ନୂଆଦିଲ୍ଲୀ: କୋଟିପତି ବା ଧନୀ ବ୍ୟକ୍ତିମାନେ ସ୍ବାର୍ଥପର। ଖରାପ ସମୟ ଆସିଲେ ସେମାନେ ନିଜ ସୁବିଧା ଅନୁସାରେ ସୁରକ୍ଷିତ ସ୍ଥାନକୁ ଚାଲି ଯାଆନ୍ତି। ଦେଶ ପାଇଁ ସେବା କରିବାକୁ ଭୁଲି ଯାଆନ୍ତି। ସାଧାରଣରେ ଭାରତୀୟ କୋଟିପତିମାନଙ୍କୁ ନେଇ ଲୋକମାନଙ୍କ ମନରେ ଏଭଳି ଧାରଣା ରହିଛି। ଏହା ଉଣା ଅଧିକେ ସତ ମଧ୍ୟ। କାରଣ କରୋନା ମହାମାରୀର ଦ୍ବିତୀୟ ଲହର ଭୟଙ୍କର ରୂପ ଧାରଣ କରିଥିବା ବେଳେ ଅନେକ କୋଟିପତି ଦେଶ ଛାଡ଼ି ଚାଲି ଯାଇଛନ୍ତି। ନିଜ ପ୍ରାଇଭେଟ୍ ଜେଟ୍ କିମ୍ବା ଚାର୍ଟର ପ୍ଲେନ୍ରେ ସେମାନେ ଦୁବାଇ ଓ ୟୁରୋପର ବିଭିନ୍ନ ସହରକୁ ଚାଲିଯାଇଛନ୍ତି। କିନ୍ତୁ ଏଭଳି ଅନେକ କୋଟିପତି ଦେଶ ଭିତରେ ଅଛନ୍ତି ଯେଉଁମାନେ ନିଃସ୍ବାର୍ଥପର ଭାବେ ନିଜକୁ କୋଭିଡ୍ ଲଢ଼େଇରେ ସାମିଲ କରିଛନ୍ତି। ସେମାନେ ରିଲିଫ୍ ସହାୟତା ଦେଉଥିବା ବେଳେ ବିଭିନ୍ନ ପ୍ରକାର ଗୁରୁତ୍ବପୂର୍ଣ୍ଣ ମେଡିକାଲ୍ ଉପକରଣ ମଧ୍ୟ ଯୋଗାଇ ଦେଉଛନ୍ତି।
ସେମାନଙ୍କ ପାଖରେ ନିବେଶ କରିବା ଲାଗି ୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପାଣ୍ଠି ରହିଛି। କିଛି କୋଟିପତି ହସ୍ପିଟାଲ୍ଗୁଡ଼ିକ ଲାଗି ଅକ୍ସିଜେନ୍ ସିଲିଣ୍ଡର ଓ କନ୍ସେଣ୍ଟ୍ରେଟର ମଗାଉଛନ୍ତି। ଅନ୍ୟମାନେ ନିଜର ଥିବା ସମ୍ପର୍କକୁ ବ୍ୟବହାର କରି ଗୁରୁତ୍ବପୂର୍ଣ୍ଣ ଔଷଧ ମଗାଉଛନ୍ତି। ଆଉ କିଛି କୋଟିପତି ନିଜ କୋଠାକୁ କୋଭିଡ୍ ସେଣ୍ଟର୍ ରୂପେ ବ୍ୟବହାର କରିବା ଲାଗି ପ୍ରଦାନ କରିଛନ୍ତି। ଅନ୍ୟ କିଛି କୋଟିପତି ନିଜ ଉଦ୍ୟମରେ ହସ୍ପିଟାଲ୍ଗୁଡ଼ିକରେ ଅକ୍ସିଜେନ୍ କାରଖାନା ସ୍ଥାପନ କରିଛନ୍ତି।
ଧନୀ ଲୋକମାନଙ୍କ ସମ୍ପତ୍ତି ପରିଚାଳନା କରୁଥିବା କୋଟାକ୍ ମହିନ୍ଦ୍ରା ଗ୍ରୁପ୍ର ଏକ କଂପାନିର ସିଇଓ ଗୌତମି ଗାଭାଙ୍କରଙ୍କ ମତରେ ତାଙ୍କର ଅନେକ କ୍ଲାଏଣ୍ଟ୍ ସହାୟତା କିଭଳି ଦିଆଯାଇପାରିବ ତାହା ପଚାରୁଛନ୍ତି। ପରିବାର ବ୍ୟବସାୟ, ପେସାଦାର, ଷ୍ଟାର୍ଟଅପ୍ ଉଦ୍ୟୋଗୀ, ସେଲିବ୍ରିଟି ଓ ନୂଆ ନୂଆ କୋଟିପତି ହୋଇଥିବା ବ୍ୟକ୍ତିମାନେ କୋଭିଡ୍ ମୁକାବିଲା ଲାଗି ସାହାଯ୍ୟ କରିବାକୁ ଚାହୁଛନ୍ତି। ସେମାନେ ୧୦ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧୦ କୋଟି ଟଙ୍କା ପର୍ଯ୍ୟନ୍ତର ଆର୍ଥିକ ସହାୟତା ଦେଉଛନ୍ତି। ସେହିପରି, ୨୦ଟି ଷ୍ଟାର୍ଟଅପ୍ର ସିଇଓ ଏବଂ ପ୍ରତିଷ୍ଠାତା ମିଶି ଡେମୋକ୍ରେସି ପିପୁଲ୍ ଫାଉଣ୍ଡେସନ ସ୍ଥାପନ କରିଛନ୍ତି।
ଏହି ଫାଉଣ୍ଡେସନ ପାଣ୍ଠି ଯୋଗାଡ଼ କରିବା ସହ କୋଭିଡ୍ କେୟାର ସେଣ୍ଟର୍ଗୁଡ଼ିକୁ ୬୦୦୦ ଅକ୍ସିଜେନ୍ କନ୍ସେଣ୍ଟ୍ରେଟର ପଠାଇଛି। ମିସନ ଅକ୍ସିଜେନ୍ ପ୍ରକଳ୍ପ ଅଧୀନରେ ବିଭିନ୍ନ ଛୋଟ ହସ୍ପିଟାଲ୍ରେ ୨୫ ଲକ୍ଷ ଟଙ୍କାରୁ ଆରମ୍ଭ କରି ୭୫ ଲକ୍ଷ ଟଙ୍କା ମୂଲ୍ୟର ଅକ୍ସିଜେନ୍ ପ୍ଲାଣ୍ଟ୍ ସ୍ଥାପନ କରିବାକୁ ଉଦ୍ୟମ କରାଯାଉଛି। ଫାଉଣ୍ଡେସନର ସଦସ୍ୟ ଥିବା ରାହୁଲ ଅଗ୍ରୱାଲ୍ କହିଛନ୍ତି ଯେ ଆମର କୌଣସି ରାଜନୈତିକ ଦଳ ସହ ସମ୍ପର୍କ ନାହିଁ। ଦେଶ ସାମ୍ନା କରୁଥିବା ସଙ୍କଟ ପାଇଁ ଆମେ କାହାକୁ ଦୋଷ ଦେବାକୁ ଚାହୁନାହୁଁ। ଆମେ କେବଳ ଲୋକମାନଙ୍କୁ ସାହାଯ୍ୟ କରିବା ଉପରେ ଗୁରୁତ୍ବ ଦେଉଛୁ। ମିସନ୍ ଅକ୍ସିଜେନ୍ ପ୍ରକଳ୍ପରେ ୧୨ ଦିନ ଭିତରେ ୧୦୦୦ ଅକ୍ସିଜେନ୍ କନ୍ସେଣ୍ଟ୍ରେଟର ଦିଆଯାଇଛି। ବିଭିନ୍ନ ଦେଶରୁ ଆଉ ୫୦୦୦ ୟୁନିଟ୍ ମଗାଯାଇଛି। କିଛି ଦିନ ଭିତରେ ବିମାନ ଜରିଆରେ ସେଗୁଡ଼ିକୁ ଭାରତ ଆଣିବା ଲାଗି ଫାଉଣ୍ଡେସନ ତରଫରୁ ବ୍ୟବସ୍ଥା କରାଯାଉଛି।