ନୂଆଦିଲ୍ଲୀ: ଟିକସ ରାଜସ୍ବ କମିବା ଓ ବ୍ୟୟ ବଢ଼ିବା ପରେ ଦେଶର ଭିତ୍ତୀୟ ନିଅଣ୍ଟ ବେଲଗାମ ହୋଇପଡ଼ିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଏହାକୁ ସରକାର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୩.୫ ପ୍ରତିଶତ ଭିତରେ ରଖିବାକୁ ଚାହୁଥିଲେ। ମାତ୍ର ତାହା ୪.୬ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୦-୨୧ରେ ସ୍ଥିତି ସମାନ ରହିବ କିନ୍ତୁ ଆହୁରି ବିଗିଡ଼ିପାରେ। ବିତ୍ତୀୟ ନିଅଣ୍ଟ ଏକ ଜଟିଳ ଅର୍ଥନୈତିକ ଶବ୍ଦ ହୋଇଥିଲେ ମଧ୍ୟ ପ୍ରତିଟି ଦେଶବାସୀଙ୍କ ଜୀବନକୁ ପ୍ରଭାବିତ କରିବାର କ୍ଷମତା ଏହା ପାଖରେ ରହିଛି। ସାଧାରଣ ଭାଷାରେ ବିତ୍ତୀୟ ନିଅଣ୍ଟ ହେଉଛି ସରକାରଙ୍କ ରାଜସ୍ବ ଆୟ ଓ ବ୍ୟୟ ଭିତରେ ଥିବା ଅନ୍ତର। ତାହାକୁ ଜିଡିପିର ଶତାଂଶ ଭାବେ ପ୍ରକାଶ କରାଯାଏ। ଯେଉଁ ଦେଶର ବିତ୍ତୀୟ ନିଅଣ୍ଟ ଯେତେ‌ ଅଧିକ ତାହାର ଆର୍ଥିକ ସ୍ଥିତି ‌ସେତେ ଖରାପ ବୋଲି ଧରିନିଆଯାଏ।

Advertisment

ଭାରତରେ ବିତ୍ତୀୟ ନିଅଣ୍ଟ ବେଲଗାମ ହେବାର ପ୍ରଭାବ ଅନୁଭୂତ ହେଲାଣି। କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ରୋକ ଲଗାଇଛନ୍ତି। ଫଳରେ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ଉପରେ ତାହାର ପ୍ରଭାବ ପଡ଼ିଛି। ଟିକସ ଆୟ ବଢ଼ାଇବା‌ ଲାଗି ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ଟିକସ ପରିମାଣ ବଢ଼ାଇଛନ୍ତି, ତେଣୁ ଲୋକମାନଙ୍କୁ ଏହି ଇନ୍ଧନ କିଣିବା ଲାଗି ପକେଟ୍‌ରୁ ଅଧିକ ଟଙ୍କା ବାହାର କରିବାକୁ ପଡ଼ୁଛି। ଅତୀତରେ ଆର୍ଥିକ ସଙ୍କଟ ସମୟରେ ସରକାରୀ କର୍ମଚାରୀମାନଙ୍କ ଆୟ ପ୍ରଭାବିତ ହେଉନଥିଲା। କରୋନା ସଙ୍କଟ ପରେ ସେମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଆୟରେ ହ୍ରାସ ହେବାର ଅର୍ଥ ହେଉଛି ଲୋକମାନଙ୍କ ବ୍ୟୟ କ୍ଷମତା କମିବା। ଏହା ଉଭୟ ଲୋକମାନଙ୍କ ଏବଂ ବ୍ୟବସାୟିକ ସଂସ୍ଥାର ଆୟ ହ୍ରାସ କରିବ। ବିତ୍ତୀୟ ନିଅଣ୍ଟକୁ ଭରଣା କରିବା ଲାଗି ସରକାର ଅଧିକ ଋଣ କରିବେ। ସରକାର ଯଦି ମାତ୍ରାଧିକ ଋଣ କରିବେ ତେବେ ଘରୋଇ କ୍ଷେତ୍ରର ସଂସ୍ଥାଗୁଡ଼ିକ ପାଇଁ କମ୍ ସୁଧରେ ଋଣ ମିଳିବ ନାହିଁ। କାରଣ ସେମାନଙ୍କ ପାଇଁ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ କମ୍ ଟଙ୍କା ରହିବ । ବାଧ୍ୟ ହୋଇ ବ୍ୟାଙ୍କଗୁଡ଼ିକ ଋଣ ସୁଧ ବଢ଼ାଇବେ ଯାହା ଦ୍ବାରା ସାଧାରଣ ଜନତା ମଧ୍ୟ ପ୍ରଭାବିତ ହେବେ। ବ୍ୟାଙ୍କ ଜମାରେ କମ୍ ସୁଧ ମିଳିବ। ଯେହେତୁ ଅଧିକାଂଶ ଭାରତୀୟ ଫିକ୍ସଡ୍‌ ଡିପୋଜିଟ୍ ଆକାରରେ ସଞ୍ଚୟ କରିଛନ୍ତି, ସୁଧ କମିଲେ ସେମାନେ ପ୍ରଭାବିତ ହେବେ। ସ୍ବଳ୍ପ ସଞ୍ଚୟ ସ୍କିମ୍ ଯଥା ପିପିଏଫ୍, କିସାନ ବିକାଶ ପତ୍ର ଆଦିରେ କମ୍ ସୁଧ ମିଳିବ। ଫଳରେ ସମାଜର ଦୁର୍ବଳ ବର୍ଗ ମଧ୍ୟ ପ୍ରଭାବିତ ହେବେ।