ଫେରିଲା ବିମାନ ଯାତ୍ରାର ଚମକ

ନୂଆଦିଲ୍ଲୀ,: ଉତ୍ସବ ଋତୁ ପ୍ରଭାବରେ ବିମାନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ବର୍ଷ ଅକ୍ଟୋବର ମାସରେ ୮୮ ଲକ୍ଷରୁ ଅଧିକ ଯାତ୍ରୀ ବିମାନରେ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରିଛନ୍ତି। ଗତବର୍ଷ ଅକ୍ଟୋବର ତୁଳନାରେ ଏଥର ୬୭% ଅଧିକ ଯାତ୍ରୀ ବିମାନରେ ଯାତ୍ରା କରିଛନ୍ତି। କୋଭିଡ୍ ମହାମାରୀର ଦ୍ବିତୀୟ ଲହର ପରେ ବିମାନ ଚଳାଚଳ କ୍ଷେତ୍ରରେ ଯେଉଁ ମାନ୍ଦାବସ୍ଥା ଦେଖାଦେଇଥିଲା ତାହା ଦୂର ହେବା ସହ ପୁଣି ଏହି କ୍ଷେତ୍ରରେ ଚମକ ଫେରିଥିବା କୁହାଯାଉଛି। ୨୦୨୦ ଅକ୍ଟୋବରରେ ୫୨ ଲକ୍ଷ ୭୧ ହଜାର ଲୋକ ବିମାନରେ ଯାତ୍ରା କରିଥିଲେ।

ରେଟିଂ ଏଜେନ୍ସି ଇକ୍ରା ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଅକ୍ଟୋବର ୭୨ ହଜାର ଥର ବିମାନ ଚଳାଚଳ କରିଛି ଯାହା ପୂର୍ବବର୍ଷର ୪୯,୧୫୦ ତୁଳନାରେ ୪୬ ପ୍ରତିଶତ ଅଧିକ। ‌ଚଳିତ ବର୍ଷ ଅକ୍ଟୋବରରେ ଦୈନିକ ହାରାହାରି ୨୪୦୦ ବିମାନ ଚଳାଚଳ କରିଛି ବୋଲି ଇକ୍ର‌ାର ଉପସଭାପତି ସୁପ୍ରିଓ ବାନାର୍ଜୀ କହିଛନ୍ତି। ପ୍ରତି ବିମାନରେ ହାରାହାରି ଭାବେ ୧୨୨ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ସେପ୍ଟେମ୍ବର ମାସରେ ବିମାନ ପିଛା ଯାତ୍ରୀଙ୍କ ହାରାହାରି ସଂଖ୍ୟା ୧୧୭ ଥିଲା। ଅକ୍ଟୋବରରେ ସେଥିରେ ଆହୁରି ସୁଧାର ହୋଇଛି।

ତେବେ ବିମାନ ଇନ୍ଧନର ଚଢ଼ା ଦର ଏହି କ୍ଷେତ୍ରରେ ଦେଖାଦେଇଥିବା ସୁଧାର ପ୍ରତି ବଡ଼ ବିପଦ ବୋଲି ଇକ୍ରା ଏହାର ରିପୋର୍ଟରେ ଜଣାପଡ଼ିଛି। ୨୦୨୧ ନଭେମ୍ବରରେ ବିମାନ ଇନ୍ଧନ ମୂଲ୍ୟ ୧୩.୯ ପ୍ରତିଶତ ବଢ଼ିପାରେ ବୋଲି ଏହା ଆକଳନ କରିଛି। ଅନ୍ୟ ପକ୍ଷରେ କର୍ପୋରେଟ୍ କ୍ଷେତ୍ରର ବିମାନ ଯାତ୍ରୀଙ୍କ ସଂଖ୍ୟାରେ ସେଭଳି ଆଖିଦୃଶିଆ ସୁଦାର ହୋଇନାହିଁ। ମହାମାରୀ ପୂର୍ବ ସମୟ ତୁଳନାରେ ଏବେବି କର୍ପୋରେଟ୍ ଯାତ୍ରୀଙ୍କ ସଂଖ୍ୟା ୨୮% କମ୍ ରହିଛି।

ସମ୍ବନ୍ଧିତ ଖବର