ୍ଟିଂ କିଟ୍‌ର ପରୀକ୍ଷଣ ଓ ବିକାଶ ଜୋରସୋରରେ ଆଗେଇ ଚାଲିଛି। ଯଦି ଆମେ ଏକ୍ଷେତ୍ରରେ ସଫଳ ହେବା ତେବେ ଆମଦାନି ଉପରେ ଆମର ନିର୍ଭରଶୀଳତା କମିବ।

କରୋନା ଭୂତାଣୁ ଟିକା କେବେ ଆସିବାର ସମ୍ଭାବନା ରହିଛି?
ଟିକା ବିକାଶ, ଟେଷ୍ଟିଂ ଏବଂ ଅନୁମୋଦନ ଏକ ଜଟିଳ ପ୍ରକ୍ରିୟା। ପ୍ରଥମ ପାହାଚରେ ପ୍ରାକୃତିକ ବା ସିନ୍ଥେଟିକ୍ ଆଣ୍ଟିଜେନ୍ ଚିହ୍ନଟ କରାଯାଏ। ଏହା ପରେ ପ୍ରି-କ୍ଲିନିକାଲ୍ ସ୍ତର-ଯେଉଁଥିରେ ମାଙ୍କଡ଼ କିମ୍ବା ମୂଷା ଦେହରେ ତାହାର ପରୀକ୍ଷଣ କରାଯାଏ। ଏହାର ସଫଳତାକୁ ଫୁଡ୍ ଆଣ୍ଡ୍‌ ଡ୍ରଗ୍‌ ଆପ୍ରୁଭାଲ୍ ଅଥରିଟିକୁ ପଠାଇବାକୁ ହୁଏ। ଏହା ପରେ ମାନବ ଦେହରେ ପରୀକ୍ଷଣ ଆରମ୍ଭ କରାଯାଏ। ପ୍ରଥମେ ୨୦-୮୦ ଜଣ ବ୍ୟକ୍ତିଙ୍କୁ ନେଇ ଗଠିତ ଏକ ଦଳ ଠାରେ ଟିକାର ପରୀକ୍ଷଣ କରାଯାଏ। ଦ୍ବିତୀୟ ପର୍ଯ୍ୟାୟରେ ଲୋକଙ୍କ ସଂଖ୍ୟା ବଢ଼ାଇ ପରୀକ୍ଷଣ କରାଯ‌ାଏ। ଟିକା ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ତାହାର ପାର୍ଶ୍ବ ପ୍ରତିକ୍ରିୟା ଯାଂଚ କରାଯାଏ। ବର୍ଷ ଶେଷ ସୁଦ୍ଧା ଟିକା ଆସିବାର ସମ୍ଭାବନା ରହିଛି।

ହସ୍ପିଟାଲ୍ ଶିଳ୍ପ ପାଇଁ ଏହି ସଙ୍କଟ କିଭଳି ସମସ୍ୟା ସୃଷ୍ଟି କରିଛି?
ହସ୍ପିଟାଲ୍‌ଗୁଡ଼ିକରେ ଉଭୟ କ୍ଲିନିକାଲ୍ ଓ ନନ୍-କ୍ଲିନିକାଲ୍‌ କାର୍ଯ୍ୟ ହୋଇଥାଏ। କରୋନା ସଙ୍କଟ ଆରମ୍ଭ ହେବା ପରେ ରୋଗୀଙ୍କ ଆଗମନ ୨୦-୩୦ ପ୍ରତିଶତ ହ୍ରାସ ପାଇଛି। ଫଳରେ ନଗଦ ରାଶିର ଘୋର ସଙ୍କଟ ଦେଖାଦେଇଛି। ଡାକ୍ତର, ନର୍ସ, ପାରା‌‌ମେଡିକାଲ୍ କର୍ମଚାରୀ ଏବଂ ପ୍ରଶାସନିକ କର୍ମଚାରୀଙ୍କୁ ଦରମା ଦେବା କଷ୍ଟକର ହୋଇପଡ଼ିଲାଣି। ଏକ ହସ୍ପିଟାଲ୍‌ର ମୋଟ୍‌ ଖର୍ଚ୍ଚରେ ଦରମାର ଭାଗ ୪୦ ପ୍ରତିଶତ। ଏହା ବ୍ୟତୀତ ଟିକସ ‌ଦେବା, ଭେଣ୍ଡରଙ୍କୁ ପେମେଣ୍ଟ୍ କରିବା ଏବଂ ବିଦ୍ୟୁତ ଶୁଳ୍କ ମଧ୍ୟ ଦେବାକୁ ପଡ଼େ।
ଡକ୍ଟର ମନ୍‌ଜିନ୍ଦର ଭଟ୍ଟି, ମେଡିକାଲ୍ ସର୍ଭିସେସ୍‌ ମୁଖ୍ୟ,
କଳିଙ୍ଗ ସୁପର ସ୍ପେସିଆଲିଟି ହସ୍ପିଟାଲ୍‌, ଭୁବନେଶ୍ବର

କୋଭିଡ୍‌-୧୯ ପୂର୍ବ ଓ ପରବର୍ତୀ ସମୟ ଭିତରେ ଆପଣ କ’ଣ ପରିବର୍ତନ ଦେଖୁଛନ୍ତି?
କରୋନା ଭୂତାଣୁ ସାରା ଦୁନିଆକୁ ବଦଳାଇ ଦେଇଛି। ଆମ ଜୀବନଯାପନ ଶୈଳୀ, ଆମ କର୍ମ ଶୈଳୀ ଓ ଆମର ଯତ୍ନ, ସବୁ କିଛିକୁ ଏହା ବଦଳାଇ ଦେଇଛି। ଏବେ ପରିବର୍ତନ ଘଟିଛି ସେଥିମଧ୍ୟରୁ କିଛି ଆମ ସହିତ ଦୀର୍ଘ ଦିନ ରହିପାରେ। ପ୍ରତିଟି ଲୋକଙ୍କ ପାଇଁ ସାନିଟାଇଜେସନ, କାଷିବା ଶୈଳୀ, ସାମାଜିକ ଦୂରତ୍ବ ଏବଂ ପାରିପାର୍ଶ୍ବିକ ପରିଷ୍କାର ପରିଚ୍ଛନ୍ନତା ବହୁତ ଗୁରୁତ୍ବ ରଖିବ। ଏକ ସଂସ୍ଥା ଭାବେ ଆପୋଲୋ ହସ୍ପିଟାଲ୍‌ସ ଭୁବନେଶ୍ବର ଏହି ସଙ୍କଟକୁ ଭଲ ଭାବେ ବୁଝିଛି। ଆମେ ସେହି ଅନୁସାରେ ରଣନୀତି ପ୍ରସ୍ତୁତ କରିଛୁ। କୋଭିଡ୍‌-୧୯ ସଙ୍କଟ ପରବର୍ତୀ ସମୟରେ ଆମକୁ ରୋଗୀ ଏବଂ ଲୋକଙ୍କ ମଧ୍ୟରେ ବିଶ୍ବାସ ଜାଗ୍ରତ କରି ବ୍ୟବସାୟକୁ ପୁଣି ଥରେ ଜାରି ରଖିବାକୁ ପଡ଼ିବ।

ଏହି ସଙ୍କଟର ସକାରାତ୍ମକ ପ୍ରଭାବ କିଛି ରହିଛି କି?
ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍ ଏହି ରୋଗର ଗତିପଥ ବଦଳାଇ ଦେଇଛି। ଲକ୍‌ଡାଉନ୍‌ରୁ ମିଳିଥିବା ଲାଭକୁ ଆମକୁ ବ୍ୟବହାର କରିବାକୁ ହେବ। ସରକାର ଆଗୁଆ ଲକ୍‌ଡାଉନ୍ ଘୋଷଣା କରିବାରୁ ଅନେକ ଜୀବନ ବଂଚିଗଲା। ଆମକୁ ଭବିଷ୍ୟତର ସମ୍ଭାବ୍ୟ ସ୍ବାସ୍ଥ୍ୟ ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ମଧ୍ୟ କରୋନା ଆମକୁ ଜଣାଇଛି।

ଏହି ସଙ୍କଟ ଆପଣଙ୍କ ବ୍ୟବସା‌ୟକୁ କିଭଳି ପ୍ରଭାବିତ କରିଛି ଓ ଆପଣ ସରକାରଙ୍କ ଠାରୁ କିଭଳି ସହଯୋଗ ଆଶା କରୁଛନ୍ତି?
ଆମ ହସ୍ପିଟାଲ୍‌ର ଖର୍ଚ୍ଚ ପୂର୍ବଭଳି ସମାନ ରହିଥିବା ବେଳେ ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଓପିଡି, ଆଇପିଡି, ଡାଇଗ୍ନୋଷ୍ଟିକସ ଓ ସ୍ବାସ୍ଥ୍ୟ ପରୀକ୍ଷାରେ ରୋଗୀ ସଂଖ୍ୟା ବହୁତ କମିଛି। ଡାକ୍ତରଖାନା ପର୍ଯ୍ୟନ୍ତ ଆସିବା ପାଇଁ କର୍ମଚାରୀମାନେ ମଧ୍ୟ ସମସ୍ୟା ସାମ୍ନା କରୁଛନ୍ତି। ବିଭିନ୍ନ ସାମଗ୍ରୀ ଠିକ୍ ସମୟରେ ପହଂଚିପାରୁନଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଷ୍ଟକ ବଜାୟ ରଖିବ‌ା ମଧ୍ୟ କଷ୍ଟକର ହୋଇପଡ଼ିଛି। ବ୍ୟକ୍ତିଗତ ସୁରକ୍ଷା ଉପକରଣ ବ୍ୟବହାର କରିବା ବାଧ୍ୟତାମୂଳକ ହୋଇଥିବାରୁ ତାହା ରୋଗୀଙ୍କ ଉପରେ ଆର୍ଥିକ ଚାପ ସୃଷ୍ଟି କରୁଛି। ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟୁତ ବିଲ୍‌ ଛାଡ଼ ହେବା ଦରକାର କିମ୍ବା ବାଣିଜ୍ୟିକ ହାରରେ ତାହା ଆଦାୟ ହେବା ଅନୁଚିତ। ବକେୟା ଦେୟ ମିଳିଗଲେ ବହୁତ ଭଲ ସାହାଯ୍ୟ ମିଳିଗଲା ବୋଲି ଲାଗିବ। ସୁଲଭ ବା ରିହାତି ମୂଲ୍ୟରେ ଡାକ୍ତରଖାନାଗୁଡ଼ିକୁ ପିପିଇ ଯୋଗାଇ ଦେବାର ମଧ୍ୟ ଆବଶ୍ୟକତା ରହିଛି।
– ସୁଧୀର ଏମ୍ ଦିଗିକର୍‌
ଆଞ୍ଚଳିକ ସିଇଓ-ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ, ଆପୋଲୋ ହସ୍ପିଟାଲ୍‌ସ୍‌, ଭୁବନେଶ୍ବର

ସମ୍ବନ୍ଧିତ ଖବର