ନୂଆଦିଲ୍ଲୀ: ଉଜ୍ଜ୍ବଳା ଯୋଜନାର ହିତାଧିକାରୀମାନଙ୍କୁ ଏଲ୍ପିଜି ସିଲିଣ୍ଡର ପିଛା ୩୦୦ ଟଙ୍କାର ସବ୍ସିଡି ମିଳିବ। ପୂର୍ବରୁ ସେମାନଙ୍କ ଲାଗି ସରକାର ୨୦୦ ଟଙ୍କାର ସବ୍ସିଡି ଘୋଷଣା କରିଥିଲେ। ଆଜି ସେଥିରେ ଆଉ ୧୦୦ ଟଙ୍କା ଯୋଡ଼ାଯାଇଛି। ଫଳରେ ଉଜ୍ଜ୍ବଳାର ହିତାଧିକାରୀମାନେ ଏଲ୍ପିଜି ସିଲିଣ୍ଡର କିଣିଲେ ତାଙ୍କୁ ୩୦୦ ଟଙ୍କାର ସବ୍ସିଡି ମିଳିବ। ବର୍ତ୍ତମାନ ଭୁବନେଶ୍ବରରେ ୧୪.୨ କେଜିଆ ଏଲ୍ପିଜି ସିଲିଣ୍ଡର ଦାମ୍ ୯୨୯ ଟଙ୍କା ରହିଛି। ଉଜ୍ଜ୍ବଳା ହିତାଧିକାରୀମାନେ ତାହାକୁ ୬୨୯ ଟଙ୍କାରେ କିଣିପାରିବେ। ଅନ୍ୟ ଗ୍ରାହକମାନଙ୍କୁ କିନ୍ତୁ ୯୨୯ ଟଙ୍କା ଗଣିବାକୁ ପଡ଼ିବ।୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବାରୁ କେନ୍ଦ୍ର ସରକାର ଦ୍ବିତୀୟ ଥର ପାଇଁ ଉଜ୍ଜ୍ବଳା ସ୍କିମ୍ର ସବ୍ସିଡି ରାଶି ବଢ଼ାଇଛନ୍ତି।
ଏହି ସ୍କିମ୍ରେ ଗରିବ ମହିଳାମାନଙ୍କୁ ଏଲ୍ପିଜି ସଂଯୋଗ ପ୍ରଦାନ କରାଯାଇଛି। ଆଜି କ୍ୟାବିନେଟ୍ ବୈଠକ ଶେଷ ହେବା ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ପ୍ରଦାନ କରିଛନ୍ତି। ଗତ ମାସରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାର ସମ୍ପ୍ରସାରଣ କରି ଆଉ ୭୫ ଲକ୍ଷ ଗରିବ ପରିବାରକୁ ଏଲ୍ପିଜି ସଂଯୋଗ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଏବାବଦରେ ୧୬୫୦ ଟଙ୍କା ଖର୍ଚ୍ଚ ହେବ। ଏହି ନୂଆ ସଂଯୋଗଗୁଡ଼ିକ ପ୍ରଦାନ କରାଯିବା ପରେ ଦେଶରେ ଉଜ୍ଜ୍ବଳା ହିତାଧିକାରୀଙ୍କ ସଂଖ୍ୟା ୧୦.୩୫ କୋଟିକୁ ବୃଦ୍ଧି ପାଇବ। ୨୦୧୬ରେ କେନ୍ଦ୍ର ସରକାର ଉଜ୍ଜ୍ବଳା ଯୋଜନା ଆରମ୍ଭ କରିଥିଲେ।